
ଭାବିଲେ ଦେଖି, ବାହାରେ ବର୍ଷା ହେଉଛି ଆଉ ଆପଣ ଘରେ ଅଛନ୍ତି। କପେ ଚା’ ସହ ଯଦି ଆପଣଙ୍କୁ କେହି ସିଙ୍ଗଡ଼ା ବଢେଇ ଦିଏ ତା ହେଲେ କ’ଣ ହେବ ? ଆପଣ ଚଟାପଟ୍ ହାତଧୋଇ ଏ ମାହୋଲକୁ ସିଙ୍ଗଡା ସହ ବେସ୍ କିଛିକ୍ଷଣ ଉପଭୋଗ କରିବେ। କ’ଣ କହୁଛନ୍ତି, ସେଇଆ ତ !
ବାସ୍ତବରେ, ବର୍ଷା ହେଉ କି ଖରା, ବଡ଼ ହୋଟେଲ ହେଉ କି ଛୋଟ, ସିଙ୍ଗଡ଼ା ନାମଧାରୀ ଖାଦ୍ୟଟି ଆପଣଙ୍କୁ ସହଜରେ ଉପଲବ୍ଧ ହୋଇଥାଏ । ଭାରତର କୋଣ ଅନୁକୋଣରେ ଲୋକେ ଏହା ସହ ପରିଚିତ। ଆପଣ ଦେଶର ଯେଉଁ ଭାଗକୁ ଗଲେ ବି ଆରାମ୍ରେ ମିଳିଯିବ ସିଙ୍ଗଡ଼ା । ହେଲେ ଆପଣ ହୁଏତ ଏ କଥା ଜାଣି ନ ଥିବେ ଯେ, ସିଙ୍ଗଡ଼ା ଏକ ଭାରତୀୟ ଖାଦ୍ୟ ନୁହେଁ। ବାସ୍ତବରେ ଏହା ଏକ ଆରବୀୟ ଖାଦ୍ୟ । ତା ହେଲେ ଆସନ୍ତୁ ଜାଣିବା, ସିଙ୍ଗଡ଼ା ଭାରତକୁ ଆସିବା ପଛରେ କ’ଣ ରହିଛି କାହାଣୀ।
ଭାରତକୁ ସିଙ୍ଗଡ଼ା ରେସିପି ଆସିବା ଆଗରୁ ଆମ ପଡୋଶୀ ରାଷ୍ଟ୍ରମାନେ ଏହାର ବ୍ୟବହାର ଆରମ୍ଭ କରି ଦେଇଥିଲେ। କୁହାଯାଏ ଇରାନ ହେଉଛି ସିଙ୍ଗଡ଼ାର ଅନ୍ତୁଡ଼ିଶାଳ। ଫରାସୀ ଶବ୍ଦ ‘ସାମ୍ବୋଶାଗ’ରୁ ଆସିଛି ସିଙ୍ଗଡ଼ା। ହେଲେ ଏହାର ଆକୃତି ତିନିକୋଣିଆ ହେବା ପଛରେ କାରଣ ସମ୍ପର୍କରେ ଆଜି ବି ଇତିହାସ ନିରବ। ସିଙ୍ଗଡ଼ା ନାଁ ପଛର ୨ଟି କାହାଣୀ ଶୁଣିବାକୁ ମିଳେ। କୁହାଯାଏ, ମାମୁଦ ଗଜନୀଙ୍କ ସମୟରେ ଏହାର ପ୍ରସ୍ତୁତି ଓ ବ୍ୟବହାର କରାଯାଉଥିଲା। ତାଙ୍କ ରାଜଦରବାରରେ ଏହା ପେସ୍ କରାଯାଉଥିଲା। ହୁଏତ ସେ ଭାରତ ଆକ୍ରମଣ କରିବା ବେଳେ ତାଙ୍କ ମାଧ୍ୟମରେ ଏହା ଭାରତ ଆସିଥାଇପାରେ।
ଅନ୍ୟ କିଛି ଗବେଷକ କୁହନ୍ତି ୨୦୦୦ ବର୍ଷ ତଳେ ସିଙ୍ଗଡ଼ା ଭାରତ ଆସିଥିଲା। ଆର୍ଯ୍ୟମାନଙ୍କ ଭାରତ ଆଗମନ ବେଳେ ଏହା ମଧ୍ୟ ଏସିଆର ପର୍ବତାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମାଧ୍ୟମରେ ଭାରତକୁ ପ୍ରବେଶ କରିଥିଲା। ହେଲେ ଭାରତ ଆସିବା ପରେ ଏଥିରେ ଆଳୁ ତଥା ଅନ୍ୟ ମସଲାଦାର ପୂର ଦେବା ପରମ୍ପରା ଆରମ୍ଭ ହେଲା। ସମ୍ଭବତଃ ଭାରତୀୟମାନେ ନିଜ ପିଠାପଣା ପ୍ରସ୍ତୁତ କରିବା ବେଳେ ପୂର ଦେଉଥିବା ପ୍ରଥାକୁ ସିଙ୍ଗଡ଼ା କ୍ଷେତ୍ରରେ ବ୍ୟବହାର କରିଥାଇ ପାରନ୍ତି। ଆଉ ଏହି ଭାରତୀୟ ପୂରର ବାସ୍ନା ପାଇଁ ସିଙ୍ଗଡ଼ା ଆଜି ଆମର ବେଶ୍ ଆପଣାର ହୋଇପାରିଛି।
from OdishaReporter https://ift.tt/2L8TeaM
No comments:
Post a Comment