
ନୂଆଦିଲ୍ଲୀ: ସିଂହାସନ ଲୋଭ, ଜିଦ୍ ଓ ନାରୀର ଅପମାନ ଭଳି କେତେକ କାରଣରୁ ପାଣ୍ଡବ ଓ କୌରବଙ୍କ ମଧ୍ୟରେ ମହାଭାରତ ଯୁଦ୍ଧ ହୋଇଥିଲା। ଜମି ଓ ରାଜ୍ୟ ବିଭାଜନ ମଧ୍ୟ ଏହି ଭୟଙ୍କର ଯୁଦ୍ଧର ଅନ୍ୟତମ ମୁଖ୍ୟ କାରଣ ଥିଲା। ଜମି ଲୋଭରେ କୌରବମାନେ ପାଣ୍ଡବଙ୍କ ପାଇଁ ଅନେକ ଷଡ଼ଯନ୍ତ୍ର ରଚିଥିଲେ। ସେମାନଙ୍କୁ ମାରିଦେବା ପାଇଁ ମଧ୍ୟ ଚେଷ୍ଟା କଲେ। ବିନା ଯୁଦ୍ଧରେ ସୂଚ୍ୟାଗ୍ରେ ମେଦିନୀ ନ ଦେବାକୁ ଜିଦ୍ ଧରିଥିଲେ ଦୁର୍ଯ୍ୟୋଧନ। ତଥାପି ଯୁଦ୍ଧ ଚାହୁଁ ନ ଥିଲେ ପାଣ୍ଡବଙ୍କ ଜ୍ୟେଷ୍ଠ ଭ୍ରାତା ଯୁଧିଷ୍ଠିର। ସେଥିପାଇଁ ସେ ଶ୍ରୀକୃଷ୍ଣଙ୍କୁ ଶାନ୍ତିଦୂତ ଭାବେ ପଠାଇ ଦୁର୍ଯ୍ୟୋଧନଙ୍କୁ ୫ଟି ଗାଁ ମାଗିଥିଲେ। ଦୁର୍ଯ୍ୟୋଧନ ଯଦି ଏହି ୫ ଟି ଗାଁ ଦେବାକୁ ରାଜି ହୋଇଯାଇ ଥାନ୍ତେ, ତେବେ ଇତିହାସର ସବୁଠାରୁ ବଡ଼ ଯୁଦ୍ଧ ଟଳିଯାଇଥାନ୍ତା। ଶେଷରେ ଦୁର୍ଯ୍ୟୋଧନଙ୍କ ଜିଦ୍ ଯୋଗୁଁ ମହାଭାରତ ଯୁଦ୍ଧ ହେଲା। ଏଥିରେ ଅନେକ ବୀର ନିହତ ହେଲେ ଓ କୌରବ ବଂଶ ନାଶ ହେଲା।
ଆଜି ବି ଲୋକମାନଙ୍କ ମଧ୍ୟରେ ମହାଭାରତ ଯୁଦ୍ଧକୁ ନେଇ ଅନେକ ଜିଜ୍ଞାସା ଭରି ରହିଛି। ଯୁଦ୍ଧ କେଉଁଠି ହୋଇଥିଲା, ଦୁର୍ଯ୍ୟୋଧନ କେଉଁଠି ଲୁଚିଥିଲେ ଇତ୍ୟାଦି। ମହାଭାରତରେ ଉଲ୍ଲେଖ ଥିବା ସମସ୍ତ ଅଞ୍ଚଳ ବିଷୟରେ ଜାଣିବାକୁ ଲୋକଙ୍କ ଆଗ୍ରହ ରହିଛି। ଶ୍ରୀକୃଷ୍ଣ ମାଗିଥିବା ସେହି ୫ଟି ଗାଁ ଆଜି ବି ରହିଛି। କିନ୍ତୁ ସମୟ ପରିବର୍ତ୍ତନ ସହିତ ସେହି ସ୍ଥାନ ଗୁଡ଼ିକର ଅନେକ କିଛି ପରିବର୍ତ୍ତନ ମଧ୍ୟ ହୋଇଛି। ଗାଁଗୁଡ଼ିକରେ ନାଁ ବି ବଦଳିଛି। ଆସନ୍ତୁ ଜାଣିବା କେଉଁଠି ଅଛି ସେହି ୫ଟି ଗାଁ।
ଇନ୍ଦ୍ରପ୍ରସ୍ଥ: ଦିଲ୍ଲୀର ଦକ୍ଷିଣାଞ୍ଚଳକୁ ଇନ୍ଦ୍ରପ୍ରସ୍ଥ ବୋଲି କୁହାଯାଏ। ମହାଭାରତର କଥାବସ୍ତୁ ଅନୁସାରେ, ଜମି ବିବାଦକୁ ନେଇ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ମନାନ୍ତର ଆରମ୍ଭ ହେଲା। ଏହା ଦେଖି ଧୃତରାଷ୍ଟ୍ର ଯମୁନା ନଦୀ କୂଳରେ ଥିବା ଖାଣ୍ଡବପ୍ରସ୍ଥ ଅଞ୍ଚଳକୁ ପାଣ୍ଡବଙ୍କୁ ଦେଇ ତାଙ୍କୁ ରାଜ୍ୟରୁ ଅଲଗା କରି ଦେଇଥିଲେ। ଏହି ଅଞ୍ଚଳଟି ସମ୍ପୂର୍ଣ୍ଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ପାଣ୍ଡବମାନେ ରାବଣଙ୍କ ଶ୍ୱଶୁର ତଥା ମହାନ ଶିଳ୍ପୀ ମାୟାସୁରଙ୍କ ସହାୟତାରେ ଏଠାରେ ଏକ ଭବ୍ୟ ନଗରୀ ନିର୍ମାଣ କରିଥିଲେ ଓ ଏହାର ନାମ ଇନ୍ଦ୍ରପ୍ରସ୍ଥ ରଖିଥିଲେ।
ବ୍ୟାଘ୍ରପ୍ରସ୍ଥ: ବ୍ୟାଘ୍ରପ୍ରସ୍ଥର ଅର୍ଥ ହେଉଛି ବାଘଙ୍କ ରହିବା ସ୍ଥାନ। ଏବେ ଏହି ସ୍ଥାନଟି ଉତ୍ତର ପ୍ରଦେଶରେ ବାଗପଥ ନାମରେ ପରିଚିତ। ମୋଗଲ ଶାସନ ସମୟରେ ଏହି ସ୍ଥାନର ନାମ ବାଗପଥ ହୋଇଛି।
ସ୍ୱର୍ଣ୍ଣପ୍ରସ୍ଥ: ଏହାର ଅର୍ଥ ହେଉଛି ସୁନାର ସହର। ମହାଭାରତ ସମୟରେ ସ୍ୱର୍ଣ୍ଣପଥ କୁହାଯାଉଥିବା ଅଞ୍ଚଳ ଆଜି ହରିୟାଣା ରାଜ୍ୟର ସୋନେପତ୍ ସହର ନାମରେ ଖ୍ୟାତ।
ପାଣ୍ଡୁପ୍ରସ୍ଥ: ହରିୟାଣାରେ ଥିବା ‘ପାନିପଥକୁ’ କୁ ମହାଭାରତ ସମୟରେ ପାଣ୍ଡୁପ୍ରସ୍ଥ କୁହାଯାଉଥିଲା। ଏହି ସହରକୁ ବୁଣାକାରଙ୍କ ସହର ବୋଲି ମଧ୍ୟ କୁହାଯାଏ।
ତିଳପ୍ରସ୍ଥ: ମହାଭାରତ ସମୟର ଏହି ଅଞ୍ଚଳଟି ମଧ୍ୟ ହରିୟାଣାରେ ରହିଛି। ଏବେ ଏହା ରାଜ୍ୟର ଫରିଦାବାଦ ଜିଲ୍ଲାରେ ତିଲ୍ପ୍ରସ୍ଥ ନାମରେ ନାମିତ।
from OdishaReporter https://ift.tt/2JwG2I8
No comments:
Post a Comment