ଆଜି ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ହେବ ହେରାପଞ୍ଚମୀ ନୀତି। ବିଧି ପରମ୍ପରା ଅନୁଯାୟୀ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ରୁକ୍ମଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ହୋଇଥିଲା। ଗଇଁଠାଳ ଫିଟି ନ ଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ନବବିବାହିତା ଧର୍ମପତ୍ନୀ ମହାଲକ୍ଷ୍ମୀଙ୍କୁ ଛାଡି ବଡଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନି।
ହେରାପଞ୍ଚମୀ ଦିନ ଅର୍ଥାତ ଆଜି ରାତିରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ମହାଲକ୍ଷ୍ମୀ । ସେପଟେ ମହାଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ମହାପ୍ରଭୁ ଗତକାଲି ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ବନକଲାଗି ହୋଇଛନ୍ତି। ଆଜି ସଂଧ୍ୟା ଆଳତୀ ପରେ ଏକ ସୁସଜିତ ବିମାନରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ହେଲେ ସନ୍ଧ୍ୟା ଧୂପ ଚାଲିଥିବା ବେଳେ ଟେରା ପଡିଥିବା କାରଣରୁ ମହାପ୍ରଭୁଙ୍କ ଭେଟ ନପାଇ ରାଗରେ ଅଭିମାନ କରିବେ ମହାଲକ୍ଷ୍ମୀ। ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ ବେଳେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିବେ। ଏହାପରେ ଅଭିମାନୀନି ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିବେ। ବଡଦାଣ୍ଡ ଓ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରସ୍ଥାନ କରିବାର ପରମ୍ପରା ରହିଛି । ଅନ୍ୟପଟେ ଆଡ଼ପ ଦର୍ଶନ ପାଇଁ ଆଜି ମଧ୍ୟ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଆଜି ସକାଳୁ ମେଘୁଆ ପାଗ ସହ ଝିପିଝିପି ବର୍ଷା ସତ୍ୱେ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି। ଏଥିସହ ଗତକାଲି ଆଡ଼ପ ଅବଢ଼ା ପାଇଛନ୍ତି ଭକ୍ତ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଆସି ମହାପ୍ରଭୁଙ୍କ ଦର୍ଶନ ଠିକ୍ ଭାବେ ପାଇବେ ଓ ଅବଢ଼ା ଖାଇ ସ୍ୱଗୃହକୁ ଫେରିପାରିବେ ସେଥିନିମନ୍ତେ ବ୍ୟବସ୍ଥା କରାଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/6M3F2ge
No comments:
Post a Comment