କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପରେ ବିଜେଡି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ବଢୁଥିବା ବେଳେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ ମେଣ୍ଟ ହେଲା ଭଳି କୌଣସି କଥା ନାହିଁ।
ଶ୍ରୀ ମୁଣ୍ଡା କହିଛନ୍ତି, ସବୁ ରାଜ୍ୟର ବିକାଶ କରିବା ପାଇଁ କେନ୍ଦ୍ର ସରକାର ସବୁବେଳେ ପ୍ରୟାସ କରୁଛନ୍ତି। ସବୁ ରାଜ୍ୟ ସହ ମିଶି କାମ କରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ସବୁବେଳେ ପ୍ରୟାସ କରନ୍ତି। ଏହା ସରକାରଙ୍କ କାମ। ସଂଗଠନର କାମ ଅଲଗା। ସଂଗଠନ ନିଜ ଢଙ୍ଗରେ ନିର୍ବାଚନ ଲଢ଼େ ଓ ରଣନୀତି କରେ। ସଂଗଠନ କେବେ ସରକାର ଜରିଆରେ କୌଣସି ରଣନୀତି କରେନି। ମୋତେ ଲାଗୁଛି, ଓଡ଼ିଶାରେ ମେଣ୍ଟ ହେଲା ଭଳି କୌଣସି କଥା ନାହିଁ। ଏବେ ନାହିଁ କି ଆଗକୁ ବି ହେବନି ବୋଲି ଲାଗୁଛି।
ସେ କହିଛନ୍ତି, ରାଜ୍ୟରେ ବିଜେପିର ସ୍ଥିତି ବହୁତ ଭଲ ଅଛି। ୨୦୨୪ ନିର୍ବାଚନରେ ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ ଦଳ।
ଶନିବାର ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ କହିଥିଲେ ଯେ ରାଜ୍ୟରେ ବିଜେଡି ସହିତ ମେଣ୍ଟ ହେବ ନାହିଁ।
କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପିନ୍ଦର ଯାଦବ କହିଥିଲେ, ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ କୌଣସି ମେଣ୍ଟ କରିବ ନାହିଁ। ଦଳ ଏକାକୀ ଲଢ଼ିବ। ଆମେ ନିଜ ଦମ୍ରେ ରାଜ୍ୟରେ ସରକାର ଗଢ଼ିବାରେ ସକ୍ଷମ ହେବୁ।
ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ, ଓଡ଼ିଶାରେ କୌଣସି ମେଣ୍ଟ ହେବନି। ବିଜେପି ଏକାକୀ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନରେ ଲଢ଼ିବ । ବିଜେପି ଏକ ଅନ୍ତରୀଣ ସର୍ଭେ କରିଥିଲା । ଏହି ଅନ୍ତରୀଣ ସର୍ଭେରେ ଜୁଲାଇ ମାସରେ ବିଜେପି ରାଜ୍ୟରେ ଆଗରେ ଥିଲା । ଅଗଷ୍ଟରେ ବି ଆଗରେ ରହିବୁ । ରାଜ୍ୟବାସୀଙ୍କ ମତ ଆମ ସପକ୍ଷରେ ଅଛି ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/UaYdNoC
No comments:
Post a Comment