
ଭୁବନେଶ୍ୱର(ଓଡ଼ଶା ରିପୋର୍ଟର): ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ପ୍ରସ୍ଥାନ ପର୍ବର ଆଦ୍ୟ ଉତ୍ସବଟି ହେଉଛି ହେରା ପଞ୍ଚମୀ। ‘ହେରା’ ଶବ୍ଦକୁ ୨ଟି ଅର୍ଥରେ ଗବେଷକମାନେ ବ୍ୟାକ୍ଷ୍ୟା କରିଛନ୍ତି । ‘ହେରା’ର ଗୋଟିଏ ଅର୍ଥ ‘ଦେଖିବା’ ଓ ଅନ୍ୟଟି ‘ଚନ୍ଦନ’। ରଥଯାତ୍ରାଙ୍କ ପଞ୍ଚମ ଦିନ ହେରା ପଞ୍ଚମୀରେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଲେଉଟିବା ପାଇଁ ମା’ ଲକ୍ଷ୍ମୀ ଆମନ୍ତ୍ରଣ କରି ଆସିଥାନ୍ତି।
ପରିବାରବାଦରେ ପ୍ରେମ, ଭଲପାଇବା ଓ ଶ୍ରଦ୍ଧାର ନିଦର୍ଶନ ଏହି ନୀତିରେ ଦେଖିବାକୁ ମିଳେ । ମା’ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରରେ ବଲଭଦ୍ରଙ୍କ ପଟରେ ରହିଥାନ୍ତି। ଯେଭଳି ଦେଡ଼ଶୁର(ଶ୍ରୀ ବଳଭଦ୍ର) ଭାଇବୋହୂ(ମା’ ମହାଲକ୍ଷ୍ମୀ)ଙ୍କୁ ନ ଦେଖନ୍ତି ସେଥିପାଇଁ ଗୁଣ୍ଡିଚା ମନ୍ଦିର ପୋଖରୀଆ(ଗର୍ଭଗୃହ)ର ଫାଳେ କବାଟ ବନ୍ଦ ଥାଏ। ଯେଉଁଥିରୁ ଦେଡ଼ଶୁର ବା ସ୍ୱାମୀଙ୍କ ବଡ଼ ଭାଇଙ୍କୁ କିଭଳି ସମ୍ମାନ ଦେଖାଯାଏ ସେ କଥାଟି ପ୍ରଦର୍ଶିତ ହୋଇଥାଏ। ଅନ୍ୟପକ୍ଷରେ ଗୁଣ୍ଡିଚା ମନ୍ଦିର ଜଗମୋହନରେ ମା’ ଲକ୍ଷ୍ମୀଙ୍କ ବିମାନକୁ ଏଭଳି ଭାବରେ ଛିଡ଼ା କରାଯାଇଥାଏ, ଯେଉଁଠି ମହାଲକ୍ଷ୍ମୀ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମୁଖକୁ ଦର୍ଶନ କରିପାରିବେ। ଏହି ଦେଖାଦେଖି ପର୍ବ ବା ଚକ୍ଷୁ ମିଳନର ପର୍ବ ଅନ୍ୟ ଅର୍ଥରେ ‘ହେରା’ ପର୍ବରେ ରୁପାନ୍ତରିତ ହୋଇଛି। ଯାହା ପରିବାରବାଦରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମକୁ ପ୍ରଦର୍ଶିତ କରୁଛି।
ଏହାର ପରଦିନ ମହାପ୍ରଭୁ ଶ୍ରୀମନ୍ଦିର ପ୍ରସ୍ଥାନ କରିବା ପାଇଁ ତିନିରଥକୁ ଆଜ୍ଞାମାଳ ଦିଅନ୍ତି। ଯାହାକୁ ଘେନିବା ପରେ ରଥତ୍ରୟ ଦକ୍ଷିଣମୋଡ଼ ହୋଇଥାଏ। ଦକ୍ଷିଣମୋଡ଼ ହେବା ବେଳେ ପ୍ରଥମ ଆଜ୍ଞାମାଳଟି ମା’ ସୁଭଦ୍ରାଙ୍କ ବାଡ଼ରୁ ଆସିଥାଏ ଓ ସୁଭଦ୍ରାଙ୍କ ରଥ ହିଁ ପ୍ରଥମେ ଦକ୍ଷିଣମୋଡ ହୋଇଥାଏ। ଆପଣ ଭାବୁଥିବେ ମା’ ଲକ୍ଷ୍ମୀ ରଥ ଭାଙ୍ଗିବା ପରେ ଜଗନ୍ନାଥଙ୍କ ରଥ ଦକ୍ଷିଣମୋଡ଼ ହେବା କଥା, ନଚେତ୍ ବଡ଼ଭାଇ ବୋଲି ବଳଭଦ୍ରଙ୍କ ରଥ ଦକ୍ଷିଣ ମୋଡ଼ ହେବା କଥା। କିନ୍ତୁ ସୁଭଦ୍ରାଙ୍କ ରଥ କ’ଣ ପାଇଁ ପ୍ରଥମେ ଦକ୍ଷିଣ ମୋଡ଼ ହୁଏ?
ବାସ୍ତବରେ ଏହା ଆମ ସମାଜକୁ ଗୋଟିଏ ଶିକ୍ଷା ଦେଉଛି। ପରିବାରବାଦରେ ଭାଉଜ ଓ ନଣନ୍ଦଙ୍କ ସମ୍ପର୍କକୁ ସମାଜରେ ଟିକେ ଆଡ଼ ଆଖିରେ ଦେଖାଯାଇଛି। ଦୁହେଁ ଦୁହିଁଙ୍କୁ ସହି ନ ପାରିବା, ଦୁହିଁଙ୍କ ଭିତରେ ମତ ପାର୍ଥକ୍ୟ ରହିବା କଥାକୁ ଦର୍ଶାଯାଇଛି। ହେଲେ ଏହା ସତ ଯେ, ନଣନ୍ଦ ଭାଉଜଙ୍କ ମଧ୍ୟରେ ସମ୍ପର୍କ ମଧୁର ହେଲେ ପରିବାରର ରଥ ସନ୍ତୁଳିତ ଭାବେ ଗଡ଼ିପାରିବ। ଏହି କଥାକୁ ପ୍ରଦର୍ଶନ କରିବା ଲାଗି ପ୍ରଥମେ ମା’ ସୁଭଦ୍ରାଙ୍କ ରଥ ଦକ୍ଷିଣ ମୋଡ଼ ନେଇଥାଏ। ରଥଯାତ୍ରାରେ ଭଉଣୀକୁ ସାଥିରେ ଆଣିଥିଲେ ବୋଲି ଲକ୍ଷ୍ମୀ ଯେପରି ସୁଭଦ୍ରାଙ୍କ ଉପରେ(ଲୌକିକ ମତରେ ନଣନ୍ଦ) ରୁଷ୍ଟ ନ ହୁଅନ୍ତି ସେଥିପାଇଁ ଦେବଦଳନ ରଥକୁ ପ୍ରଥମେ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ଲାଗି ପ୍ରସ୍ତୁତ କରାଯାଏ।
ଏ କଥାକୁ ଆପଣ ହୁଏତ ଗ୍ରହଣ ନ କରି ପାରନ୍ତି। ସାଧାରଣ କାହାଣୀଟିଏ ବୋଲି ଭାବିପାରନ୍ତି। କିନ୍ତୁ ବାସ୍ତବରେ ପରିବାରରେ ଶୃଙ୍ଖଳା ରକ୍ଷା ପାଇଁ ଜଗନ୍ନାଥ ସଂସ୍କୃତିରେ ଏ ବିବିଧ ପରମ୍ପରାମାନ ସ୍ଥାନିତ କରାଯାଇଥିବା କଥା ଅନସ୍ୱୀକାର୍ଯ୍ୟ।
from OdishaReporter https://ift.tt/2zTOzVV
No comments:
Post a Comment