ପ୍ରତିବର୍ଷ ନବଯୌବନ ପାଆନ୍ତି ଦିଅଁ ଆମର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ପ୍ରତିବର୍ଷ ନବଯୌବନ ପାଆନ୍ତି ଦିଅଁ ଆମର

chakaakhi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଣିଷ ଜନ୍ମ ହୁଏ ଶିଶୁଟିଏ ହୋଇ। ସମୟକ୍ରମେ ବଢ଼େ। କିଶୋର ହୁଏ ଆଉ ତା ପରେ ଆସେ ଯୌବନ। ଜୀବନର ସବୁଠାରୁ ସ୍ୱର୍ଣ୍ଣିମ ସମୟ। ଯାହା ଜୀବଦ୍ଦଶାରେ ଥରୁଟିଏ ଆସେ ଆଉ ଚାଲିଯାଏ। ଯୌବନ ମଣିଷ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଥଚ କ୍ଷଣସ୍ଥାୟୀ। ହେଲେ, କାଳିଆଠାକୁରଙ୍କ ପାଇଁ ପ୍ରତିବର୍ଷ ଆସେ ଯୌବନ। ଯେଉଁ ସମୟ ମଣିଷ ପାଇଁ ବହୁ ପ୍ରତୀକ୍ଷିତ, ସେଇ “ଯୌବନ” କାଳିଆ ନାଁରେ ଯୋଡ଼ି ହୋଇଗଲେ ଦିବ୍ୟ ହୋଇଯାଏ।

ଆଷାଢ଼ ଶୁକ୍ଳ ଅମାବାସ୍ୟା। ଓଡ଼ିଆଙ୍କ ଭାଷାରେ ଉଭା ଅମାସିଆ। ୧୫ ଦିନ କାଳ ଅଣସର ଘରେ ରହିଥିବା ବଡ଼ଠାକୁର ଉଭା ହୁଅନ୍ତି ବୋଲି ୟା’ର ନାଁ ଏମିତି। ନେତ୍ରରେ କାଳିମା ଲାଗେ ବୋଲି କେହି କେହି କୁହନ୍ତି ନେତ୍ରୋତ୍ସବ। ସବୁ ଉପଚାର ବିଧି ସରିବା ପରେ ରଥଚଢ଼ି ଯିବେ ବୋଲି ନୂଆ ଯୌବନ ପାଇଲା ଭଳି ଅଣସର ପିଣ୍ଡିରେ ଝଟକି ଉଠନ୍ତି କଳାଠାକୁର। ଅପସାରଣ ହୋଇଯାଇଥାନ୍ତି ୧୫ ଦିନ ଧରି ପୂଜା ପାଉଥିବା ପଟ୍ଟିଠାକୁର। ୩ ଚକିରେ ବିଜେ କରିଥାନ୍ତି ଚତୁର୍ଦ୍ଧା ମୂର୍ତ୍ତି।

ଅଦ୍‌ଭୁତ ଏହି ବେଶ

ବେଶ ନାଁ ଉଠିଲେ, ସଜବାଜ କଥା ମନେପଡ଼େ। ସୁନା, ରୁପା, ଅଳଙ୍କାର, ଫୁଲ, ତୁଳସୀ ଆଦି ଆଖିଆଗରେ ଭାସିଉଠେ। ହେଲେ କାଳିଆର ନବଯୌବନରେ ଏ ସବୁ ନ ଥାଏ। କାଁ ଭାଁ ଫୁଲ ତୁଳସୀରେ ଝଟକି ଉଠନ୍ତି ମହାପ୍ରଭୁ। ପିନ୍ଧିଥାନ୍ତି ଅଣ୍ଟାତଳକୁ ଗୋଟିଏ ଗଡ଼ା(ସ୍ୱତନ୍ତ୍ର ସୁତା ବସ୍ତ୍ର, ଯାହା ନବଯୌବନ ଦର୍ଶନ ବେଳେ ଶ୍ରୀ ବିଗ୍ରହମାନେ ପରିଧାନ କରିଥା’ନ୍ତି)। ଦିନକ ପୂର୍ବରୁ ବନକ ଲାଗି ହୋଇଥାଏ। ଶ୍ରୀମୁଖ ବ୍ୟତୀତ ଖଡ଼ିଲାଗି ହୋଇ ସର୍ବାଙ୍ଗ ଦିଶୁଥାଏ ଧଳା। ଆଉ ଏହି କଳାଧଳା ରୂପକୁ ଦେଖି ଅନେକ ଭକ୍ତ ରାଧାକୃଷ୍ଣଙ୍କ ପ୍ରେମରେ(ସମ୍ମିଳିତ ବିଗ୍ରହ ହୋଇଥଇବାରୁ) ତଲ୍ଲୀନ୍‌ ହୁଅନ୍ତି। କାରଣ ସାଧାରଣ ଭକ୍ତଟିଏ ଏମିତି ଅନୁଭବ କରେ ସତେ ଯେମିତି ମହାପ୍ରଭୁମାନେ ନବ ଯୌବନରେ ଉଦ୍‌ଭାସିତ ହେଉଛନ୍ତି ।

ଦର୍ଶନ ପୂର୍ବରୁ ହୁଏ ନେତ୍ରୋତ୍ସବ

ଏକାଦଶୀ ଦିନ ଦଶମୂଳ ଔଷଧ ଖାଇ ସୁସ୍ଥ ହେବାପରେ ବଡ଼ଠାକୁରଙ୍କୁ ପର୍ଯ୍ୟାୟ କ୍ରମେ ଉପଚାର କରାଯାଏ। ଖଳିଲାଗି ପରେ ଶ୍ରୀ ବିଗ୍ରହଙ୍କ ମୁଖମଣ୍ଡଳକୁ ବନକ ଲାଗି କରାଯାଏ। କିନ୍ତୁ ଏହି ବନକ ଲାଗି କରାଯିବା ସମୟରେ ବିଗ୍ରହମାନଙ୍କ ଚକ୍ଷୁ ମଧ୍ୟରେ ଥିବା ଡୋଳାକୁ ଛାଡ଼ି ଦିଆଯାଇଥାଏ। ନେତ୍ରୋତ୍ସବ ବା ନବଯୌବନ ଦର୍ଶନ ଦିନ ସିନ୍ଦୁରା ଫାଟିବା ଆଗରୁ ଆରମ୍ଭ ହୁଏ ନୀତି। ଦତ୍ତ ମହାପାତ୍ର ସେବକମାନେ ରୁପା ବଟାରେ କଳା ଗୋଳି ଅଣସର ପିଣ୍ଡିକୁ ନେଇଥାନ୍ତି। ସେଠାରେ ବିଗ୍ରହମାନଙ୍କ ବନକଲାଗି ବେଳେ ଛାଡ଼ି ଦିଆଯାଇଥିବା ଚକ୍ଷୁ ଡୋଳାକୁ କଳା ରଙ୍ଗରେ ବନକ କରାଯାଏ। ଏହାପରେ ସେବକମାନେ ଗାମୁଛା ପାରି ଠାକୁରମାନଙ୍କ ସମ୍ମୁଖରେ ନିଉଛାଳି(ଶ୍ରୀ ମନ୍ଦିର ପରମ୍ପରାରେ ଦଣ୍ଡ ପ୍ରଣାମ କରିବାର ବିଧି) ହୋଇଥା’ନ୍ତି।

ଏହାପରେ ଆରମ୍ଭ ହୁଏ ନବଯୌବନ ଦର୍ଶନ।  ଏହି ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବ୍ୟତୀତ ଅନ୍ୟ କୌଣସି ବିଗ୍ରହ ତାଙ୍କ ପାଖରେ ନ ଥାନ୍ତି। ଏପରିକି ସର୍ବଦା ମହାପ୍ରଭୁଙ୍କ ପାଦ ତଳେ ଲାଗି ହେଉଥିବା ମହାଲକ୍ଷ୍ମୀଙ୍କ ବିଗ୍ରହ ମଧ୍ୟ ଦକ୍ଷିଣ ଘରେ ବିରାଜମାନ ହୋଇଥାନ୍ତି। ଭାଇ ଭଉଣୀ ତିନି ଦିଅଁଙ୍କୁ ପାଖରୁ ଦର୍ଶନ କରି ସ୍ପର୍ଶ କରିବାର ସୁଯୋଗ ପାଆନ୍ତି ଭକ୍ତ। ଭକ୍ତ ଆଉ ଭଗବାନଙ୍କ ମହାମିଳନରେ ମହନୀୟ ହୋଇଉଠେ ନବଯୌବନ ଦର୍ଶନ।

 



from OdishaReporter https://ift.tt/2L4XAjj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages