
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଟଳିଲା ବନ୍ୟା ଆଶଙ୍କା। ଗତ ୨୪ ଘଣ୍ଟା ଭିତରେ ସେଭଳି ବର୍ଷା ନାହିଁ। ରାଜ୍ୟର ପ୍ରମୁଖ ଦୁଇ ନଦୀ ମହାନଦୀ ଓ ବୈତରଣୀ ମଧ୍ୟ ଫୁଲୁ ନାହାନ୍ତି। ତେଣୁ ମହାନଦୀ ଅବବାହିକା ଜିଲ୍ଲା ସହ ବୈତରଣୀ ପ୍ରବାହିତ ହେଉଥିବା ଭଦ୍ରକ ଜିଲ୍ଲାରେ ବନ୍ୟା ଚିନ୍ତା ଦୂର ହୋଇଛି। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।
ତଥ୍ୟ ଅନୁସାରେ, ମୁଣ୍ଡଳିରେ ଏବେ ସାଢ଼େ ୪ ଲକ୍ଷ କ୍ୟୁସେକ୍ରୁ କମ୍ ପାଣି ନିଷ୍କାସନ ହେଉଛି। ଯାହାକି ଗତକାଲି ରାତିରେ ଥିଲା ପାଖାପାଖି ୭ ଲକ୍ଷ କ୍ୟୁସେକ୍। ସେପଟେ ହୀରାକୁଦରୁ ପୂଜାର୍ଚ୍ଚନା ପରେ ଆଜି ଛଡ଼ାଯାଇଛି ବର୍ଷର ପ୍ରଥମ ବନ୍ୟାଜଳ। ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯାଇ ପାଣି ଛଡ଼ାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୧୨ଟି ଗେଟ୍ ଖୋଲିଥିଲେ ଡ୍ୟାମ କର୍ତ୍ତୃପକ୍ଷ। ବର୍ତ୍ତମାନ ସୁଦ୍ଧା ୧୩ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ତେବେ ଏହି ପାଣି ମୁଣ୍ଡଳିରେ ପହଞ୍ଚିବାକୁ ୩୬ରୁ ୪୦ ଘଣ୍ଟା ଲାଗିବ। ତେଣୁ ସେତେବେଳକୁ ତଳମୁଣ୍ଡରେ ମହାନଦୀ ପାଣି ଯଥେଷ୍ଟ କମି ଯାଇଥିବ ବୋଲି ଏସ୍ଆର୍ସି ବିଷ୍ଣୁପଦ ସେଠୀ କହିଛନ୍ତି।
ମହାନଦୀରେ ପ୍ରଥମ ବନ୍ୟାଜଳ ଆସିବା ପରେ କଟକ ବାଙ୍କୀ ନିକଟ ଶିମିଳିପୁର, ବିଲିପଡ଼ା ଓ ତାଳବସ୍ତ ଗାଁରେ ୩ ଫୁଟ ଉଚ୍ଚର ବନ୍ୟାଜଳ ପଶିଛି। ବିଲିପଡ଼ା ଓ ତାଳବସ୍ତକୁ ସଂଯୋଗ କରୁଥିବା ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସମ୍ବଲପୁରରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କ୍ଷତିଗ୍ରସ୍ତ ବନ୍ଧବାଡ଼ର ମରାମତି ୨୪ ଘଣ୍ଟା ଭିତରେ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ବନ୍ୟା ସ୍ଥିତି ଉପରେ ନିୟମିତ ଅପଡେଟ୍ ଦେବାକୁ ଅଫିସରମାନଙ୍କୁ କୁହାଯାଇଛି।
from OdishaReporter https://ift.tt/2LhMrMR
No comments:
Post a Comment