ଯାତ୍ରୀବାହୀ ବସ୍ରେ ଲାଗିଲା ନିଆଁ। ଫଳରେ ଜୀଅନ୍ତା ଜଳିଗଲେ ୨ ଯାତ୍ରୀ। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି। ଗତକାଲି ଜୟପୁରରୁ ଦିଲ୍ଲ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍ରେ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ଥିବା ଜଣାଯାଇଛି।
ପ୍ରାୟ ୩୫ରୁ ୪୦ ଶ୍ରମିକଙ୍କୁ ଧରି ବସ୍ଟି ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଗୁରୁଗ୍ରାମରେ ଏହି ଦୁର୍ଘଟଣା ଘଟିଛି। ହଠାତ୍ ଚଳନ୍ତା ବସ୍ରେ ନିଆଁ ଲାଗିବାରୁ ଯାତ୍ରୀମାନେ ବସ୍ରୁ ବାହାରି ପାରି ନ ଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ବସ୍ର ପଛପଟେ ପ୍ରଥମେ ନିଆଁ ଲାଗିଥିବା ବେଳେ ତାହା କ୍ଷୀପ୍ର ବେଗରେ ଚାରି ପଟକୁ ବ୍ୟାପି ଯାଇଥିଲା। ଏହାଦେଖି ବସ୍ରେ ଥିବା ଯାତ୍ରୀମାନେ ରକ୍ଷା ପାଇବା ପାଇଁ ଆକୁଳ ଚିତ୍କାର କରିଥିଲେ। ଏପରିକି ବହୁ ଯାତ୍ରୀ କାଚ ଭାଙ୍ଗି ବାହାରକୁ ଡେଇଁ ପଡ଼ିଥିଲେ।
ଘଟଣାସ୍ଥଳରେ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ବସ୍ରୁ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ବହୁ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ବସ୍ରୁ ନିଆଁ ଲିଭାଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ସେତେବେଳକୁ ୨ ଜଣ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ହରିୟାଣାର ଆଡିସନାଲ ପୁଲିସ୍ କମିଶନର ବରୁଣ ଦାହିୟା ସୂଚନା ଦେଇଛନ୍ତି।
ବସ୍ରେ କିଛି ଗ୍ୟାସ୍ ସିଲିଣ୍ଡର ଥିବା ବେଳେ ଉକ୍ତ ସିଲିଣ୍ଡର ଫାଟି ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଦୁର୍ଘଟଣା କାରଣରୁ ଦିଲ୍ଲୀ- ଜୟପୁର ହାଇୱେରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲ। ଦୀର୍ଘ ସମୟ ଧରି ଗାଡ଼ିଗୁଡ଼ିକ ଲମ୍ବା ଲାଇନ୍ ଲାଗିଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/o0BmjWv
No comments:
Post a Comment