ଜୀବନକୁ ବାଜି ଲଗାଇ ଭରା ନଈ ଭିତରେ ପଶି ଲୁହା ତାର ସାହାଯ୍ୟରେ ଏକ ଶବକୁ ପାର କରାଇଛନ୍ତି ଲୋକେ। ଏଭଳି ଏକ ଅଭାବନୀୟ ଦୃଶ୍ୟ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଗୁଞ୍ଜିବାଡି ପଞ୍ଚାୟତ ବଗାଡ଼ି ଗାଁରେ ଦେଖିବାକୁ ମିଳିଛି। ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା କାଲିପେନୁ ନଦୀ ଉପରେ ପୋଲଟିଏ ନଥିବାରୁ ଗ୍ରାମବାସୀ ଏମିତି ଉପାୟ ଆପଣାଇଥିଲେ।
ଗତକାଲି ଗାଁର ପଦ୍ମାବତୀ ପ୍ରଧାନ ନାମକ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା। ହେଲେ ଶବକୁ ସତ୍କାର ପାଇଁ ନେବା ବେଳେ ତାଙ୍କ ପରିବାର ଲୋକ ତଥା ଗ୍ରାମବାସୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। କାରଣ ଶ୍ମଶାନ ଥିଲା ନଦୀ ଆରପାଖରେ। ବର୍ଷା ଯୋଗୁ ନଦୀରେ ପ୍ରବଳ ଜଳ ପ୍ରବାହିତ ହେଉଥିବା ବେଳେ ତା’ ଉପରେ ନାହିଁ ପୋଲ। ତେଣୁ ଶବକୁ ଏକ ବକ୍ସରେ ଭର୍ତ୍ତି କରି ଦିଆଯାଇଥିଲା। ସେହି ବକ୍ସକୁ ଦଉଡ଼ି ଦ୍ୱାରା ବାନ୍ଧି ନଦୀର ଏପାଖରୁ ସେପାଖକୁ ବନ୍ଧା ହୋଇଥିବା ଲୁହା ତାରରେ ଝୁଲାଇ ଟାଣି ଟାଣି ନେଇଥିଲେ ଲୋକେ। ତେବେ ବାଟରେ ଲୁହା ତାରଟି ଛିଡ଼ି ପଡ଼ିବା ଯୋଗୁ ବହୁ କଷ୍ଟରେ ଶବକୁ ନଦୀ ପାର କରାଇଥିଲେ ଲୋକେ।
କାଲିପେନୁ ନଦୀ ଉପରେ ପୋଲଟିଏ ନଥିବା ହେତୁ ବଗାଡ଼ି ସମେତ ବଦାଲି, ଡାକଲି, ଶ୍ରକପାଙ୍ଗା, ମାଦିରାହା, ମିନାମିଲୁ ଓ ବାନ୍ଦିପଦର ଆଦି ଗାଁ ଲୋକେ ଏହି ଲୁହା ତାର ସାହାଯ୍ୟରେ ନଦୀ ପାର ହୁଅନ୍ତି। ଏମିତିକି ସ୍କୁଲ ଓ କଲେଜ ପିଲା ମଧ୍ୟ ବର୍ଷା ଦିନ ଆସିଲେ ଜୀବନକୁ ବାଜି ଲଗାଇ ଏଭଳି ଢଙ୍ଗରେ ନଦୀ ପାରି ହୋଇଥାଆନ୍ତି।
କାଲିପେନୁ ନଦୀ ଉପରେ ପୋଲଟିଏ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଦାବି ହୋଇଆସୁଥିଲେ ହେଁ ଆଜି ଯାଏ କୌଣସି ସୁଫଳ ମିଳି ନଥିବା କହିଛନ୍ତି ବଗାଡ଼ି ଗ୍ରାମବାସୀ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/LHo7vDg
No comments:
Post a Comment