ମାତ୍ର ୫ ଦିନରେ ସବୁକିଛି ଓଲଟପାଲଟ ହୋଇଗଲା। ଦେଖୁଦେଖୁ ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର । ନିରବୀ ଗଲେ ପରିବାରର ସମସ୍ତ ସଦସ୍ୟ । ଜଣକ ପରେ ଜଣେ କରି ଏକ ପରିବାରର ୪ ସଦସ୍ୟ ଆଗପଛ ହୋଇ ଆରପାରିକୁ ଚାଲିଗଲେ। ରୋଗଗ୍ରସ୍ତ ଘରର ମୁଖିଆଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ପରିବାରର ୩ ସଦସ୍ୟ ବିଷ ପିଇ ଦେଇଥିଲେ ।
ଗତକାଲି ବିଷର ଜ୍ୱାଳା ସହି ନ ପାରି ପୁଅଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଖି ବୁଜିଛି ମା’ । ବରଗଡ଼ ଜିଲ୍ଲା ସୋହେଲାରେ ଘଟିଥିବା ଏପରି ଏକ ଦୁଃଖଦ ଘଟଣା ଯୋଗୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ମୃତକମାନେ ହେଲେ ବଂଶୀଧର ସାହୁ, ତାଙ୍କ ଭଉଣୀ ସୁବର୍ଣ୍ଣ ମହାଜନ ଓ ସେମାନଙ୍କ ମା’ କୁମୁଦିନି ସାହୁ । ଗତକାଲି ବଂଶୀଧର ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ବେଳେ ବୁର୍ଲା ନିଆଯାଉଥିବା ବେଳେ ବାଟରେ ସୁବର୍ଣ୍ଣଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ଏଥିରୁ ବର୍ତ୍ତି ଯାଇଥିବା କୁମୁଦିନି ସାହୁଙ୍କ ବିଷ ଜ୍ୱାଳାରେ ଛଟପଟ ହେଉଥିବା ବେଳେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ସକାଳେ ସେ ଆଖି ବୁଜିଛନ୍ତି।
ଘରର ମୁଖିଆ ଅର୍ଜୁନ ସାହୁ ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ରହିବା ପରେ ଗତ ୬ ତାରିଖରେ ଆଖି ବୁଜିଥିଲେ। ମାତ୍ର ତାଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରି ନ ଥିଲେ। ଏହାକୁ ନେଇ କୁମୁଦିନି ଓ ତାଙ୍କ ପୁଅ, ଝିଅ ଗଭୀର ମାନସିକ ଚାପର ବଶବର୍ତ୍ତୀ ହୋଇ ଯାଇଥିଲେ। କୁମୁଦୁନିଙ୍କ ଝିଅ ସୁବର୍ଣ୍ଣ ମହାଜନ ଝାଡ଼ଖଣ୍ଡରେ ବିବାହ କରିଥିବା ବେଳେ ତାଙ୍କର ଏକ ୨ ବର୍ଷର ଶିଶୁ ବି ରହିଛି। ମାତ୍ର ସେ ଗତ କିଛି ବର୍ଷ ହେବ ବାପ ଘରେ ରହି ଆସୁଥିଲେ। ବାପାଙ୍କ ମୃତ୍ୟୁ ତାଙ୍କୁ ବି ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିଲା।
ଗତକାଲି ଦିନ ପ୍ରାୟ ୧୧ଟା ବେଳେ କୁମୁଦିନି ଓ ତାଙ୍କ ପୁଅ ଝିଅ ଘରେ ବିଷ ପିଇ ଦେଇଥିଲେ। ଘରର କବାଟ ଭିତର ପଟୁ ବନ୍ଦ ଥିଲା। କିଛି ସମୟ ପରେ ସୁବର୍ଣ୍ଣଙ୍କ ଛୋଟ ଝିଅର କାନ୍ଦ ଶୁଣି ପାଖ ପଡ଼ୋଶୀ ସେଠାରେ ପହଞ୍ଚିଥିଲେ। ଏହାପରେ ସେମାନେ ଘରେ ମା’ ପୁଅ, ଝିଅ ଛଟପଟ ହେଉଥିବା ଦେଖି ପୁଲିସକୁ ଖବର ଦେଇଥିଲେ।
ପୁଲିସ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ମାତ୍ର ଗତକାଲି ଓ ଆଜି ମଧ୍ୟରେ ମା’ ପୁଅଝିଅ ସମସ୍ତେ ଆଖି ବୁଜିଛନ୍ତି। ଫଳରେ କୁନି ଝିଅଟି ସମ୍ପୂର୍ଣ୍ଣ ବେସାହାରା ହୋଇ ଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/KGMSYVs
No comments:
Post a Comment