ଉଭୟ ଯୁବକଯୁବତୀ ପରସ୍ପର ପ୍ରେମରେ ପଡ଼ିଥିଲେ ବି ବିବାହ ପାଇଁ ସଫା ସଫା ମନା କରି ଦେଇଥିଲେ ଝିଅ ଘର ପକ୍ଷ । ପୁଅ ସେପରି କିଛି ରୋଜଗାର କରୁ ନ ଥିବାରୁ ସେମାନେ ନିଜ ଝିଅ ଜୀବନ ବରବାଦ କରିବାକୁ ଚାହୁଁ ନ ଥିବା କହିଥିଲେ। ଏହାପରେ ଯୁବତୀଜଣକ ମଧ୍ୟ ଯୁବକଙ୍କ ନିକଟରୁ ଦୂରେଇ ଗଲେ। ମାତ୍ର ଏହାକୁ ବରଦାସ୍ତ କରିବା ପରିସ୍ଥିତିରେ ନ ଥିବା ପ୍ରେମିକଜଣକ ଘଟାଇଲେ ବର୍ବର କାଣ୍ଡ। ପ୍ରେମିକାଙ୍କୁ ପାର୍କକୁ ଡାକି ସେଠାରେ ଲୁହା ରଡରେ ପିଟି ପିଟି ତାଙ୍କ ଜୀବନ ନେଇଥିବା ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍ । ଏପରି ଏକ ଘଟଣା ରାଜଧାନୀ ଦିଲ୍ଲୀର ମାଲଭିୟା ନଗରରେ ଘଟିଛି।
ଯୁବତୀଜଣକଙ୍କ ନାମ ନର୍ଗିସ ହୋଇଥିବା ବେଳେ ଅଭିଯୁକ୍ତଙ୍କ ନାମ ଇରଫାନ । ନର୍ଗିସ ପାଠ ପଢ଼ାପଢ଼ି କରୁଥିବା ବେଳେ ଇରଫାନ ଡେଲିଭରି ବୟ ଭାବେ କାମ କରୁଥିଲେ। ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ନର୍ଗିସଙ୍କ ପରିବାର ବିବାହ ପାଇଁ ମନା କରିବା ପରେ କ୍ରୋଧର ନିଆଁରେ ଜଳୁଥିବା ଇରଫାନ ଗତକାଲି ଅପରାହ୍ନରେ ତାଙ୍କୁ ନିକଟସ୍ଥ ପାର୍କକୁ ଡାକିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଇରଫାନ ନିଜ ସାଙ୍ଗରେ ଆଣିଥିବା ଏକ ଲୁହା ରଡରେ ନର୍ଗିସଙ୍କ ମୁଣ୍ଡକୁ ପିଟିବାକୁ ଲାଗିଲେ। ଫଳରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତପାତ ହୋଇଥିବା ବେଳେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଲେ। ଏହା ଦେଖି ଘଟଣାସ୍ଥଳରୁ ଇରଫାନ ଫେରାର ହୋଇ ଯାଇଥିଲେ।
ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଲୁହା ରଡ ବି ଜତବ କରିଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ନର୍ଗିସଙ୍କୁ ହତ୍ୟା ପାଇଁ ସେ ୩ ଦିନ ପୂର୍ବରୁ ଯୋଜନା କରିଥିବା ସ୍ୱୀକାର କରିଛନ୍ତି ଇରଫାନ ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/M7zJWFy
No comments:
Post a Comment