ବନ୍ଧୁତା ଏଇମିତି ହେଇଯାଏ, ଆଉ ଚିର କାଳ ରହିଯାଏ...  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 5, 2023

ବନ୍ଧୁତା ଏଇମିତି ହେଇଯାଏ, ଆଉ ଚିର କାଳ ରହିଯାଏ... 

ଯେବେ ମନ ଭାରାକ୍ରାନ୍ତ ହୁଏ, ଭାରି ଅସହାୟ-ଅସହାୟ ଲାଗେ, ସେ ମନେ ପଡେ... ତାରି ଆଗରେ ହିଁ ମନର ସବୁ କଥା ଖୋଲି କହିଦେବାକୁ ଇଚ୍ଛା ହୁଏ... ଯାନି-ଯାତ, ଘରର ସୁଖ-ଦୁଃଖ, ଭଲ-ମନ୍ଦରେ ତାକୁ ଟିକେ ଡାକିବାକୁ ମନ କହେ... ତା' ସହ ଲେଖା-ଯୋଖା ସମ୍ପର୍କ ସେମିତି କିଛି ନଥାଏ, ତଥାପି ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରେ, ସେ ଆଉ କେହି ନୁହେଁ ଆମ ବନ୍ଧୁ ସିଏ...।

ଭଗବାନ ବାପା-ମାଆ, ଭାଇ-ଭଉଣୀ, ଜେଜେବାପା-ଜେଜେମା ସମସ୍ତଙ୍କୁ ଦେଲେ, ତଥାପି ମଣିଷ ଜନ୍ମକୁ ଅଧୁରା ମନେ କଲେ। ପରେ ବନ୍ଧୁକୁ ଉପହାର ଦେଇ ଜୀବନରେ ପୂର୍ଣ୍ଣତା ଭରିଦେଲେ। ବୋଧ ହୁଏ ସେଥିପାଇଁ ସଂସାରରେ ଏମିତି କେହି ନାହିଁ, ଯାହାର ବନ୍ଧୁଟିଏ ନାହିଁ। ସମସ୍ତଙ୍କ ଜୀବନରେ ବନ୍ଧୁଟିଏ ନିଶ୍ଚୟ ଅଛି, ଆଉ ବନ୍ଧୁ ଆବଶ୍ୟକ ମଧ୍ୟ। 'ନିର୍ବାସିତର ବିଳାପ'ରେ ମଧୁସୂଦନ ରାଓ ଲେଖି ଦେଲେ, 'କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯା'ର ପ୍ରାପତ ଲାଗି ଦେବତା ନର।'

ଆଜ୍ଞା ହଁ... ଏ ବନ୍ଧୁ ସମ୍ପର୍କଟା ନା ସେମିତି ନିଆରା। ଏ ଅନାବିଳ ପ୍ରେମକୁ ଟିକିଏ ଅନୁଭବ କରିବା ପାଇଁ ଦେବତା ନର ରୂପ ଧାରଣ କରିଛନ୍ତି। ଗୋପପୁରରେ କୃଷ୍ଣଙ୍କ ବନ୍ଧୁତା ସେଦିନ ସୁଦାମାଙ୍କୁ ମଥୁରା ଟାଣି ଆଣିଥିଲା। ବନ୍ଧୁକୁ ଟିକେ ଭେଟିବା ପାଇଁ ସୁଦାମା କୋଶ କୋଶ ଦୂର ଚାଲିଆସିଥିଲେ। ଦୁର୍ଯ୍ୟୋଧନ ଯେତେ ଅହଂକାରୀ ହେଲେ ବି କର୍ଣ୍ଣଙ୍କ ପାଇଁ ସାଜିଥିଲେ ସଚ୍ଚା ବାନ୍ଧବ। କୃଷ୍ଣ-ସୁଦାମା ପରି ଦୁର୍ଯ୍ୟୋଧନ-କର୍ଣ୍ଣଙ୍କ ବନ୍ଧୁତାକୁ ବି ଲୋକେ ଦ୍ୱାହି ଦିଅନ୍ତି। ମର୍ତ୍ତ୍ୟ ମଣ୍ଡଳରେ ବନ୍ଧୁତାର ଏ ଅମୃତକୁ ଆସ୍ୱାଦନ ପାଇଁ ଯେତେବେଳ ଦେବତା ନର ରୂପ ଧାରଣ କରିଛନ୍ତି ଛାର ମଣିଷ ଏଥିରୁ ବାଦ୍ ପଡିବ ବା କିପରି। 

ଯୁଗ-ଯୁଗ, ବର୍ଷ-ବର୍ଷ ପରେ ଆଜି ବି ବନ୍ଧୁ ପାଇଁ ବ୍ୟାକୁଳ ହୁଏ ମନ ଆଉ ବନ୍ଧୁତାର ହୁଏ ବିଜୟ। ଜୀବନରେ ଏହି ସ୍ୱତନ୍ତ୍ର ସମ୍ପର୍କକୁ ଆଉ ଟିକେ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରବିବାରକୁ ବନ୍ଧୁତା ଦିବସ ରୂପେ ପାଳନ କରାଯାଉଛି। ଏ ଦିବସ ବାର୍ତ୍ତା ଦିଏ ଯେ, ବନ୍ଧୁତା କେବେ ଜାତି-ଧର୍ମ, ଧନୀ-ଗରିବର ବାଛ ବିଚାର ଦେଖେନି, ଏଇମିତି ହେଇଯାଏ, ଆଉ ଚିର କାଳ ରହିଯାଏ... 

ବନ୍ଧୁତାର ଅନେକ ନିଚ୍ଛକ କାହାଣୀ ସିନେମାରେ ସ୍ଥାନ ପାଇଛି। ବଲିଉଡ୍ ଓ ଓଲିଉଡରେ ବନ୍ଧୁତାକୁ ଆଧାର କରି ଅନେକ ଚଳଚ୍ଚିତ୍ର ଓ ସଂଗୀତ ପ୍ରସ୍ତୁତ କରାଯାଇଛି। ୧୯୮୧ ମସିହାରେ ରିଲିଜ ହୋଇଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ୟାରାନା’ର ଗୀତ 'ତେରା ଜୈସା ୟାର କାହାଁ..' ସଙ୍ଗୀତ ଯିଏ ଶୁଣେ ଭାବବିହ୍ୱଳ ହୁଏ। ସେହିପରି ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କ 'ସୋଲେ' ଚଳଚ୍ଚିତ୍ର ସେତେବେଳେ ଚହଳ ସୃଷ୍ଟି କରିଥିଲା। ଆହୁରି ଅନେକ ବଲିଉଡ୍‌ ଫିଲ୍ମ 'ଥ୍ରୀ ଇଡିଏଟ୍', 'ଛିଛୋରା', 'ରଙ୍ଗ ଦେ ବସନ୍ତୀ', 'ଦିଲ୍ ଚାହତା ହେ...' ଇତ୍ୟାଦିରେ ବନ୍ଧୁତାକୁ ପ୍ରଦର୍ଶିତ କରାଯାଇଛି।

ସେହିପରି ଓଡିଆରେ ବନ୍ଧୁତାକୁ ନେଇ ପ୍ରସ୍ତୁତ ସିନେମା 'ତୋର ମୋର ଦୋସ୍ତି', 'ପୂଜା ପାଇଁ ଫୁଲଟିଏ' ପ୍ରଶଂସା ସାଉଁଟିଛି। କେବଳ ଯେ ମଣିଷ-ମଣିଷ ମଧ୍ୟରେ ବନ୍ଧୁତା ସ୍ଥାପନ ହୁଏ ତାହା ନୁହେଁ, ଜୀବ-ଜନ୍ତୁ ମଧ୍ୟ ମଣିଷର ପ୍ରକୃତ ବନ୍ଧୁ ହୋଇପାରନ୍ତି। ସିନେମାରେ ଏହିପରି କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର 'ହାତୀ ମେରା ସାଥୀ' ରହିଛି। ବାସ୍ତବ ଜୀବନରେ ମଧ୍ୟ ମଣିଷ କୁକୁର, ବିଲେଇ, ଶୁଆ-ଶାରୀଙ୍କ ସହ ବନ୍ଧୁତାର ସମ୍ପର୍କ ନିଭାଇଛି। ତେଣୁ ଏ ବନ୍ଧୁତା ଏକ ସ୍ୱର୍ଗୀୟ ଉପହାର, ଏହାକୁ ନିଖୁଣ ଭାବେ ନିଭାଇବା ମଣିଷର କର୍ତ୍ତବ୍ୟ। ତେବେ ଯାଇ ଏ ଦିବସ ପାଳନ ସାର୍ଥକ ହୋଇପାରିବ।  
  



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/vPJOq1U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages