
ଭୁବନେଶ୍ୱର: ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟାନ୍ ହେବ ବୋଲି ଘୋଷଣା ତ ହୋଇଗଲା, ହେଲେ ଏହା କିଭଳି କାର୍ଯ୍ୟକାରୀ ହେବ, ତା’କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ପ୍ଲାଷ୍ଟିକ୍ ବ୍ୟବହାର ନିଷିଦ୍ଧ କରିବାକୁ ସରକାର ନୂଆ ଆଇନ ଆଣିବାକୁ ଯାଉଛନ୍ତି।ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ କିଭଳି ପ୍ଲାଷ୍ଟିକ୍ ବ୍ୟାନ୍ କରାଯାଇଛି ଓ କ’ଣ ରହିଛି ଆଇନ ବ୍ୟବସ୍ଥା, ତା’କୁ ନିରୀକ୍ଷଣ କରୁଛି ରାଜ୍ୟ ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡ। ଅନ୍ୟପଟେ ଗୁଟ୍ଖା ବ୍ୟାନ୍ କ୍ଷେତ୍ରରେ ଫେଲ୍ ମାରିଥିବା ରାଜ୍ୟ ସରକାର, ପ୍ଲାଷ୍ଟିକ୍ ବ୍ୟାନ୍ କ୍ଷେତ୍ରରେ କେତେ ସଫଳ ହେବେ ତାକୁ ନେଇ ସନ୍ଦେହ ଉପୁଜିଛି।
ରାଜ୍ୟର ପ୍ରାୟ ସବୁ ସ୍ଥାନରେ ପଲିଥିନ୍ର ବହୁଳ ବ୍ୟବହାର ହେଉଛି। ଦୋକାନ,ବଜାର ଗଳି,କନ୍ଦି ସବୁ ପଲିଥିନ୍ମୟ। ଲାଗୁଛି ଯେମିତି ପଲିଥିନ୍ ନ ହେଲେ ନ ଚଳେ। ପଲିଥିନ୍ ଓ ପ୍ଲାଷ୍ଟିକ୍ର ମାତ୍ରାଧିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷିତ ହେଉଛି। ତେବେ ଏଭଳି ସ୍ଥିତିରେ ପ୍ଲାଷ୍ଟିକ୍ ବ୍ୟବହାର ଅଭ୍ୟାସରୁ ଲୋକଙ୍କୁ କିଭଳି ଦୂରେଇ ରଖାଯିବ? ପଲିଥିନ୍ର ବିକଳ୍ପ ଭାବେ କେଉଁ ସାମଗ୍ରୀ ବ୍ୟବହାର କରାଯିବ ? ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।
ଖବର ଅନୁସାରେ, ସହରାଞ୍ଚଳରେ ନଗର ଉନ୍ନୟନ ବିଭାଗ ଓ ଗ୍ରାମାଞ୍ଚଳରେ ପଞ୍ଚାୟତିରାଜ ବିଭାଗ ଏହି କଟକଣାକୁ କାର୍ଯ୍ୟକାରୀ କରିବେ। ସାରା ରାଜ୍ୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟ କିପରି ଚାଲିଛି, ତା’ର ତଦାରଖ କରିବ ଜଙ୍ଗଲ ଓ ପରିବେଶ ବିଭାଗ।ପୂର୍ବରୁ ପ୍ଲାଷ୍ଟିକ୍ ବ୍ୟାନ୍ ହୋଇଥିବା ରାଜ୍ୟଗୁଡ଼ିକରେ ଏ ନେଇ କ’ଣ ଆଇନ ବ୍ୟବସ୍ଥା ରହିଛି, ତାହା ଅନୁଧ୍ୟାନ କରିବା ପରେ ସରକାର ନୂଆ ଆଇନ ଆଣିବେ। ଏଥିପାଇଁ ରାଜ୍ୟ ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡ ଏକ ଚିଠା ବିଲ୍ ପ୍ରସ୍ତୁତ କରି ୭ ଦିନ ଭିତରେ ଜଙ୍ଗଲ ଓ ପରିବେଶ ବିଭାଗକୁ ପ୍ରଦାନ କରିବାର ଯୋଜନା ରହିଛି।
ଅନ୍ୟପକ୍ଷରେ ପଲିଥିନ୍ ବ୍ୟାନ୍ କରିବା ରାଜ୍ୟ ସରକାର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି। କାରଣ ୫ ବର୍ଷ ପୂର୍ବରୁ ସରକାର ଗୁଟ୍ଖା ବ୍ୟାନ୍ କରିଥିଲେ। ହେଲେ ତାହା କିପରି କାର୍ଯ୍ୟକାରୀ ହେଉଛି ତାହା ସମସ୍ତଙ୍କୁ ଜଣା। ରାଜ୍ୟରେ ପ୍ରାୟ ସବୁସ୍ଥାନରେ ଖୋଲାଖୋଲି ଗୁଟ୍ଖା ବିକ୍ରି ହେଉଛି। ହେଲେ ହାତ ବାନ୍ଧି ବସିଛି ଜିଲ୍ଲା ପ୍ରଶାସନ। ଏପରି ପରିସ୍ଥିତିରେ ଗୁଟ୍ଖା ଭଳି ପଲିଥିନ୍ ବ୍ୟାନ୍ କେବଳ ଘୋଷଣାରେ ରହିବା ନା କାର୍ଯ୍ୟକାରୀ ହେବ, ତାହା ଦେଖିବା ବାକି ରହିଲା।
ପ୍ରକାଶ ଥାଉକି, ଆସନ୍ତା ଗାନ୍ଧି ଜୟନ୍ତୀରୁ ୫ଟି ମହାନଗର ଓ ପୁରୀ ପୌରପାଳିକାରେ ନିଷିଦ୍ଧ ହେବ ପ୍ଲାଷ୍ଟିକ୍ ଏବଂ ପଲିଥିନ୍ର ବ୍ୟବହାର। ଏହାପରେ ୨ ବର୍ଷ ମଧ୍ୟରେ ରାଜ୍ୟବ୍ୟାପୀ ଏହି ନିୟମକୁ କଡ଼ାକଡ଼ି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
from OdishaReporter https://ift.tt/2untBIU
No comments:
Post a Comment