
ହେଲସିଙ୍କି: ବିଶ୍ୱର ଦୁଇ କ୍ଷମତାଶାଳୀ ରାଷ୍ଟ୍ର ଆମେରିକା ଓ ରୁଷ ମଧ୍ୟରେ ଆଜି ସମ୍ପର୍କ ଆଉ ପାଦେ ଆଗକୁ ବଢ଼ିଛି। ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ଆଜି ଫିନଲ୍ୟାଣ୍ଡ ରାଜଧାନୀ ହେଲସିଙ୍କି ଠାରେ ପରସ୍ପର ସହ ହାତ ମିଳାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଜି ଦୀର୍ଘ ଦୁଇ ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ ହୋଇଛି। ଏହି ଆଲୋଚନାକୁ ବିଶେଷଜ୍ଞମାନେ ଐତିହାସିକ ବୋଲି କହିଛନ୍ତି। କାରଣ ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୁଷର ହାତ ଥିବା ଏବଂ ସିରିଆରେ ଆମେରିକା ମିଳିତ ବାହିନୀର କାର୍ଯ୍ୟାନୁଷ୍ଠାନକୁ ରୁଷ ବିରୋଧ କରୁଥିବାରୁ ୱାଶିଂଟନ୍ ଓ ମସ୍କୋ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଏସବୁ ଭିତରେ ଦୁଇ ଦେଶର ମୁଖ୍ୟ ପରସ୍ପର ସହ ୱାନ୍ ଟୁ ୱାନ୍ ଆଲୋଚନା କରିବା ବେଶ ଗୁରୁତ୍ୱବହନ କରୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ୱାନ୍ ଟୁ ୱାନ୍ ଆଲୋଚନା ପରେ ଟ୍ରମ୍ପ୍ ଏହାକୁ ଭଲ ଆରମ୍ଭ ବୋଲି କହିଛନ୍ତି। ଦୀର୍ଘ ଦୁଇ ଘଣ୍ଟାର କଥାବାର୍ତ୍ତା ଉତ୍ସାହଜନକ ହୋଇଛି ଏବଂ ଏହା ଆଗକୁ ବଢ଼ିବ। ରୁଷ ଓ ଆମେରିକା ଏକାଠି ହୋଇ ରୁହନ୍ତୁ ବୋଲି ସମଗ୍ର ବିଶ୍ୱ ଚାହୁଁଛି ବୋଲି ସେ କହିଛନ୍ତି। ପୁଟିନ୍ କହିଛନ୍ତି, ଆମେ ଦୁଇ ଜଣ ଅନେକ ସମୟରେ ଫୋନ୍ରେ କଥା ହେବା ସହ ବିଭିନ୍ନ ଅନ୍ତର୍ଜାତୀୟ ଇଭେଣ୍ଟ୍ରେ ପରସ୍ପରକୁ ଭେଟିଥିଲୁ। ଏବେ ଆମେ ପରସ୍ପର ସହ ବିଭିନ୍ନ ଅନ୍ତର୍ଜାତୀୟ ସମସ୍ୟା ଉପରେ ଆଲୋଚନା କରିବାକୁ ଏକାଠି ହୋଇଛୁ ବୋଲି ପୁଟିନ୍ କହିଛନ୍ତି।
ଏହା ପୂର୍ବରୁ ଟ୍ରମ୍ପ ଆମେରିକାର ପୂର୍ବ ରାଷ୍ଟ୍ରପତିମାନେ ଭୁଲ୍ ନୀତି ପ୍ରଣୟନ କରିଥିବାରୁ ମସ୍କୋ ସହ ୱାଶିଂଟନର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ବୋଲି କହିଥିଲେ। ସେ କହିଥିଲେ ରୁଷ ସହ ଏବେକାର ପ୍ରଶାସନ ଭଲ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି। କିନ୍ତୁ ପୂର୍ବରୁ ଆମେରିକାରେ ପ୍ରଣୟନ ହୋଇଥିବା କିଛି ଯୋଜନା ଏଥିରେ ପ୍ରତିବନ୍ଧକ ସାଜୁଛି। ଟ୍ରମ୍ପ ପ୍ରଶାସନ କେବେ ହେଲେ ରୁଷ ସହ ଖରାପ ସମ୍ପର୍କ ସ୍ଥାପନ କରିବାକୁ ଚାହେଁ ନାହିଁ ବୋଲି ସେ କହିଥିଲେ। ଉଲ୍ଲେଖଯୋଗ୍ୟ, ନିକଟରେ ଆମେରିକା ନେତୃତ୍ୱରେ ଫ୍ରାନ୍ସ, ବ୍ରିଟେନ୍ ଭଳି ଦେଶ ସିରିୟା ଉପରେ ହମଲା କରିଥିଲେ। ଏହାକୁ ରୁଷ ବିରୋଧ କରିଥିଲା, ଯାହାକୁ ନେଇ ମସ୍କୋ ଓ ୱାଶିଂଟନ୍ ମୁହାଁମୁହିଁ ହୋଇଥିଲେ।
from OdishaReporter https://ift.tt/2Ln7NEC
No comments:
Post a Comment