
ଭୁବନେଶ୍ୱର: ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ୱେଲ୍ମାର୍କଡ୍ ଲଘୁଚାପ ଆଜି ଉତ୍ତର ଛତିଶଗଡ଼କୁ ଘୁଞ୍ଚିଯାଇଛି। ତେବେ ଆସନ୍ତା ୨୧ତାରିଖରେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟିହେବ। ଏହାର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ, ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ବିଭିନ୍ନ ସ୍ଥାନରେ ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ୧୯ ତାରିଖରେ ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟିହେବ ବୋଲି ସୂଚନା ଦିଆଯାଇଥିଲା।
କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ରେ କୁହାଯାଇଛି ଯେ, ଦୁଇଦିନ ତଳେ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। କିଛିସ୍ଥାନରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଥିବା ମଧ୍ୟ ରେକର୍ଡ ହୋଇଛି। ଆଜି ମଧ୍ୟ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇଛି। କିନ୍ତୁ ପୂର୍ବାପେକ୍ଷା ବର୍ଷାର ପରିମାଣ ଆଜି ହ୍ରାସ ପାଇଛି। ଫଳରେ ବିଭିନ୍ନ ନଦୀରେ ବଢ଼ୁଥିବା ଜଳସ୍ତର କ୍ରମଶଃ ହ୍ରାସ ପାଉଛି। ଏବେ ଉକ୍ତ ସ୍ପଷ୍ଟ ଲଘୁଚାପ ଉତ୍ତର ଛତିଶଗଡ଼ ଓ ବାରିପଦାର କିଛି ଅଂଶ ଉପରେ କେନ୍ଦ୍ରୀଭୂତ ହୋଇରହିଛି।
ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୯ ଓ ୨୦ ତାରିଖରେ ବର୍ଷାର ପରିମାଣ ହ୍ରାସ ପାଇବ। କିନ୍ତୁ ୨୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ଥିବାରୁ ବର୍ଷାର ପରିମାଣ ପୁଣି ବୃଦ୍ଧି ପାଇବ। ଏପରି କି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ବିଶେଷ କରି ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। କିଛି ନଦୀରେ ବନ୍ୟା ଆସିବାର ଆଶଙ୍କା ମଧ୍ୟ ରହିଛି। ଏବେଠାରୁ ୨୧ ତାରିଖ ଯାଏ ଯେଉଁ ବର୍ଷା ହେବ, ତାହାକୁ ମୌସୁମୀ ବର୍ଷା ଧରାଯିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏବେ ମଧ୍ୟ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି।
ଗତ ୨୪ ଘଣ୍ଟାରେ ଲଖନପୁରରେ ୧୬ ସେମି, ଯାଜପୁରରେ ୧୩, ସତ୍ୟବାଦୀରେ ୧୨, ଝାରସୁଗୁଡ଼ାରେ ୧୧, ତେଲ୍କୋଇରେ ୧୧, ହେମଗିରରେ ୧୦, ରାଜକନିକାରେ ୧୦, ଦେଓଗାଁରେ ୯, ଆଠଗଡ଼ରେ ୯, ଚଣ୍ଡିଖୋଲ୍ରେ ୯, ହୀରାକୁଦରେ ୭, ଧାମନଗରରେ ୭, ସମ୍ୱଲପୁରରେ ୬ ଓ ଟାଙ୍ଗୀରେ ୪ ସେମି ବର୍ଷା ରେକର୍ଡ କରାଯାଇଛି।
from OdishaReporter https://ift.tt/2uIbhuj
No comments:
Post a Comment