
ନୂଆଦିଲ୍ଲୀ: ନିକଟରେ ଜିଏସ୍ଟି କାଉନ୍ସିଲ୍ର ୨୮ତମ ବୈଠକରେ କିଛି ଅତ୍ୟାବଶ୍ୟକ ଓ ବିଳାଶ ସାମଗ୍ରୀ ଉପରେ ଟିକସ ହ୍ରାସ କରାଯାଇଥିଲା। ଏହି ନିଷ୍ପତ୍ତି ପରେ ଲାଗୁଥିଲା ଯେ ଟିଭ୍ ଓ କାର୍ ଭଳି ସାମଗ୍ରୀ ଶସ୍ତା ହୋଇଯିବ। କିନ୍ତୁ ଏବେ ଜିଏସ୍ଟି ପରିଷଦର ନିଷ୍ପତ୍ତିରେ ପାଣି ପଡ଼ିଯିବା ଭଳି ଖବର ଆସିଛି। ଅନ୍ତର୍ଜାତୀୟ ବଜାରରେ ଟଙ୍କାର ମୂଲ୍ୟ କ୍ରମାଗତ ହ୍ରାସ ପାଉଥିବାରୁ, ଏବେ ଟିଭି ଓ କାର୍ର ମୂଲ୍ୟ ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ଟିଭି ଓ କାର୍ ପାଇଁ ଆବଶ୍ୟକ ବିଭିନ୍ନ ସାମଗ୍ରୀ ବିଦେଶରୁ ଆମଦାନୀ ହୋଇଥାଏ। ତେଣୁ ଏଥିପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ। ଫଳରେ ଟିଭି ଓ କାର୍ର ମୂଲ୍ୟରେ ବୃଦ୍ଧି ଘଟିବ ବୋଲି ବିଭିନ୍ନ କମ୍ପାନୀ ପକ୍ଷରୁ ଆକଳନ କରାଯାଇଛି।
ବିଶ୍ୱରେ ଆରମ୍ଭ ହୋଇଥିବା ଟ୍ରେଡ୍-ୱାର୍ ବା ବାଣିଜ୍ୟ-ଯୁଦ୍ଧ ଏବଂ ଆମେରିକା ବଜାରରେ ସୁଧହାର ବଢ଼ୁଥିବାରୁ, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଆଶାତୀତ ଭାବେ ହ୍ରାସ ପାଉଛି। ଏପରି ସ୍ଥିତିରେ ଆଗକୁ ଟଙ୍କାର ମୂଲ୍ୟ, ଡଲାର ତୁଳନାରେ ଆହୁରି କମିବ। ଟଙ୍କାର ମୂଲ୍ୟ ହ୍ରାସ ପାଉଥିବାରୁ ଆମଦାନୀ ଦର ବୃଦ୍ଧି ପାଉଛି। ଫଳରେ ନିର୍ମାଣ କାର୍ଯ୍ୟ ମଧ୍ୟ ମହଙ୍ଗା ହେଉଛି। ଏବେ ଡଲାର୍ ତୁଳନାରେ ଟଙ୍କାର ମୂଲ୍ୟ ୬୯.୧ ରହିଛି। କାର୍ ନିର୍ମାଣକାରୀ କମ୍ପାନୀ ‘ମାରୁତି ସୁଜୁକି’ର ବରିଷ୍ଠ ନିର୍ଦ୍ଦେଶକ ଆର.ଏସ୍. କଲାସୀ କହିଛନ୍ତି, ‘ଏବେ ଡଲାର୍ ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବା ପରିସ୍ଥିତି ଉପରେ ଆମେ ନଜର ରଖିଛୁ। ଆମେ କାର୍ ନିର୍ମାଣ ପାଇଁ କିଣୁଥିବା ସାମଗ୍ରୀ ଗୁଡ଼ିକୁ ଡଲାର୍ ହିସାବରେ କିଣିଥାଉ। ଏବେ ଏହା ମହଙ୍ଗା ହେଉଛି। ତେଣୁ ଆଗକୁ ଦର ବଢ଼ିବ ବୋଲି ଆଶଙ୍କା କରାଯାଉଛି।’
from OdishaReporter https://ift.tt/2uPS5LV
No comments:
Post a Comment