ସିଂହଦ୍ୱାର ଗୁମୁଟରେ କେମିତି, କାହିଁକି ଓ କାହାପାଇଁ ସ୍ଥାପିତ ହେଲେ ପତିତପାବନ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ସିଂହଦ୍ୱାର ଗୁମୁଟରେ କେମିତି, କାହିଁକି ଓ କାହାପାଇଁ ସ୍ଥାପିତ ହେଲେ ପତିତପାବନ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧାର ଗଜପତି ରାମଚନ୍ଦ୍ର ଦେବ-୨ୟ (ଶାସନ କାଳ ଆନୁମାନିକ ୧୭୩୨ରୁ ୧୭୪୩)ଙ୍କ ସମୟରେ ଶ୍ରୀକ୍ଷେତ୍ର ପୁରୀକୁ ଯବନ ଆକ୍ରମଣ ବୃଦ୍ଧି ପାଇଥାଏ। ଭୀତତ୍ରସ୍ତ ଅବସ୍ଥାରେ ଥାଆନ୍ତି ରାଜ୍ୟବାସୀ। ସବୁଠାରୁ ସୁରକ୍ଷିତ ଖୋର୍ଦ୍ଧା ନଅରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାତାୟାତ ପଥରେ ନିୟୋଜିତ ହୋଇଥାନ୍ତି ଦୁର୍ଦ୍ଧଷ ପାଇକ ସେନା। ମହାପ୍ରଭୁଙ୍କ ପର୍ଯ୍ୟନ୍ତ କୌଣସି ଅକ୍ରମଣକାରୀ ଯେପରି ନ ପହଞ୍ଚିବେ, ସେହି ବ୍ୟବସ୍ଥା ହୋଇଥାଏ। କିନ୍ତୁ ଉତ୍କଳର ସୈନ୍ୟବଳ, ବଙ୍ଗଳା ନବାବଙ୍କ ସୈନ୍ୟବଳ ତୁଳନାରେ କମ୍‌ ଥିବାରୁ ତାଙ୍କୁ ପ୍ରତିହତ କରିବା ଅସମ୍ଭବ ଥିଲା।

ତଥାପି ଯୁଦ୍ଧ ହୁଏ। କିନ୍ତୁ ସମସ୍ତ ବ୍ୟବସ୍ଥାରେ ଧୂଳିଦେଇ ଯୁଦ୍ଧରେ ହାରି ଯାଆନ୍ତି ଗଜପତି ରାମଚନ୍ଦ୍ର ଦେବ। କଟକ ବାରବାଟୀ ଦୁର୍ଗରେ ବନ୍ଦୀ କରିବା ପାଇଁ ହୁକୁମ ଦିଅନ୍ତି ବଙ୍ଗଳାର ନବାବ। ଗଜପତି ବନ୍ଦୀ ହେବା ପରେ ଜଗନ୍ନାଥ ମନ୍ଦିର ଅସୁରକ୍ଷିତ ହୋଇପଡ଼େ। ରାଜଗୁରୁ ଓ ଦେଉଳକରଣ ମାନଙ୍କ ପ୍ରରୋଚନାରେ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଚିନ୍ତା କରାଯାଏ। ମୁସଲମାନ୍‌ ନବାବ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତି। ତାଙ୍କ କନ୍ୟାକୁ ବିବାହ କରିବାକୁ ସନ୍ଧିରେ ପ୍ରସ୍ତାବ ରଖନ୍ତି ଗଜପତିଙ୍କ ପାଖରେ।

ଏ ଜାତିର ଇଷ୍ଟଦେବତା, ମହାପ୍ରଭୁ ଶ୍ରୀଜଗନ୍ନାଥ ହୋଇଥିବାରୁ, ତାଙ୍କର ସୁରକ୍ଷା ପାଇଁ ମୁସଲମାନ୍‌ ଆକ୍ରମଣକାରୀଙ୍କ କଥାରେ ରାଜି ହୁଅନ୍ତି ଗଜପତି। ଆକ୍ରମଣକାରୀ ନବାବଙ୍କ ମୁସଲମାନ୍‌ କନ୍ୟା ସହ ନିକାହ କରନ୍ତି ଗଜପତି। ଆଉ ବିବାହ କରିବା ପରେ ବାଧ୍ୟହୋଇ ମୁସଲମାନ୍‌ ଧର୍ମ ଗ୍ରହଣ କରନ୍ତି।

ବାଧ୍ୟବାଧକତାରେ ବିବାହ କରିଥିଲେ ବି ବିଧର୍ମୀ ହୋଇଥିବାରୁ, ତାଙ୍କୁ ବନ୍ଦୀଶାଳାରୁ ମୁକ୍ତି ମିଳିବା ପରେ ମଧ୍ୟ ଶ୍ରୀମନ୍ଦିର ପ୍ରବେଶର ଅନୁମତି ପାଆନ୍ତି ନାହିଁ ଗଜପତି ରାମଚନ୍ଦ୍ର ଦେବ। ପ୍ରଥମ ସେବକ ହୋଇ ମଧ୍ୟ ସେ ସେବାରୁ ବଞ୍ଚିତ ହୋଇଥିଲେ। ଗଜପତି ନିଜେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ହୋଇଥିବାରୁ ପ୍ରତ୍ୟହ ରାତିରେ ସିଂହଦ୍ୱାରରେ ପହଞ୍ଚି ଘଣ୍ଟା ଘଣ୍ଟା ଅଶ୍ରୁପାତ କରୁଥିଲେ। ଏମିତିକି ଏହି କାରଣରୁ ଠାକୁରଙ୍କ ସେବାପୂଜାରେ ମଧ୍ୟ ବିଭ୍ରାଟ ସୃଷ୍ଟି ହେଲା। ଶେଷରେ ମହାପ୍ରଭୁଙ୍କ ଅବିକଳ ପ୍ରତିକୃତି ପ୍ରତିଷ୍ଠା ପାଇଁ ଚିନ୍ତା କରାଗଲା। ତତ୍କାଳୀନ ରାଜଗୁରୁଙ୍କ ପରାମର୍ଶ କ୍ରମେ, ଗଜପତି ରାମଚନ୍ଦ୍ର, ବାଇଶି ପାହାଚ ତଳେ ସିଂହଦ୍ୱାର ଗୁମୁଟ ନିର୍ମାଣ କରି ସେଠାରେ ଏକକ ଜଗନ୍ନାଥ ବିଗ୍ରହ ସ୍ଥାପନର ବ୍ୟବସ୍ଥା କରିଥିଲେ। ଝୁଣା, କଥଇ ଅଠା, କନା ଓ ସପ୍ତଭରଣ ଦେଇ ପ୍ରତିଷ୍ଠା ହୋଇଥିବା ଏହି ମୂର୍ତ୍ତି, ଆଜି ମଧ୍ୟ କୋଟିକୋଟି ପତିତଙ୍କୁ ଦର୍ଶନ ଦେଉଛନ୍ତି।

‘ପତିତ’ ଶବ୍ଦର ଅର୍ଥ ହେଉଛି ‘ହୀନ’ ଏବଂ ‘ପାବନ’ ଶବ୍ଦର ଅର୍ଥ ହେଉଛି ‘ପବିତ୍ର’। ଏହି ଦୁଇ ଶବ୍ଦରୁ ନେଇ ‘ପତିତପାବନ’ ଶବ୍ଦ ସୃଷ୍ଟି ହୋଇଛି। ପ୍ରକାରାନ୍ତରେ ଦେଖିବାକୁ ଗଲେ, ଜଗନ୍ନାଥ ମହାପ୍ରଭୁ ପତିତ ଭକ୍ତଙ୍କୁ ଉଦ୍ଧାର କରିବା ପାଇଁ ଏଭଳି ନାମ ଧାରଣ କରିଛନ୍ତି ଓ ସିଂହଦ୍ୱାର ଗୁମୁଟରେ ବସି ସବୁ ଧର୍ମ, ସବୁ ଜାତିର ଲୋକଙ୍କୁ ଦର୍ଶନ ଦେଉଛନ୍ତି। ଏଣେ ଗଜପତିଙ୍କ ଦୃଷ୍ଟିରୁ ଦେଖିଲେ, ଶ୍ରୀମନ୍ଦିର ପରମ୍ପରାକୁ ସେ ଯଥେଷ୍ଟ ସମ୍ମାନ ଦେବାକୁ ଯାଇ ନିଜ ମନ୍ଦିର ମଧ୍ୟକୁ ପ୍ରବେଶ କରିନାହାନ୍ତି। ନିଜକୁ ପତିତ ବୋଲି ବିବେଚନା କରି ମହାପ୍ରଭୁଙ୍କୁ ଭକ୍ତି ପ୍ରଦର୍ଶନ କରିବାକୁ ଯାଇ ଏଭଳି ମହନୀୟ ପ୍ରୟାସ କରିଥିଲେ ବୋଲି କୁହାଯାଇପାରେ।

 



from OdishaReporter https://ift.tt/2zyLryl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages