
ଇସ୍ଲାମାବାଦ: ପାକିସ୍ତାନ ସାଧାରଣ ନିର୍ବାଚନ ପାଇଁ ହୋଇଥିବା ଭୋଟ୍ ଗ୍ରହଣକୁ ଇତି ମଧ୍ୟରେ ୨ ଦିନ ବିତି ଯାଇଥିଲେ ହେଁ ଚୂଡ଼ାନ୍ତ ଫଳାଫଳ ଘୋଷଣା ହୋଇପାରିନି। ଯାହାକୁ ନେଇ ଏବେ ବିବାଦ ତୀବ୍ର ହେବାରେ ଲାଗିଛି। ଜଣଙ୍କ ପରେ ଜଣେ ରାଜନେତା ଏବେ ନିର୍ବାଚନ ଓ ଭୋଟ୍ ଗଣତି ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି। ସେନା ତା’ର ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ଉଦ୍ୟମ କରୁଥିବାରୁ, ଫଳଫଳା ଘୋଷଣାରେ ବିଳମ୍ବ ଘଟୁଛି ବୋଲି ସମସ୍ତେ ଅଭିଯୋଗ କରିଛନ୍ତି। ଗତକାଲି ପାକିସ୍ତାନ ମୁସଲିମ୍ ଲିଗ୍- ନୱାଜ (ପିଏମ୍ଏଲ୍-ଏନ୍)ର ସଭାପତି ଶେହବାଜ୍ ଶରିଫ୍ ଭୋଟ୍ ଗଣତିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ। ଆଜି ତାଙ୍କ ଭାଇ ତଥା ଭ୍ରଷ୍ଟାଚାର ମାମଲାରେ ଜେଲ୍ରେ ବନ୍ଦୀ ଥିବା ନୱାଜ୍ ଶରିଫ୍ ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି, ଜନାଦେଶକୁ ଚୋରି କରାଯାଇଛି। ଏଭଳି କଳୁଷିତ ନିର୍ବାଚନୀ ଫଳାଫଳ ଦେଶ ଉପରେ ଖରାପ ପ୍ରଭାବ ପକାଇବ। ଶରିଫ୍ ବର୍ତ୍ତମାନ ଆଦିଆଲ୍ ଜେଲ୍ରେ ରହୁଥିବା ବେଳେ, ‘ଡନ୍’ ଖବରକାଗଜକୁ ପ୍ରତିକ୍ରିୟା ଦେଇ ଫୈସଲାବାଦ, ଲାହୋର୍ ଓ ରାୱଲପିଣ୍ଡିର ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସବୁ ନିର୍ବାଚନ ମଣ୍ଡଳୀରେ ‘ପିଏମ୍ଏଲ୍-ଏନ୍’ର ପ୍ରାର୍ଥୀଙ୍କ ସ୍ଥିତି ଭଲ ଥିଲା। କିନ୍ତୁ ଫଳାଫଳ ଓଲଟା ହେଲା। ଅର୍ଥାତ ଆମ ଦଳର ପ୍ରାର୍ଥୀ ପରାସ୍ତ ହେଲେ। ‘ଖାଇବର୍ ପାକ୍ତୁନଖ୍ୱା’ରେ ପାକିସ୍ତାନ ତେହେରିକ୍-ଇ-ଇନସାଫ୍(ପିଟିଆଇ)ର ସରକାର ପୂର୍ବରୁ କ୍ଷମତାରେ ଥିଲା। ସେମାନେ ଦୁର୍ନୀତି କରିଥିଲେ। ତଥାପି ଏଥର ବି ସେମାନେ ଏଠାରେ ବିଜୟଲାଭ କରିଛନ୍ତି। ୨୦୧୩ ତୁଳନାରେ ପିଟିଆଇ ମୁଖ୍ୟ ଇମ୍ରାନ୍ ଖାନ୍ଙ୍କ ସ୍ଥିତି ଏଥର ଆହୁରି ଦୁର୍ବଳ ଥିଲା। ତଥାପି ସେ କେମିତି ବିଜୟୀ ହେଲେ ବୋଲି ଶରିଫ୍ ପ୍ରଶ୍ନ କରିଛନ୍ତି। ଶରିଫ୍ଙ୍କ ବୟାନ ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି।
from OdishaReporter https://ift.tt/2LrubAW
No comments:
Post a Comment