ଆଜି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗିହେବ ଅଧରପଣା। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଏହି ନୀତି ଅନୁଷ୍ଠିତ ହେବ। ପ୍ରତି ରଥରେ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହୁଏ। ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ
ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ।
ପ୍ରତି ରଥରେ ୩ଟି ଲେଖାଏଁ ମାଟି ହାଣ୍ଡିରେ ଅଧର ପଣା ଭୋଗ କରାଯାଇଥାଏ। ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ରଥଗୁଡ଼ିକରେ ଥିବା ପାଶ୍ୱଦେବାଦେବୀ, ଭୁତପ୍ରେତ ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର
ବିଧି ରହିଛି। ଆସନ୍ତାକାଲି ହେବ ନୀଳାଦ୍ରି ବିଜେ।
ଗତକାଲି ରଥ ଉପରେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜିଉ। ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥିଲେ ତିନି ଠାକୁର। ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ଝଟକିଥିଲା ସୁବର୍ଣ୍ଣ କିରିଟି। ଅଣ୍ଟାରେ ସୁନାପଟି ଓଡ଼ିଆଣି, କର୍ଣ୍ଣରେ କୁଣ୍ଡଳ, ଆଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ବେକରେ ଘାଗଡ଼ା, ବାହାଡ଼ା, ସେବତୀ, କଦମ୍ବ ଓ ବାଘନଖି ଭଳି କେତେକଣ ମାଳି।
ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦେଖିବାକୁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୋଇଥିଲା। ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ଅବଧି ବଢାଯାଇଥିଲା। ରାତି ୧୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ସୁନାବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ରାତି ୧୨ଟା ପରେ ଓଲାଗି ନୀତି ହୋଇଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/tHac36e
No comments:
Post a Comment