
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅପପୁଷ୍ଟି ହାର ହ୍ରାସ ପାଉଥିବା ନେଇ ସରକାରଙ୍କ ତଥ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି ରାଜ୍ୟ ଖାଦ୍ୟ କମିଶନ। ଜାତୀୟସ୍ତର ତୁଳନାରେ ରାଜ୍ୟରେ ଅପପୁଷ୍ଟି ହାର ଉଦ୍ବେଗଜନକ ନୁହେଁ ବୋଲି ରାଜ୍ୟ ସରକାଙ୍କ ତଥ୍ୟ କହୁଛି, ତେବେ ଅପପୁଷ୍ଟି ହାର ମାପିବା ଲାଗି ପ୍ରଚଳିତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ଖାଦ୍ୟ କମିଶନ କମିଶନ ଅଧ୍ୟକ୍ଷ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିବା ପରେ ରାଜ୍ୟରେ ଅପପୁଷ୍ଟି ହାରକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ଯେଉଁ ଶିଶୁ ବାହୁର ମୋଟେଇ ୧୧.୫ ସେଣ୍ଟିମିଟରରୁ କମ୍ ତାକୁ ଅତିଶୟ କୁପୋଷଣ ବା ସାମ୍ ଶ୍ରେଣୀଭୁକ୍ତ କରାଯାଇ ପୁଷ୍ଟିସାଧନ କେନ୍ଦ୍ରକୁ ପଠାଯିବାର ବ୍ୟବସ୍ଥା କରାଯାଉଛି । ଏହାରି ଆଧାରରେ ରାଜ୍ୟରେ ଅପପୁଷ୍ଟିର ହାର କମୁଥିବା ଦାବି କରୁଛନ୍ତି ରାଜ୍ୟ ସରକାର।
ହେଲେ ଅପପୁଷ୍ଟି ଚିହ୍ନଟର ଏଇ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ଖାଦ୍ୟ କମିଶନ୍ । ମହିଳା ଶିଶୁ ବିକାଶ ସଚିବଙ୍କୁ ଖାଦ୍ୟ କମିଶନ୍ ଚିଠି ପଠାଇଛନ୍ତି। ଯେଉଁଥିରେ କମିଶନ୍ ଦର୍ଶାଇଛନ୍ତି ମଧ୍ୟମ କୁପୋଷଣର ଶିକାର ଅର୍ଥାତ ଯେଉଁମାନଙ୍କ ବାହୁର ମୋଟେଇ ୧୧.୫ ସେଣ୍ଟିମିଟରରୁ ୧୨.୫ ସେଣ୍ଟିମିଟର ସେମାନଙ୍କୁ ଆଦୌ ଚିହ୍ନଟର ବ୍ୟବସ୍ଥା ନାହିଁ। ସେହିପରି ରାଜ୍ୟର ଅଧିକାଂଶ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଅପପୁଷ୍ଟି ମାପ ଲାଗି ଟେପ୍ ନ ଥିବା, ଥିଲେ ଖରାପ ହୋଇଯାଇଥିବା କିମ୍ବା ଅଙ୍ଗନଓ୍ୱାଡ଼ି କର୍ମୀ ସଠିକ୍ ମାପ କରିପାରୁ ନ ଥିବା ଦର୍ଶାଯାଇଛି। ଏହାଦ୍ୱାରା ପ୍ରକୃତ ତଥ୍ୟ ସାମ୍ନାକୁ ଆସୁ ନ ଥିବା କମିଶନ୍ ଉଲ୍ଲେଖ କରିଛନ୍ତି।
ରାଜ୍ୟ ଖାଦ୍ୟ କମିଶନ୍ର ସଦସ୍ୟ ସିପ୍ରା ମଲ୍ଲିକଙ୍କ କହିବା କଥା ହେଉଛି- “ଅପପୁଷ୍ଟି ସ୍ଥିତି ହ୍ରାସ କ୍ଷେତ୍ରରେ କିଛି ରାଜ୍ୟ ତୁଳନାରେ ଓଡ଼ିଶା ଆଗରେ ଅଛି।
ସୂଚନାଯୋଗ୍ୟ, ଯାଜପୁର ନଗଡ଼ାରେ ଅପପୁଷ୍ଟିର ନଗ୍ନ ଚେହେରା ସାମ୍ନାକୁ ଆସିବା ପରେ କେବଳ ଦେଶ କାହିଁକି ସାରା ବିଶ୍ୱରେ ଖରାପ ହୋଇଥିଲା ରାଜ୍ୟର ଛବି । ତେବେ ଏହି ଘଟଣା ପରେ ସ୍ଥିତି ସୁଧାରିବା ଲାଗି ତତ୍ପର ହୋଇଥିଲେ ରାଜ୍ୟ ସରକାର। ମାତ୍ର ଖାଦ୍ୟ କମିଶନ, ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇବା ପରେ ଶିଶୁ ଅପପୁଷ୍ଟି ଦୂର ଲାଗି ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ବାସ୍ତବ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
from OdishaReporter https://ift.tt/2vfyyDX
No comments:
Post a Comment