ମହମ୍ମଦ ଆଝାରୁଦ୍ଦିନ, ରାହୁଲ ଡ୍ରାଭିଡ, ବୀରେନ୍ଦ୍ର ସେହୱାଗ ଓ ମହେନ୍ଦ୍ର ସିଂହ ଧୋନି ଯାହା କରି ପାରି ନଥିଲେ, ସେକଥା କରି ଦେଖାଇଛନ୍ତି କେଏଲ ରାହୁଲ। ବିରାଟ କୋହଲିଙ୍କ ପରେ କେଏଲ ରାହୁଲଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାରେ କୌଣସି ଦିନିକିଆ ସିରିଜ ଜିତିଛି ଟିମ ଇଣ୍ଡିଆ।
ଦୁଇ ଦେଶ ମଧ୍ୟରେ ୩୧ ବର୍ଷ ଧରି ଦିନିକିଆ ସିରିଜ ଖେଳା ଯାଉଥିଲେ ହେଁ ଦକ୍ଷିଣ ଆଫ୍ରିକାକୁ ତା’ରି ମାଟିରେ ଭାରତ ଦ୍ୱିତୀୟ ଥର ପାଇଁ ମାତ ଦେଇଛି। ୨୦୧୮ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଇତିହାସ ରଚିଥିଲା। ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକାକୁ ଘରୋଇ ମାଟିରେ ଭାରତ ୫-୧ରେ ହରାଇଥିଲା। ଏବେ ୫ ବର୍ଷ ପରେ କେଏଲ ରାହୁଲଙ୍କ ଟିମ ଇଣ୍ଡିଆ ୨-୧ରେ ଦକ୍ଷିଣ ଆଫ୍ରିକାକୁ ଦିନିକିଆ ସିରିଜରେ ହରାଇଛି।
୨୦୨୨ରେ ମଧ୍ୟ କେଏଲ ରାହୁଲଙ୍କ ନେତୃତ୍ୱରେ ଭାରତ ୩ଟିକିଆ ଦିନିକିଆ ସିରିଜ ଦକ୍ଷିଣ ଆଫ୍ରିକାରେ ଖେଳିଥିଲା। କିନ୍ତୁ ୩ଟି ଯାକ ମ୍ୟାଚ୍ରେ ଦଳକୁ ହାରିବାକୁ ପଡ଼ିଥିଲା। ହେଲେ ଯୁବ ବାହିନୀଙ୍କୁ ନେଇ କେଏଲ ରାହୁଲ ଚମତ୍କାର କରିଛନ୍ତି। ଦକ୍ଷିଣ ଆଫ୍ରିକାକୁ ତା’ରି ମାଟିରେ ଭାରତ ମାତ ଦେଇଛି।
୧୯୯୨ରେ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ଦକ୍ଷିଣ ଆଫ୍ରିକା ସହ ଦିନିକିଆ ସିରିଜ ଖେଳିଥିଲା। ଏହି ସିରିଜରେ ଭାରତ ୨-୫ରେ ହାରିଥିଲା। ଏହାପରେ ୨୦୦୬ରେ ରାହୁଲ ଡ୍ରାଭିଡ ଓ ବୀରେନ୍ଦ୍ର ସେହୱାଗଙ୍କ ନେତୃତ୍ୱରେ ଭାରତ ୦-୪ରେ ହାରିଥିଲା। ୨୦୧୧ରେ ଧୋନିଙ୍କ କ୍ୟାପ୍ଟେନ୍ସିରେ ଦଳକୁ ୨-୩ରେ ହାରିବାକୁ ପଡ଼ିଥିଲା। ୨୦୧୩ରେ ପୁଣିଥରେ ଧୋନିଙ୍କ ନେତୃତ୍ୱରେ ଭାରତ ୦-୨ରେ ହାରିଥିଲା।
କିନ୍ତୁ ୨୦୧୮ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୫-୧ରେ ସିରିଜ ଜିତିଥିଲା। ୨୦୨୨ରେ କେଏଲ ରାହୁଲ କାମଚଳା ଅଧିନାୟକ ଥିଲେ। ଏହି ସମୟରେ ଭାରତ ୦-୩ରେ ହାରିଥିଲା। ଏବେ କେଏଲ ରାହୁଲଙ୍କ କ୍ୟାପ୍ଟେନ୍ସିରେ ଭାରତ ୨-୧ରେ ସିରିଜ ଜିତିଛି।
ତୃତୀୟ ଦିନିକିଆରେ ଭାରତ ୭୮ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥିସହ ୩ ଟିକିଆ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି। ସଞ୍ଜୁ ସାମସନଙ୍କ ପ୍ରଥମ ଶତକ ପରେ ଅର୍ଶଦୀପ ସିଂହଙ୍କ ନେତୃତ୍ୱାଧୀନ ବୋଲିଂ ବାହିନୀର ଦମରେ ଭାରତ ସିରିଜ ଜିତିବାକୁ ସକ୍ଷମ ହୋଇଛି। ପର୍ଲର ବୋଲାଣ୍ଡ ପାର୍କରେ ଖେଳା ଯାଉଥିବା ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୨୯୬ ରନ କରିଥିଲା।
୨୯୭ ରନ୍କୁ ପିଛା କରୁ ଥିବା ଘରୋଇ ଦଳ ୪୫.୫ ଓଭର୍ରେ ସମସ୍ତ ୱିକେଟ ହରାଇ କେବଳ ୨୧୮ ରନ୍ କରିବାକୁ ସକ୍ଷମ ହୋଇଛି। ଅର୍ଶଦୀପ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ଆବେଶ ଖାନ ଓ ୱାଶିଂଟନ ସୁନ୍ଦରଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି। ସେହିପରି ଅକ୍ଷର ପଟେଲ ଓ ମୁକେଶ କୁମାର ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।
ଦ୍ୱିତୀୟ ଦିନିକିଆରେ ଶତକ ହାସଲ କରିଥିବା ଟୋନି ଡି ଜୋର୍ଜି ତୃତୀୟ ଦିନିକିଆରେ ମଧ୍ୟ ୮୧ ରନ କରିଥିଲେ। ହେଲେ ତାଙ୍କୁ ଆଉ କୌଣସି ଦକ୍ଷିଣ ଆଫ୍ରିକା ବ୍ୟାଟର ସାଥ ଦେଇ ନେଇଥିଲେ। ଶେଷରେ ପୂରା ଟିମ ୨୧୮ ରନ କରି ଅଲଆଉଟ ହୋଇଯାଇଥିଲା। ଦିନିକିଆରେ ପ୍ରଥମ ଶତକ ପାଇଁ ସଞ୍ଜୁ ସାମସନ ମ୍ୟାଚ୍ର ଶ୍ରେଷ୍ଠ ଓ ସିରିଜରେ ୧୦ ୱିକେଟ ନେଇଥିବା ଅର୍ଶଦୀପ ସିଂହ ମ୍ୟାନ ଅଫ ଦି ସିରିଜ ସମ୍ମାନ ପାଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/jvEMPOX
No comments:
Post a Comment