ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ଜଣେ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ପୁଲିସ। ଯୁବକ ଜଣଙ୍କ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ। ସେଥିପାଇଁ ନାବାଳିକାଙ୍କ ଦାଦା ଲୋକ ଲଗାଇ ତାଙ୍କୁ ଅପହରଣ କରି ହତ୍ୟା କରିଛନ୍ତି ବୋଲି ପୁଲିସ ସୂଚନା ଦେଇଛି।
ମୃତ ଯୁବକ ଜଣଙ୍କ ହେଲେ ଅନୁଗୋଳ ଜିଲ୍ଲା କୋରଡ଼ା ଗ୍ରାମର ବିକାଶ ବେହେରା। ଏହି ହତ୍ୟାକାଣ୍ଡରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଉଛନ୍ତି ଅନୁଗୋଳ ଜିଲ୍ଲା କଣିହାଁ ଥାନା ଜାମ୍ବୁଯୋଡ଼ି ଗ୍ରାମର ମାମୁଲି ଓରଫ ସଞ୍ଜିଲ ପ୍ରଧାନ (୨୬)। ନାବାଳିକାଙ୍କ ଦାଦା ଓ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି।
ସୂଚନା ଅନୁଯାୟୀ, ବିକାଶର ନିଜ ଗାଁର ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ। ନାବାଳିକାଙ୍କ ପରିଲୋକେ ଏ ସଂପର୍କରେ ଜାଣିବା ପରେ ବିରୋଧ କରିଥିଲେ। ହେଲେ ବିକାଶ କିଛି ଶୁଣି ନଥିଲେ। ପରେ ନାବାଳିକାଙ୍କ ଦାଦା ବିକାଶଙ୍କୁ ରାସ୍ତାରୁ ହଟାଇଦେବାକୁ ଷଡ଼ଯନ୍ତ୍ର ରଚିଥିଲେ। ସେଥିପାଇଁ ସେ ନିଜର ସହଯୋଗୀ ସଞ୍ଜିଲଙ୍କ ସାହାଯ୍ୟ ନେଇଥିଲେ।
ସଞ୍ଜିଲ ଓ ତା’ର ସହଯୋଗୀମାନେ ଗତ ନଭେମ୍ବର ୨୬ ତାରିଖ ରାତି ପ୍ରାୟ ୮ଟା ବେଳେ ବିକାଶଙ୍କୁ ତାଙ୍କ ଗାଁ ପାଣି ଟାଙ୍କି ନିକଟରୁ ଅପହରଣ କରିଥିଲେ। ସେତେବେଳେ ବିକାଶ ମୋବାଇଲ ଫୋନ୍ରେ କାହା ସହିତ କଥା ହେଉଥିଲେ। ଅଭିଯୁକ୍ତମାନେ ବିକାଶଙ୍କୁ ଏକ ଜଙ୍ଗଲକୁ ନେଇ ସେଠାରେ ଏକ ଦଉଡ଼ି ସାହାଯ୍ୟରେ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ସେମାନେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଘୋଡ଼ାଡ଼ିଆଁ ଗ୍ରାମକୁ ନେଇଥିଲେ। ସେଠାରେ ବିକାଶଙ୍କ ମୃତ ଦେହରେ ପଥର ବାନ୍ଧି ଏକ ପୋଖରୀରେ ପକାଇ ଦେଇ ଚମ୍ପଟ ମାରିଥିଲେ।
ବିକାଶ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଜରପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଗତକାଲି ସଞ୍ଜିଲଙ୍କୁ ଗିରଫ କରାଯାଇଥିଲା। ପଚରାଉଉଚରା ବେଳେ ସେ ପୁଲିସ ନିକଟରେ ପୂରା ଘଟଣା ବର୍ଣ୍ଣନା କରିଥିଲେ। ପୁଲିସ ସଞ୍ଜିଲଙ୍କୁ କୋର୍ଟ ଚାଲାଣ କରିଛି।
ପୁଲିସ ଏହି ଘଟଣାରେ ହତ୍ୟାରେ ବ୍ୟବହୃତ ଗାଡ଼ି ଓ ଦଉଡିକୁ ଜବତ କରିଛି। ଏଥିସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିବା ଅନୁଗୋଳ SDPO ସୂଚନା ଦେଇଛନ୍ତି ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/yQFdVYE
No comments:
Post a Comment