
ମୁମ୍ବାଇ: ହିଂସାରେ ନୁହେଁ ପ୍ରେମରେ ଜିତିବୁ । ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଲିଙ୍ଗନ କରିଥିବା ଫଟୋକୁ ନେଇ ତିଆରି ହୋଇଥିବା ଏମିତି ଏକ ପୋଷ୍ଟର୍ ମହାରାଷ୍ଟ୍ରର ଅନ୍ଧେରି ଅଞ୍ଚଳରେ ଦେଖିବାକୁ ମିଳିଛି । ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ଏହି ପୋଷ୍ଟର୍ ଲଗାଯାଇଛି । ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସ ସଭାପତି ସଞ୍ଜୟ ନିରୁପମ୍ ନିଜ ଟ୍ୱିଟରରେ ଏଭଳି ପୋଷ୍ଟ୍ କରିଥିଲେ। ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ କୋଳାଗ୍ରତ କରିବା ପାଇଁ ଚେଷ୍ଟା କରିଥିଲେ। ଏହି ଦୃଶ୍ୟ ସାରା ଦେଶରେ ଏବେ ଆଲୋଚ୍ୟ ବିଷୟ ପାଲଟିଛି। ଅନ୍ୟପକ୍ଷରେ ଆସନ୍ତା ନିର୍ବାଚନ୍ରେ ବାଜି ହାସଲ ପାଇଁ କଂଗ୍ରେସର ଏହା ଏକ ଭିନ୍ନ ରଣନୀତି ବୋଲି କୁହାଯାଉଛି। ଲାଗିଥିବା ପୋଷ୍ଟରରେ ପାର୍ଲାମେଣ୍ଟର ରାହୁଲ-ମୋଦି ଆଲିଙ୍ଗନର ଫଟୋ ରହିଛି।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବିରୋଧୀଙ୍କ ପକ୍ଷରୁ ମୋଦି ସରକାରଙ୍କ ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ତେବେ ବିଭିନ୍ନ ପ୍ରସଙ୍ଗରେ ରାହୁଲ ଗାନ୍ଧି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କୁ ଟାର୍ଗେଟ କରିବା ପରେ ଅଚାନକ ସିଧା ମୋଦିଙ୍କ ନିକଟକୁ ଚାଲି ଯାଇଥିଲେ। ଆଉ ମୋଦିଙ୍କ ସହ କରମର୍ଦ୍ଦନ ପାଇଁ ହାତ ବଢ଼ାଇବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ। ରାହୁଲ ଆଲିଙ୍ଗନ କରି ଫେରୁଥିବା ବେଳେ ମୋଦି ତାଙ୍କୁ ପଛରୁ ଡାକି ହାତ ମିଳାଇବା ସହ ପିଠି ଥାପୁଡ଼ାଇ ଥିଲେ। ତେବେ ଗୃହରେ ସମସ୍ତ ସାଂସଦ ଏଭଳି ନାଟକୀୟ ଦୃଶ୍ୟ ଦେଖି ବିସ୍ମିତ ହୋଇ ଯାଇଥିଲେ।
ତେବେ ଏମିତି ଆଚରଣକୁ ନେଇ ସମାଲୋଚନାର ଶରବ୍ୟ ହୋଇଥିଲେ ରାହୁଲ। ଏମିତି କରି ରାହୁଲ ସଂସଦର ମର୍ଯ୍ୟାଦା ହାନି କରିଛନ୍ତି ବୋଲି କେତେକ ମତ ଦେଇଛନ୍ତି। ପୁଣି କେହି କେହି ରାହୁଲଙ୍କର ଏହା ପିଲାଳିଆମି ବୋଲି କହିଛନ୍ତି। ତେବେ ଏସବକୁ ନେଇ ୧୯’ ନିର୍ବାଚନ ପାଇଁ ଏକ ନୂଆ ଷ୍ଟ୍ରାଟେଜୀ କରିଛି କଂଗ୍ରେସ। ହେଲେ କଂଗ୍ରେସର ଏହି ରଣନୀତି କେତେ ଫଳପ୍ରଦ ହେଉଛି ତାହା ଦେଖିବାକୁ ବାକି ରହିଲା।
from OdishaReporter https://ift.tt/2zZ9Q0l
No comments:
Post a Comment