ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ଆଜି ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ।
ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବା ସହ ରାଇରଙ୍ଗପୁରରୁ ୩ଟି ନୂଆ ଟ୍ରେନର ସେ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ମାଟିର ଝିଅକୁ ସ୍ୱାଗତ କରିବା ପାଇଁ ସାଧବ ବୋହୁ ପରି ସଜେଇ ହୋଇଛି ବାରିପଦା ଓ ରାଇରଙ୍ଗପୁର।
ଆଜି ନୂଆଦିଲ୍ଲୀରୁ ବାହାରି ପ୍ରଥମେ ପଶ୍ଚିମବଙ୍ଗ କଲେଇକୁଣ୍ଡା ବାୟୁସେନା ବିମାନଘାଟିରେ ଅବତରଣ କରିବ ମ୍ୟାଡମ ପ୍ରେସିଡେଣ୍ଟଙ୍କ ବିମାନ। ସେଠୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଦିନ ୧୧ଟାରେ ବାରିପଦାରେ ଓହ୍ଲାଇବେ ଦେଶର ପ୍ରଥମ ନାଗରିକ। ସେଠାରୁ ସିଧା ଯିବେ ସହିଦ ସ୍ମୃତି ଭବନ। ସେଠି ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ।
କିଛି ସମୟ ବାରିପଦା ସର୍କିଟ୍ ହାଉସରେ ବିଶ୍ରାମ ନେବା ପରେ ଅପରାହ୍ନ ୨ଟା୩୫ରେ କୁଳିଅଣାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲୋକର୍ପଣ କରିବେ। ସେଠୁ ରାଇରଙ୍ଗପୁର ଯିବେ। ଆସନ୍ତାକାଲି ରାଇରଙ୍ଗପୁରରୁ ରାଷ୍ଟ୍ରପତି ୩ଟି ନୂଆ ଟ୍ରେନ୍ର ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି।
ଆସନ୍ତାକାଲି ବାଦାମପାହାଡ଼ରୁ ରାଇରଙ୍ଗପୁର ଟ୍ରେନ୍ ଯାତ୍ରାବେଳେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି। ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ ପ୍ରମୁଖ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତି ହେବା ପରେ ଦ୍ୱିତୀୟ ଥର ପାଇଁ ରାଇରଙ୍ଗପୁର ଯାଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଠି ବି କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବେ ଓ ନିଜ ମହୁଲଡିହା ବାସଭବନରେ ରାତ୍ରୀଯାପନ କରିବେ।
ମଙ୍ଗଳବାର ଶାଶୁଘର ପାହାଡ଼ପୁରରେ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କରିବାପରେ ସ୍ୱାମୀ ଏବଂ ଦୁଇ ପୁଅଙ୍କ ସ୍ମୃତିରେ ଚାଲିଥିବା ଆବାସିକ ସ୍କୁଲରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେହିପରି ରାଇରଙ୍ଗପୁରରେ ପୋଷ୍ଟାଲ ଡିଭିଜନକୁ ଉଦଘାଟନ କରିବେ ରାଷ୍ଟ୍ରପତି। ଯାହାଦ୍ୱାରା ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ଟି ବ୍ଲକର ଲକ୍ଷ ଲକ୍ଷ ଲୋକଙ୍କୁ ଆଉ ୧୦୦ କିଲୋମିଟର ଅତିକ୍ରମ କରି ବାରିପଦା ଆସିବାକୁ ପଡିବନି। ତେଣୁ ସମଗ୍ର ମୟୂରଭଞ୍ଜ ଜିଲ୍ଲାବାସୀ ମହାମହିମଙ୍କୁ ଆସିବା ବାଟକୁ ଉତ୍କଣ୍ଠାରେ ଅପେକ୍ଷା କରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Q5V8zWw
No comments:
Post a Comment