ଓଡ଼ିଶାରେ ବାର ମାସରେ ତେର ପର୍ବ। ପ୍ରତ୍ୟେକଙ୍କ ଘରେ ସବୁ ମାସରେ କିଛି ନା କିଛି ପୂଜା ଉପାସନା କରାଯାଇଥାଏ। ଏହି କ୍ରମରେ ଖୁଦରକୁଣୀ ହେଉଛି ଏକ ଓଷା ଯାହାକୁ କୁମାରୀମାନେ ଭାଦ୍ରବ ମାସର ପ୍ରତି ରବିବାରେ ଜଗତ ଜନନୀ ମା’ ମଙ୍ଗଳାଙ୍କୁ ଆରାଧନା କରନ୍ତି। ଆଉ ଚଳିତ ବର୍ଷ ଆଜିଠାରୁ ଆରମ୍ଭ ହୋଇଛି ଖୁଦରକୁଣୀ ଓଷା। ଏଥିପାଇଁ ଚଳଚଞ୍ଚଳ ଓ ଉତ୍ସବ ମୁଖରିତ ହୋଇଉଠିଛି ପୁରପଲ୍ଲୀ। କୁମାରୀମାନେ ଖୁଦରକୁଣୀ ଓଷାକୁ ମଙ୍ଗଳମୟୀ ମା’ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥା’ନ୍ତି। ବହୁତ ଭକ୍ତିଭାବର ସହ ଏ ପୂଜା କରାଯାଇଥାଏ।
ଭଉଣୀମାନେ ନିଜ ଭାଇର ନିରାମୟ ଜୀବନ, ଉଜ୍ଜ୍ୱଳ ଭବିଷ୍ୟତ ଓ ଦୀର୍ଘାୟୁ କାମନା କରି ମଙ୍ଗଳମୟୀ ମା’ ମଙ୍ଗଳାଙ୍କ ନିକଟରେ ପୂଜା କରିଥା’ନ୍ତି। ମଙ୍ଗଳାଙ୍କର ବିଗ୍ରହକୁ ଏଥିରେ ପୂଜାର୍ଚ୍ଚନା କରାଯାଇଥାଏ। ବଢ଼ି ଭୋରରୁ କୁମାରୀ ଝିଅମାନେ ସାଙ୍ଗ ହୋଇ ନଦୀକୁ ସ୍ନାନ ପାଇଁ ଯାଆନ୍ତି। ସେଠାରେ ସ୍ନାନାଦି ନିତ୍ୟକର୍ମ ସାରି ବାଲୁକା ସ୍ଥାପନ କରି ନିଜ ଭାଇମାନଙ୍କ ମଙ୍ଗଳ କାମନା କରି ଆରାଧନା କରିଥାଆନ୍ତି। ପରେ ଯେଝା ଘରକୁ ଯେ ଲେଉଟି ଆସିଥାନ୍ତି। ପରେ ମଙ୍ଗଳାଙ୍କର ବିଗ୍ରହ ନିକଟରେ ରଙ୍ଗ ବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ। ଫୁଲରେ ତୋରଣ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାସଜାରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ ।
ପୂଜା ବେଳେ ଝିଅମାନେ ଗୀତ ବୋଲିଥାନ୍ତି। ଏଥିରେ ଝିଅମାନେ ତଅପୋଇ ଗୀତ ଗାଇଥାନ୍ତି। ଖୁଦୁରୁକୁଣୀ ପୁସ୍ତକରେ ସାଧବ ଝିଅର ଦୟନୀୟ କାହାଣୀ, ଭାଉଜମାନଙ୍କର ଦୂରାଚାର, ସାନ ଭାଉଜଙ୍କ ଦୟା ଓ ତଅପୋଇର ଉଦ୍ଧାର ଆଦି ରହିଛି। ବହି ପଢ଼ା ସରିବା ପରେ ମା’ଙ୍କ ପାଖରେ ନଡ଼ିଆ, କଦଳୀ,ଉଖୁଡ଼ା, ଖୁଦ, ପିଠା, ମିଠା ଆଦି ବିଭିନ୍ନ ପ୍ରକାର ଭୋଗ ଲଗାଯାଇଥାଏ। ପୂଜା ସରିବା ପରେ କୁମାରୀ ମାନେ ଏହି ଭୋଗକୁ ସମସ୍ତ ଦିଅନ୍ତି ଓ ନିଜେ ମଧ୍ୟ ଖାଇଥାନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/i3REKIt
No comments:
Post a Comment