ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ସୁପରଷ୍ଟାର ତଥା ଡିଏମଡିକେ ଚିଫ୍ କ୍ୟାପଟେନ ବିଜୟକାନ୍ତ ଆଉ ନାହାନ୍ତି। ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।
ଗତ କିଛି ଦିନ ହେଲା ବିଜୟକାନ୍ତ କୋଭିଡ ପଜିଟିଜ ଚିହ୍ନଟ ହୋଇଥିବା ବେଳେ ଆଜି ସକାଳେ ସେ ଆଖି ବୁଜିଥିବା ଜଣାଯାଇଛି। ବିଜୟକାନ୍ତ ଏକାଧାରରେ ତାମିଲନାଡ଼ୁର ଜଣେ ଲୋକପ୍ରିୟ ଅଭିନେତା ହେବା ସହ ପ୍ରମୁଖ ରାଜନେତା ପାଲଟିଥିଲେ। କ୍ୟାପଟେନ ବିଜୟକାନ୍ତଙ୍କ ମୃତ୍ୟୁ ଯୋଗୁ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି।
ଡିଏମଡିକେ ପାର୍ଟି ତରଫରୁ ଜାରି ବିବୃତିରେ କୁହାଯାଇଛି, କିଛି ଦିନ ପୂର୍ବେ କ୍ୟାପଟେନ ବିଜୟକାନ୍ତଙ୍କ କୋଭିଡ ଟେଷ୍ଟ ପଜିଟିଭ ଆସିଥିଲା। ଏହାପରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଗତ ମଙ୍ଗଳବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରେ ରଖା ଯାଇଥିଲା। ମାତ୍ର ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଆଜି ସକାଳୁ ବିଜୟକାନ୍ତଙ୍କ ମୃତ୍ୟୁ ହୋଇଥିବା ମେଡିକାଲ ବୁଲେଟିନରେ ସୂଚନା ଦିଆଯାଇଛି।
ବିଜୟକାନ୍ତ ଜଣେ ଦମଦାର କଳାକାର ଥିବା ବେଳେ ପ୍ରାୟ ୧୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ଏଥିସହ ବହୁ ହିଟ୍ ଫିଲ୍ମ ଦେଇ ସେ ଏବେ ବି ଲୋକଙ୍କ ହୃଦୟରେ ରାଜ କରୁଛନ୍ତି। ଲୋକଙ୍କ ମଧ୍ୟରେ ସେ କ୍ୟାପଟେନ ବିଜୟକାନ୍ତ ନାଁରେ ବେଶ୍ ପରିଚିତ ଥିଲେ।
ଜଣେ ସଫଳ ଅଭିନେତା ହେବା ପରେ ବିଜୟକାନ୍ତ ରାଜନୀତିରେ ପାଦ ଦେଇଥିଲେ। ୨୦୦୫ରେ DMDK ନାଁରେ ସେ ଏକ ରାଜନୈତିକ ଦଳ ଗଠନ କରିଥିଲେ । ୨୦୧୧ ରେ ତାଙ୍କ ଦଳ ୨୬ଟି ଆସନ ଜିତିଥିଲା। ବିଜୟକାନ୍ତ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୦୧୧ରୁ ୨୦୧୬ ମସିହା ପର୍ଯ୍ୟନ୍ତ ତାମିଲନାଡ଼ୁର ବିରୋଧୀ ଦଳ ନେତା ପଦ ସମ୍ଭାଳିଥିଲେ।
ମାତ୍ର କିଛି ବର୍ଷ ହେବ ସ୍ୱାସ୍ଥ୍ୟଗତ ସମସ୍ୟାରୁ ସେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। ଆଜି ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ଏଥିସହ ସମସ୍ତେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/v0Bhd9H
No comments:
Post a Comment