
ଇସଲାମାବାଦ: ଭ୍ରଷ୍ଟାଚାର ମାମଲାରେ ଜେଲ୍ଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ପ୍ରଧୀନମନ୍ତ୍ରୀ ନୱାଜ ଶରିଫ୍ ଗୁରୁତର ଅସୁସ୍ଥ। ଜେଲ୍ରେ ଥିବା ସମୟରେ ସେ ରବିବାର ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତରଙ୍କ କହିବା କଥା, ନୱାଜ୍ ଶରିଫଙ୍କ କିଡ୍ନୀ ଫେଲ୍ ହେବା ଅବସ୍ଥାକୁ ଆସିଗଲାଣି। ତେଣୁ ତାଙ୍କୁ ତୁରନ୍ତ ମେଡିକାଲ୍ ନେବାକୁ ପଡ଼ିବ। ହେଲେ ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ଏଯାଏ ନୱାଜଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ନାହିଁ। ପ୍ରଥମେ ପାକିସ୍ତାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସର ଏକ ଟିମ୍ ନୱାଜଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ ଓ ପରେ ତାଙ୍କୁ ଡାକ୍ତରଖାନାକୁ ପଠାଯିବ କି ନାହିଁ ତା’ର ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ସେପଟେ ରାୱଲପିଣ୍ଡି ଇନ୍ଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜିର ମୁଖ୍ୟ ଡାକ୍ତର ଅଜହର କିୟାନୀ ତୁରନ୍ତ ନୱାଜଙ୍କୁ ଡାକ୍ତରଖାନା ନେବାକୁ ନିବେଦନ କରିଛନ୍ତି।
ମିଳିଥିବା ରିପୋର୍ଟ ଅନୁଯାୟୀ, ଶରିଫଙ୍କ ପରିଶ୍ରାରେ ନାଇଟ୍ରୋଜେନ୍ର ମାତ୍ରା ବଢ଼ିଯାଇଛି ଓ ତାଙ୍କର ଅନେକ ଝାଳ ବାହାରୁଛି। ଫଳରେ ଶରୀରରେ ପାଣିର ମାତ୍ରା କମିବାରୁ ତାଙ୍କୁ ଡିହାଇଡ୍ରେସନ୍ ହୋଇଯାଇଛି। କେବଳ ଏତିକି ନୁହେଁ ତାଙ୍କର ହୃଦୟର ଗତି ମଧ୍ୟ ଧୀର ହୋଇଯାଇଛି ବୋଲି କୁହାଯାଉଛି। ଚର୍ଚ୍ଚା ହେଉଛି ଯେ ଜେଲ୍ରେ ମିଳୁଥିବା ଖାଦ୍ୟ ଯୋଗୁ ଶରିଫଙ୍କ ପରିଶ୍ରାରେ ନାଇଟ୍ରୋଜେନ୍ର ମାତ୍ରା ବଢ଼ିଛି।
ସୂଚନାଯୋଗ୍ୟ ଯେ ଭ୍ରଷ୍ଟାଚାର ମାମଲାରେ ନୱାଜଙ୍କୁ ୧୦ ବର୍ଷ ଏବଂ ଝିଅ ମରିୟାମଙ୍କୁ ୭ ବର୍ଷ ଜେଲ ଦଣ୍ଡ ହୋଇଛି। ଜୁଲାଇ ୧୩ରେ ଉଭୟ ବାପା-ଝିଅ ଲଣ୍ଡନରୁ ଆସି ଲାହୋରରେ ପହଞ୍ଚିବା ପରେ ବିମାନବନ୍ଦରରୁ ସେମାନଙ୍କୁ ଗିରଫ କରାଯାଇଥିଲା।
from OdishaReporter https://ift.tt/2NILcTz
No comments:
Post a Comment