ବାଦଲଫଟା ବର୍ଷାରେ ସିକିମରେ ସୃଷ୍ଟି ହୋଇଛି ପ୍ରଳୟଙ୍କରୀ ବନ୍ୟା। ସିକିମର ଏହି ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିଲେ ୨୩ ଯବାନ। ଜଣେ ଯବାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୨ ଜଣ ଏବେ ବି ନିଖୋଜ ଅଛନ୍ତି। ଏହି ନିଖୋଜ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଶାର ଥିବା ସୂଚନା ରହିଛି। ନିଖୋଜ ଓଡ଼ିଶା ଯବାନ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଢ଼ିପ ଗାଁର ସରୋଜ କୁମାର ଦାସ।
ସରୋଜ ଭାସିଯାଇଥିବା ଖବର ପାଇବା ପରେ ତାଙ୍କ ପରିବାର ଚିନ୍ତିତ ଅଛନ୍ତି। ଏବେବି ତାଙ୍କର କୌଣସି ପତ୍ତା ମିଳିନାହିଁ। ମଙ୍ଗଳବାର ରାତି ୧୦ଟାରେ ନିଜ ଭାଇ ମନୋଜଙ୍କ ସହ ଫୋନରେ କଥା ହୋଇଥିଲେ ସରୋଜ। ପ୍ରବଳ ବର୍ଷା ହେଉଛି ଏବଂ ସେ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଛନ୍ତି ବୋଲି କହିଥିଲେ। ତେବେ ଏହାର ଦେଢ଼ ଘଣ୍ଟା ପରେ ଘରକୁ ଖବର ଆସିଥିଲା ଯେ, ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ଅନ୍ୟ ୨୩ ଯବାନ ଭାସିଯାଇଛନ୍ତି ।
ସରୋଜ ୨୦୧୨ରେ ସେନାରେ ଯୋଗ ଦେଇଥିଲେ। ହାବିଲଦାର ଭାବେ ସିକିମରେ ଟ୍ରେନିଂରେ ଥିଲେ ସରୋଜ । କ୍ୟାମ୍ପକୁ ଫେରୁଥିବା ବେଳେ ବନ୍ୟାରେ ଭାସିଯାଇଥିଲେ ସରୋଜ ଏବଂ ସାଥି ସେନା ଯବାନ ।
ଶେଷଥର ପାଇଁ ଗତ ମାସେ ତଳେ ରାକ୍ଷୀ ପୂର୍ଣ୍ଣିମାକୁ ରାକ୍ଷୀ ବାନ୍ଧିବାକୁ ଆସିଥିଲେ ସରୋଜ । ଭଉଣୀ ହାତରେ ରାକ୍ଷୀ ବାନ୍ଧି ସେପ୍ଟେମ୍ବର ମାସ ୪ ତାରିଖ ଦିନ ଘରୁ ଫେରିଯାଇ ସିକିମରେ ସେନାରେ ଯୋଗ ଦେଇଥିଲେ ।
ସରୋଜ ୭ ମାସ ତଳେ ବିବାହ କରିଥିଲେ। ହେଲେ ସେ ନିଖୋଜ ଥିବା ଖବର ପାଇବା ପରେ ଘରେ ସମସ୍ତେ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି। ସରୋଜଙ୍କ ବାପା, ମାଆ, ଭାଇ ଓ ନବବିବାହିତା ପତ୍ନୀଙ୍କ ଆଖିରୁ ନିଦ ହଜିଯାଇଛି।
ପ୍ରଳୟ ଙ୍କରୀ ବନ୍ୟାରେ ନିଖୋଜ ଥିବା ୨୩ ଯବନାଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି। ଯବାନଙ୍କ ଜଣଙ୍କ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସରୋଜ ସହ ଆହୁରି ୨୧ ଯବାନଙ୍କ ପତ୍ତା ମିଳିନାହିଁ। ଉଦ୍ଧାର ଲାଗି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
ମଙ୍ଗଳବାର ବିଳମ୍ବିତ ରାତିରେ ବାଦଲଫଟା ବର୍ଷା ଯୋଗୁଁ ସିକିମରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ସିଙ୍ଗତାମ ନିକଟରେ ଉଦ୍ଧାରକାର୍ଯ୍ୟ ବେଳେ ତିସ୍ତା ନଦୀ ନିକଟରେ ଥିବା ବହୁ ସେନା ଗାଡ଼ି ଭାସିଯାଇଥିଲା।.
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Og3XER7
No comments:
Post a Comment