ପିଲାଙ୍କ ପାଇଁ ବାପାମା’ ସୁରକ୍ଷା ପ୍ରାଚୀର ସଦୃଶ। ଜୀବନରେ ଆସୁଥିବା ସମସ୍ତ ଝଡ଼ଝଞ୍ଜାରୁ ବାପାମା’ ହିଁ ପିଲାଙ୍କୁ ବଞ୍ଚାଇଥାନ୍ତି। ହେଲେ ଜଣେ ଅସହାୟ ବାପା ନିଜେ ପଡ଼ିଥିବା ସମସ୍ୟାରୁ ମୁକୁଳିବା ପାଇଁ ଗାଁ ଦାଣ୍ଡରେ ନିଜ ପୁଅକୁ ସେଲ୍ରେ ଲଗାଇଦେଲେ । ଏପରିକି ୬ରୁ ୮ ଲକ୍ଷ ଦେଇ ମୋର ୧୧ ବର୍ଷର ପୁଅକୁ ନେଇ ଯାଅ ବୋଲି ବି ଡାକ ଛାଡ଼ିଲେ। ଉତ୍ତରପ୍ରଦେଶର ଆଲିଗଡ଼ରେ ଏପରି ଏକ ବିଚଳିତ କରିବା ପରି ଘଟଣା ଘଟିଛି।
ଏହି ଘଟଣା ଆଲିଗଡ଼ର ଅସଦପୁର କୟାମ ଅଞ୍ଚଳରେ ଘଟିଛି। ବ୍ୟକ୍ତିଜଣକ ଇ- ରିକ୍ସା ଚଳାଇ ନିଜ ପରିବାର ପେଟ ପୋଷନ୍ତି। ପରିବାର କହିଲେ ପତ୍ନୀ, ପୁଅ ଓ ଝିଅ । କିଛି ମାସ ପୂର୍ବେ ଏକ ଜମି କିଣିବା ନିମନ୍ତେ ସେ ଜଣଙ୍କ ନିକଟରୁ ୫୦ ହଜାର ଟଙ୍କା ଧାର ନେଇଥିଲେ। ମାତ୍ର କିଛି ଦିନ ପରେ ଧାର ଦେଇଥିବା ବ୍ୟକ୍ତିଜଣକ ହଇରାଣ କରିବାକୁ ଆରମ୍ଭ କଲେ। ସେ ଜମିର କାଗଜପତ୍ର ନେଇଯିବା ସହ ଇ-ରିକ୍ସାକୁ ବି ନେଇଗଲେ। ଏପରିକି ଜମିର କାଗଜପତ୍ରକୁ ବ୍ୟାଙ୍କରେ ବନ୍ଧା ପକାଇ ତା’ ଉପରେ ଲୋନ୍ ଉଠାଇନେଲେ।
ଏହା ଦେଖି ପୀଡ଼ିତ ପରିବାର ବିଚଳିତ ହୋଇଯାଇଥିଲେ। ଏହାପରେ ବି ସୁଧମୂଳ ମିଶି ଆହୁରି ବହୁ ଟଙ୍କାର ବୋଝ ତଳେ ସେ ଚାପି ହୋଇଗଲେ। ଶେଷରେ ଏଥିରୁ ମୁକୁଳିବାକୁ ତଥା ପତ୍ନୀ ଓ ଝିଅ ମୁହଁରେ ଆହାର ଦେବାକୁ ସେ ନିଜ ପୁଅକୁ ବିକିବାକୁ ସ୍ଥିର କଲେ।
ଏହାପରେ ସମସ୍ତ ପରିବାର ଗାଁ ମଝିରେ ବସିବା ସହ ବ୍ୟକ୍ତିଜଣକ ନିଜ ବେକରେ ଏକ କାଗଜ ପକାଇ ନିଜ ପୁଅକୁ ବିକିବାକୁ ଚାହୁଁଥିବା ଲେଖିଥିଲେ। ସେ ଲେଖିଥିଲେ, ମୁଁ ମୋ ପୁଅକୁ ବିକିବାକୁ ଚାହୁଁଛି। ମୋ’ ପୁଅର ଦାମ୍ ୬ରୁ ୮ ଲକ୍ଷ ଟଙ୍କା। ଏହି ଟଙ୍କାରେ ସେ ନିଜକୁ କରଜମୁକ୍ତ କରିବା ସହ ଝିଅର ଭବିଷ୍ୟତ ପାଇଁ କିଛି ଟଙ୍କା ରଖିପାରିବେ ବୋଲି ବ୍ୟକ୍ତିଜଣକ କୋହଭରା କଣ୍ଠରେ କହିଛନ୍ତି।
ସୂଚନା ପାଇ ପୁଲିସ୍ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ଘଟଣାର ଆପୋଷ ସମାଧାନ କରିଛି। ଧୀରେ ଧୀରେ ସମସ୍ତ ଧାର ଟଙ୍କା ଶୁଝିଦେବାକୁ ପୀଡ଼ିତ ପ୍ରତିଶ୍ରୁତି ଦେବା ପରେ ବିବାଦର ସମାଧାନ ହୋଇଥିଲା। ଏହାପରେ ପୀଡ଼ିତ ନିଜ ପୁଅକୁ ଧରି ଘରକୁ ଫେରିଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/8na10zh
No comments:
Post a Comment