୧୦, ୯,୮,୭.... । ଚନ୍ଦ୍ରଯାନ-୩ ଲଞ୍ଚିଂ ବେଳେ ସମଗ୍ର ଦେଶବାସୀଙ୍କ ନଜର ଟିଭି ପରଦା ଉପରେ ଥିଲା। ଏହି ସମୟରେ ଏକ ଦମଦାର ସ୍ୱରରେ ଜଣେ ମହିଳା କାଉଣ୍ଟଡାଉନ୍ କରୁଥିବା ବେଳେ ଦେଶବାସୀଙ୍କ ହାର୍ଟବିଟ୍ ବି ସେହି ଅନୁପାତରେ ବଢ଼ି ଚାଲିଥିଲା। ଚନ୍ଦ୍ରଯାନର ସଫଳ ଉତ୍କ୍ଷେପଣ ହେବା ପରେ ଏହା ଗୋଟିଏ ପରେ ଗୋଟିଏ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥିବା ବେଳେ ତାହାର କାଉଣ୍ଟଡାଉନ୍ କରିଥିବା ସ୍ୱର କିନ୍ତୁ ଆଉ ଶୁଣିବାକୁ ମିଳିବନି। ଅଚାନକ ନୀରବି ଗଲା ପରଦା ପଛର ଏହି ଦମଦାର ସ୍ୱର।
ଚନ୍ଦ୍ରଯାନ-୩ ସମେତ ଆହୁରି ବହୁ ସାଟେଲାଇଟ୍ ଲଞ୍ଚିଂ ବେଳେ ନିଜ ଦମଦାର ଭଏସ୍ରେ କାଉଣ୍ଟଡାଉନ୍ କରୁଥିବା ବୈଜ୍ଞାନିକ ଭଲରମଥିଙ୍କ ସ୍ୱର ଆଉ ଶୁଣିବାକୁ ମିଳିବନି। ହୃଦଘାତରେ ଗତ ଶନିବାର ରାତିରେ ତାଙ୍କ ପରଲୋକ ହୋଇ ଯାଇଛି।
ତାମିଲନାଡ଼ୁର ଅରିୟାଲୁର ନିବାସୀ ଭଲରମଥି ଚେନ୍ନାଇରେ ଥିବା ବେଳେ ଗତ ଶନିବାର ସନ୍ଧ୍ୟାରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।
ପିଲାଦିନୁ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖୁଥିବା ଭଲରମଥି ଇଞ୍ଜିନିୟରିଂ ପାଠପଢ଼ା ସାରି ଯୁବାବସ୍ଥାରେ ଇସ୍ରୋରେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ସେ ବହୁ ରିସର୍ଚ୍ଚ ଓ ସାଟେଲାଇଟ୍ ଉତ୍କ୍ଷେପଣରେ ସାମିଲ ହୋଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ଏଥିସହ ସବୁବେଳେ ଲଞ୍ଚିଂ ସମୟରେ ଖୋଜା ପଡ଼ୁଥିଲେ ଭଲରମଥି । କାରଣ ତାଙ୍କ ଦମଦାର ଭଏସ୍ ସାଟେଲାଇଟ୍ ଲଞ୍ଚକୁ ଅଧିକ ରୋମାଞ୍ଚପୂର୍ଣ୍ଣ କରି ଦେଉଥିଲା।
ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବୈଜ୍ଞାନିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକଟ କରିଛନ୍ତି। ଇସ୍ରୋର ପୂର୍ବତନ ବୈଜ୍ଞାନିକ ଡ. ପିଭି ଭେଙ୍କଟକୃଷ୍ଣ ଗଭୀର ଦୁଃଖ ପ୍ରକଟ କରିବା ସହ କହିଛନ୍ତି, ଶ୍ରୀ ହରିକୋଟା ସେଣ୍ଟରରୁ ଚନ୍ଦ୍ରଯାନ-୩ର ଓଲଟା ଗଣତି କରିଥିବା ଭଲରମଥି ମ୍ୟାଡାମ ସବୁ ଦିନ ପାଇଁ ନୀରବ ହୋଇ ଯାଇଛନ୍ତି। ଏହାକୁ ସହଜେ ବିଶ୍ୱାସ କରି ହେଉନି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ohidKcj
No comments:
Post a Comment