ସୁପ୍ରିମକୋର୍ଟରେ ଅଲୱାର୍‌ ଲିନ୍‌ଚିଂ ମାମଲା:  ହରଡ଼ଘଣାରେ ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ସୁପ୍ରିମକୋର୍ଟରେ ଅଲୱାର୍‌ ଲିନ୍‌ଚିଂ ମାମଲା:  ହରଡ଼ଘଣାରେ ପୁଲିସ୍‌

ଜୟପୁର: ଗୋ-ସୁରକ୍ଷା ନାଁରେ ରାଜସ୍ଥାନର ଅଲୱାର୍‌ରେ ଜଣଙ୍କୁ ପିଟିପିଟି ହତ୍ୟା (ଲିନ୍‌ଚିଂ) କରିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜସ୍ଥାନ ସରକାର ମାନି ନଥିବାରୁ ଏଭଳି ଘଟଣା ଘଟିଛି।  ରାଜସ୍ଥାନ ସରକାର ଅଦାଲତ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି। ତେଣୁ ତାଙ୍କ ବିରୋଧରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଜଣେ ସାମାଜିକ କର୍ମୀ ଆବେଦନ କରିଛନ୍ତି। କୋର୍ଟ ଏହି ଆବେଦନକୁ ଗ୍ରହଣ କରିବା ସହ ଅଗଷ୍ଟ ୨୮ରେ ଏହାର ଶୁଣାଣି କରିବେ ବୋଲି କହିଛନ୍ତି। ଏହି ଘଟଣାରେ ରିପୋର୍ଟ ଦେବାକୁ ଆଜି କେନ୍ଦ୍ର ସରକାର ରାଜସ୍ଥାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଲୋକସଭାରେ ମଧ୍ୟ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଘେରିବାକୁ ଚେଷ୍ଟା କରିଛି। ଗୃହ ବାହାରେ ମଧ୍ୟ କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି।  କଂଗ୍ରେସ ଏଥିପାଇଁ ବିଜେପିକୁ ଦାୟୀ କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି।

ଉଲ୍ଲେଖଯୋଗ୍ୟ, ହରିଆଣାର ରାକବର ଖାଁ ଓରଫ ଆକବର ଓ ତାଙ୍କ ସହଯୋଗୀ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଗାଈ ନେଇ ଯାଉଥିବା ବେଳେ ଅଲୱାର୍‌ର ଲାଲଭାଣ୍ଡି ଜଙ୍ଗଲରେ କିଛି ଲୋକ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଆକବରଙ୍କ ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ଏବେ ସମଗ୍ର ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଅଲୱାର୍‌ ପୁଲିସ୍‌ ହରଡ଼ଘଣାରେ ପଡ଼ିଛି। ଅଲୱାର୍‌ ପୁଲିସ୍‌ର ଦାୟିତ୍ୱହୀନତା ପାଇଁ ଆକବରଙ୍କ ମୃତ୍ୟୁ ଘଟିଛି ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଘଟଣା ଦିନ ଅଲୱାର ପୁଲିସ୍‌କୁ ରାତି ୧୨.୪୧ରେ ଖବର ଦିଆଯାଇଥିଲା। ପୁଲିସ୍‌ ୧.୧୫ରେ ଘଟଣାସ୍ଥଳରେ ପହଞ୍ଚିଥିଲା। ତୁରନ୍ତ ହସ୍ପିଟାଲ୍‌ ନେବା ପରିବର୍ତ୍ତେ ମାଟିରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଆକବର ଓ ତାଙ୍କ ସାଙ୍ଗଙ୍କ ବୟାନ ରେକର୍ଡ କରିଥିଲା। କିନ୍ତୁ ହସ୍ପିଟାଲ୍‌ରେ ପୁଲିସ୍‌ ଆକବର ଓ ତାଙ୍କ ସହଯୋଗୀଙ୍କୁ ଭୋର୍‌ ୪ଟା ବେଳେ ଭର୍ତ୍ତି କରିଥିଲା। ସେତେବେଳକୁ ଆକବରଙ୍କ ମୃତ୍ୟୁ ହୋଇ ସାରିଥିଲା। ଘଟଣାସ୍ଥଳରୁ ଡାକ୍ତରଖାନା ୬ କିମି ହୋଇଥିବା ବେଳେ ପୁଲିସ୍‌ ୩ ଘଣ୍ଟା କ’ଣ କରୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରି ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ ସହ ମିଶି ଆକବର ଓ ତାଙ୍କ ସହଯୋଗୀଙ୍କୁ ମାଡ଼ ମାରିଥିଲା। ପ୍ରଥମେ ସେମାନେ ଗାଈ ଦୁଇଟିକୁ ନିକଟସ୍ଥ ଗୁହାଳକୁ ନେଇଥିଲେ। ପୁଲିସ୍‌ ଭ୍ୟାନ୍‌ରେ କାଳେ ରକ୍ତ ପଡ଼ିବ ସେଥିପାଇଁ ସେମାନେ ଗାଁ ଲୋକଙ୍କୁ କହି ଆକବରଙ୍କୁ ପାଣିରେ ଧୋଇଥିଲେ। ଏପରି କି ତାଙ୍କ କପଡ଼ା ବଦଳାଇବାକୁ ମଧ୍ୟ କହିଥିଲେ। ତାଙ୍କୁ ଥାନାକୁ ନେବା ବେଳେ ପୁଲିସ୍‌ ବାବୁମାନେ ରାସ୍ତାରେ ଚା’ ପିଇଥିଲେ ବୋଲି ସେ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆକବରଙ୍କ ମୃତ୍ୟୁ ୩.୪୦ରେ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଏହି ଘଟଣାକୁ ନେଇ ଅଡ଼ୁଆରେ ପଡ଼ିଛି ଅଲୱାର ପୁଲିସ୍‌। ରାଜସ୍ଥାନ ସରକାର ଏହାକୁ ଗୁରୁତ୍ୱର ସହ ନେଇ ଜୟପୁର ରେଞ୍ଜ୍‌ର ଅତିରିକ୍ତ ଏସ୍‌ପି ବନ୍ଦନା ଭଟ୍ଟିଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ଗଠନ କରିଛନ୍ତି। ଏହି ଟିମ୍‌ ଘଟଣାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବ।



from OdishaReporter https://ift.tt/2JJjUdn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages