ସିକିମରେ ହୋଇଥିବା ବାଦଲଫଟା ବର୍ଷା ଯୋଗୁ ଫ୍ଲାସଫ୍ଲଡ ହୋଇ ୧୪ ଜୀବନ ଚାଲି ଗଲାଣି। ସେନାର ୨୩ ଯବାନ ନିଖୋଜ ହୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ସେନାର ୨୨ ଯବାନଙ୍କ ସମେତ ସମୁଦାୟ ୧୦୨ ଜଣ ଏହି ପ୍ରବଳ ବନ୍ୟାରେ ନିଖୋଜ ଥିବା ଜଣାଯାଇଛି। ଏନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କୁ ଖୋଜିବାକୁ ତୀସ୍ତା ନଦୀରୁ ପଶ୍ଚିମ ବଙ୍ଗ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଛି।
ଗତ ମଙ୍ଗଳବାର ବିଳମ୍ବିତ ରାତିରେ ସିକିମରେ ହୋଇଥିବା ବାଦଲଫଟା ବର୍ଷା ଯୋଗୁ ମଙ୍ଗନ, ଗ୍ୟାଙ୍ଗଟକ, ପାକଯୋଙ୍ଗ, ନାମଚୀ ଜିଲ୍ଲାରେ ବହୁ କ୍ଷତି ଘଟିଛି। ଏହି ସମୟରେ ଉତ୍ତର ସିକିମର ଲୋନିକ ହ୍ରଦରେ ଜଳସ୍ତର ୧୫ ମିଟର ପର୍ଯ୍ୟନ୍ତ ଉଠି ଯାଇଥିଲା। ପାଣିର ସ୍ରୋତ ବଢ଼ିବାରୁ ଫ୍ଲାସଫ୍ଲଡ ହୋଇ ବହୁ ସେନା ପ୍ରତିଷ୍ଠାନ, ଯାନବାହନ ଭାସି ଯାଇଛି। ଏଥିରେ ସେନାର ୨୩ ଯବାନ ବି ନିଖୋଜ ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୨ ଜଣଙ୍କ ପତ୍ତା ମିଳୁନି । ଉଦ୍ଧାର ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଏଥିସହ ସାଧାରଣ ଲୋକଙ୍କୁ ମିଶାଇ ସମୁଦାୟ ୧୦୨ ଜଣଙ୍କ ପତ୍ତା ମିଳି ପାରୁନି।
ସିକିମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଯୋଗୁ ପ୍ରାୟ ୩ ହଜାର ପର୍ଯ୍ୟଟକ ରାଜ୍ୟରେ ଫସି ରହିଥିବା ରାଜ୍ୟର ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ବନ୍ୟା ଆସିବା ସମୟରେ ଚୁଙ୍ଗଥାଙ୍ଗସ୍ଥିତ ତେଷ୍ଟା ଡ୍ୟାମରେ କାର୍ଯ୍ୟରତ ଥିବା ବହୁ କର୍ମଚାରୀ ଫସି ରହିଥିବା ଜଣାଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ହେତୁ ୧୪ଟି ବ୍ରିଜ ଭାସି ଯାଇଛି।
ସିକିମରେ ପ୍ରକୃତିର ଏହି ତାଣ୍ଡବ ଦେଖି ସମସ୍ତେ ଭୟଭୀତ ହୋଇ ଯାଇଥିବା ବେଳେ ଏହାର ମୁକାବିଲା କରିବାକୁ କ୍ୟାବିନେଟ ସଚିବ ରାଜୀବ ଗୌୱାଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ବୈଠକ ବସିଥିଲା। ଏହି ବୈଠକରେ ସିକିମ ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିବା ବେଳେ ସିକିମର ମୁଖ୍ୟ ଶାସନ ସଚିବ ଗ୍ରାଉଣ୍ଡ ଜିରୋ ରିପୋର୍ଟ ପ୍ରଦାନ କରିଥିଲେ।
ଏହି ଦୁର୍ବିପାକର ମୁକାବିଲା ସହ ପୀଡ଼ିତଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ନିମନ୍ତେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏଥିସହ NDRF ର ୩ଟି ଟିମ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଥିବା ବେଳେ ଗୌହାଟି ଓ ପାଟଣାରେ ବି ଟିମ୍ ମୁତୟନ କରାଯାଇଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବାୟୁ ସେନା ଓ ସେନାର ଯବାନଙ୍କୁ ସିକିମରେ ମୁତୟନ କରାଯାଇଛି।
ଏହି ପ୍ରାକୃତିକ ଦୁର୍ବିପାକ ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମଙ୍ଗଙ୍କ ସହ ଆଲୋଚନା କରି ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରବଳ ବନ୍ୟା ହେତୁ ବହୁ ଉଚ୍ଚ ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକ ବି ଫସି ରହିଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତା, ବିଜୁଳି ଆଦି ସେବାକୁ ଯୁଦ୍ଧକାଳୀନ ଭିତ୍ତିରେ ପୁନଃ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/t8MZkU5
No comments:
Post a Comment