
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଅପରାଧୀମାନେ ସବୁବେଳେ ବଡ଼ ଗଛର ଆଶ୍ରା ଖୋଜନ୍ତି । ଏଇଟା କିଛି ନୂଆ କଥା ନୁହେଁ। ବାପୁ ପରିଡ଼ା ପାରାଦୀପର ପିଲା। ହେଲେ ସେ ଆମ ଦଳର କୌଣସି ସାଙ୍ଗଠନିକ ପଦପଦବୀରେ ନାହିଁ ।”
ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବାପୁ ପରିଡ଼ା ଗିରଫ ହେବା ପରେ ତା ସହ ବିଜୁ ଜନତାଦଳର ସମ୍ପୃକ୍ତି ନେଇ ଏବେ ହଇଚର ସୃଷ୍ଟି ହୋଇଛି। ଯାହାକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡା. ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ । ସମ୍ବିତ ଏବେ ବିଜେଡି ସମ୍ପାଦକ ଥିବା ବେଳେ ବାପୁଙ୍କ ସହ ତାଙ୍କର କୌଣସି ଲିଙ୍କ୍ ନାହିଁ ବୋଲି ରୋକ୍ଠୋକ୍ କହିଛନ୍ତି।
“ଆମ ଦଳରେ କୌଣସି କାର୍ଯ୍ୟକ୍ରମ ବେଳେ ଯଦି କିଏ ପଛରେ ଛିଡ଼ା ହେଉଛି, ସେଥିରେ ଆମର କିଛି କରିବାର ନାହିଁ। ଆମ କାର୍ଯ୍ୟକ୍ରମରେ ଏମିତି ଶହଶହ ଯୁବକ ସାମିଲ ହୁଅନ୍ତି। ଏଣୁ ବାପୁ କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇଥାଇପାରେ।”
ସମ୍ବିତ କହିଛନ୍ତି ଯେ, ନା ବିଜୁ ଜନତା ଦଳ ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେହି ବି ଆପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଦଳରେ ସାମିଲ କରିବାକୁ କେବେବି ପ୍ରଶ୍ରୟ ଦେଇ ନାହାନ୍ତି। ଏଣୁ ଦଳ ସହ ବାପୁଙ୍କ ସମ୍ପୃକ୍ତି ଏକଦମ୍ ମନଗଢ଼ା କଥା।
ହେଲେ ସମ୍ବିତ ଏହି ପ୍ରସଙ୍ଗରେ ଛୋଟିଆ କଥାଟିଏ କହି ବାପୁଙ୍କ ବିଷୟରେ ତାଙ୍କର ସମ୍ୟକ୍ ଧାରଣା ଥିବା ସୂଚାଇ ଦେଇଛନ୍ତି।
“ଆମେ ଜାଣିଛୁ, ପୂର୍ବରୁ ବାପୁ ଗୋଟିଏ ମର୍ଡର କେସ୍ରେ ସମ୍ପୃକ୍ତ ଥିଲା । ପରେ ତା ସପକ୍ଷରେ କୋର୍ଟ ନିର୍ଦ୍ଦେଶ ଶୁଣାଇଥିଲେ । ଏହାପରେ ସେ ଆଉ ଗୋଟିଏ କେସ୍ରେ ସମ୍ପୃକ୍ତ ଥିବା ଶୁଣିବାକୁ ମିଳିଥିଲା। ବାସ୍ ତାଙ୍କ ସମ୍ପର୍କରେ ମୁଁ ଏତିକି ହିଁ ଜାଣେ।”
ସମ୍ବିତଙ୍କ ମୁହଁରୁ ଏ କଥା ଶୁଣିବା ପରେ ଏବେ ନୂଆ ପ୍ରଶ୍ନ ଉଙ୍କି ମାରିଲାଣି। ମର୍ଡର ସମେତ ୨ଟି କେସ୍ରେ ସମ୍ପୃକ୍ତ ଥିବା ଜଣେ ଅପରାଧୀଙ୍କ କାର୍ଯ୍ୟକଳାପକୁ ଏତେ ବିଚକ୍ଷଣ ନେତାମାନେ କିପରି ଜାଣିପାରୁ ନାହାନ୍ତି ଓ ସେମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ଥାଇପାରନ୍ତି ବୋଲି କେବଳ ଅନୁମାନ କରୁଛନ୍ତି, ସେକଥା ଏବେ ଚର୍ଚ୍ଚାର ବିଷୟ ହୋଇଛି।
from OdishaReporter https://ift.tt/2AkA8KN
No comments:
Post a Comment