
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁବପିଢ଼ିଙ୍କୁ ଦରଦ ଦେଖାଇବା ପାଇଁ କେନ୍ଦ୍ର-ରାଜ୍ୟ ଭିତରେ ଟଣାଓଟରା ଲାଗିଛି। ଉଭୟ ଦକ୍ଷତା ବିକାଶକୁ ଅସ୍ତ୍ର କରିଛନ୍ତି। ବେରୋଜଗାରଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କେଉଁ ସରକାର କ’ଣ କରିଛନ୍ତି ଓ ଭବିଷ୍ୟତ ପନ୍ଥା କ’ଣ, ତାକୁ ନେଇ ପ୍ରତିଯୋଗିତା ଚାଲିଛି। କେନ୍ଦ୍ରର କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ବର୍ଜନ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରୁଛନ୍ତି, ଦକ୍ଷତା ବିକାଶ ପାଇଁ ଦିଆଯାଉଥିବା ଟଙ୍କାକୁ ଖର୍ଚ୍ଚ କରୁନାହାନ୍ତି ରାଜ୍ୟ ସରକାର।
ଭୁବନେଶ୍ୱର ଉପକଣ୍ଠ ବାରଙ୍ଗରେ ୧୬୦ କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହେବ ‘ନ୍ୟାସନାଲ୍ ସ୍କିଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍’। ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। କିନ୍ତୁ କେନ୍ଦ୍ରର ଏହି ଉତ୍ସବକୁ ବର୍ଜନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ଦକ୍ଷତା ବିକାଶ ମନ୍ତ୍ରୀ ଉଷା ଦେବୀ ଓ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ସାମିଲ ହୋଇନାହାନ୍ତି।

ତେବେ କେନ୍ଦ୍ରର ଅଭିଯୋଗକୁ ଖଣ୍ଡନ କରିବା ସହ ବିଜେଡି ଆଣିଛି ପାଲଟା ଅଭିଯୋଗ। ରାଜ୍ୟ ଉପରେ ଅନାବଶ୍ୟକ ଭାବେ କେନ୍ଦ୍ର ତାର ନିଷ୍ପତ୍ତିକୁ ଲଦି ଦେଉଛି। ଦକ୍ଷତା ବିକାଶ ଯୁବକଙ୍କ ସ୍ୱାର୍ଥ ପାଇଁ ନୁହେଁ, ବରଂ କେନ୍ଦ୍ରମନ୍ତ୍ରୀ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଅଭିଯୋଗ କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଅମର ଶତପଥୀ।
ଦକ୍ଷତା ବିକାଶରେ ସାମାଜିକ ପରିବର୍ତ୍ତନର ବାର୍ତ୍ତା ଦେଇ ରାଜ୍ୟ ସରକାର ୨୦୨୦ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ରାଜ୍ୟରେ କାମ କରୁଛି ଦକ୍ଷତା ବିକାଶ କର୍ତ୍ତୃପକ୍ଷ। ତେବେ ରାଜନୈତିକ ସ୍ୱାର୍ଥ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ନିଜ ନିଜ ଭିତରେ ଜାରି ରଖିଥିବା ଏହି ପ୍ରତିଯୋଗିତା ବେକାର ଯୁବକ ଓ ଯୁବତୀଙ୍କୁ ସ୍ୱାବଲମ୍ବୀ କରିପାରିବ ତ? ଏହା ଏବେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।
from OdishaReporter https://ift.tt/2mmPUe6
No comments:
Post a Comment