
ପାଟନା: ମୋଦି ସରକାରଙ୍କୁ ୨୦୧୯ରେ ଶାସନ ଗାଦିରୁ ହଟାଇବା ପାଇଁ କଂଗ୍ରେସ ବିଭିନ୍ନ ଆଞ୍ଚଳିକ ଦଳ ସହ ମେଣ୍ଟ କରିବ ବୋଲି ନିଷ୍ପତ୍ତି ନେଇଛି। ବିଶେଷ କରି ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ଆର୍ଜେଡି ସହ କଂଗ୍ରେସ ମେଣ୍ଟ କରିବ ବୋଲି ଏକ ପ୍ରକାରର ସ୍ଥିର କରିଛି। ଆର୍ଜେଡି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରିଛି। ଏପରି କି ମୋଦି ସରକାରଙ୍କ ବିରୋଧରେ ଲୋକସଭାରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ କଂଗ୍ରେସ ସହ ଆର୍ଜେଡି ମଧ୍ୟ ସମର୍ଥନ କରିଥିଲା। କିନ୍ତୁ ଆରଜେଡିର ବରିଷ୍ଠ ନେତା ତଥା ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ଆଜି ରାହୁଲ ଗାନ୍ଧିଙ୍କୁ ତେର୍ଛା ବାଣ ମାରିଛନ୍ତି। ବିରୋଧୀ ମେଣ୍ଟରୁ କେବଳ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ଦୌଡ଼ରେ ନାହାନ୍ତି। ବିରୋଧୀ ମେଣ୍ଟରେ ପ୍ରଧାନମନ୍ତ୍ରୀ ହେବା ଭଳି ଏକାଧିକ ବ୍ୟକ୍ତିବିଶେଷ ଅଛନ୍ତି। ତେଣୁ ରାହୁଲ ଗାନ୍ଧି ଯେ ବିରୋଧୀ ମେଣ୍ଟର ଏକମାତ୍ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ତାହା କହିବା ଭୁଲ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ନିକଟରେ କଂଗ୍ରେସ ପକ୍ଷରୁ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଦଳର ସିଡବ୍ଲ୍ୟୁସି ବୈଠକରେ ରାହୁଲ ଗାନ୍ଧିଙ୍କୁ ମେଣ୍ଟ ଗଠନ ପାଇଁ ସମସ୍ତ କ୍ଷମତା ଦେଇଥିଲେ। କଂଗ୍ରେସ ମେଣ୍ଟ କଲେ ମଧ୍ୟ ରାହୁଲ ଗାନ୍ଧି ହିଁ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। କର୍ଣ୍ଣାଟକା ବିଧାନସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି ନିଜେ ପ୍ରଧାନମନ୍ତ୍ରୀ ହେବେ ବୋଲି କହିଥିଲେ। କିନ୍ତୁ ତେଜସ୍ୱୀଙ୍କ ଏଭଳି ବୟାନ ରାହୁଲଙ୍କ ପ୍ରଧାନମନ୍ତ୍ରୀ ହେବାର ଅଭିଳାଷକୁ ଶକ୍ତ ଝଟ୍କା ଦେଇଛି। ତେଜସ୍ୱୀ ଯାଦବ ଆଜି ସାମ୍ୱାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ବିରୋଧୀ ମେଣ୍ଟରେ ସାମିଲ ଥିବା ସମସ୍ତ ଦଳ ଏକାଠି ବସି ୨୦୧୯ରେ ମହାଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହା ସ୍ଥିର କରିବେ। ଏହି ରେସ୍ରେ ରାହୁଲ ଗାନ୍ଧି ଏକା ନାହାନ୍ତି। ରାହୁଲଙ୍କ ବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଏନ୍ସିପି ନେତା ଶରଦ ପାୱର ଓ ବିଏସ୍ପି ମୁଖ୍ୟ ମାୟାବତୀ ଅଛନ୍ତି। ବିରୋଧୀ ମେଣ୍ଟ ଯାହାକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବ, ତାଙ୍କୁ ଆର୍ଜେଡି ସମର୍ଥନ କରିବ। ବିରୋଧୀ ମେଣ୍ଟର ଗୋଟିଏ ଲକ୍ଷ୍ୟ ହେଉଛି ଭାରତୀୟ ସମ୍ୱିଧାନକୁ ସୁରକ୍ଷିତ ରଖିବା। ତେଣୁ ସମ୍ବିଧାନକୁ ସୁରକ୍ଷିତ ରଖିବାର କ୍ଷମତା ଥିବା ବ୍ୟକ୍ତି ହିଁ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ସେ କହିଛନ୍ତି।
from OdishaReporter https://ift.tt/2A8AS5y
No comments:
Post a Comment