ପିକନିକ୍ ସାରି ଖୁସି ମନରେ ଘରକୁ ଫେରୁଥିଲେ ପିଲା। ମାତ୍ର ଅଧା ବାଟରେ ଘଟିଗଲା ଦୁର୍ଘଟଣା। କଲେଜ ପିଲାଙ୍କୁ ଧରି ଯାଉଥିବା ବସ୍ଟି ଆଗରେ ଯାଉଥିବା ଏକ ଟିପ୍ପରକୁ ପିଟି ଦେଇଛି। ଏହି ଦୁର୍ଘଟଣାରେ ସମୁଦାୟ ୧୦ ଜଣ ଆହତ ହୋଇଥିବା ଜଣାଯାଇଛି। ଏପରି ଏକ ଦୁର୍ଘଟଣା ଆଜି ଭୋରରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ୨୦ନଂ ଜାତୀୟ ରାଜପଥର ଧକୋଠା ନିକଟରେ ଘଟିଛି।
ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଏମ ଏନ ଟ୍ୟୁଟରିଆଲର ପ୍ରାୟ ୫୦ରୁ ଅଧିକ ପିଲା ଶ୍ରୀକୁଞ୍ଜ ନାମକ ବସ୍ରେ ବୁଲାବୁଲି କରିବାକୁ ସମ୍ବଲପୁର ଜିଲ୍ଲାର ସମଲେଶ୍ୱରୀ ପୀଠକୁ ଯାଇଥିଲେ। ସେଠାରୁ ସେମାନେ ଗତ ରାତିରେ ବାଲେଶ୍ୱର ଅଭିମୁଖେ ଫେରୁଥିଲେ।
ବସ୍ଟି ଆଜି ସକାଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ୨୦ନଂ ଜାତୀୟ ରାଜପଥର ଧକୋଠା ଅତିକ୍ରମ କରୁଥିଲା। ଉକ୍ତ ସ୍ଥାନରେ ଉଠାଣି ଥିବାରୁ ବସ୍ଟି ସମ୍ମୁଖରେ ଥିବା ଏକ ଟିପ୍ପରକୁ ପିଟି ଦେଇଥିଲା।
ଏହି ଦୁର୍ଘଟଣାରେ ବସ୍ର ସମ୍ମୁକ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି। ଦୁର୍ଘଟଣା ଖବର ପାଇ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଡ୍ରାଇଭରଜଣକ ବସ୍ରେ ଚାପି ହୋଇ ଯାଇଥିବା ବେଳେ ବସ୍ର ସମ୍ମୁଖ ଭାଗକୁ କଟରରେ କାଟିବା ପରେ ତାଙ୍କୁ ବାହାର କରାଯାଇଛି। ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭର, ରୋଷେୟା, ଜଣେ ଶିକ୍ଷକଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି।
ସେମାନଙ୍କ ମଧ୍ୟରୁ ଡ୍ରାଇଭର ଓ ଜଣେ ଶିକ୍ଷକଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ଖବର ପାଇ ବସ୍ ମାଲିକ ପିଲାଙ୍କୁ ନେବା ନିମନ୍ତେ ଅନ୍ୟ ଏକ ବସ୍କୁ ଘଟଣାସ୍ଥଳ ଅଭିମୁଖେ ପଠାଇଥିବା ଜଣାଯାଇଛି। ପୁଲିସ୍ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/QhLi6ad
No comments:
Post a Comment