
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଐତିହ୍ୟ କ୍ୟାବିନେଟ୍ର ପ୍ରଥମ ବୈଠକରେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ଜମି ଆବଣ୍ଟନ କରିବା ନିଷ୍ପତ୍ତି ନେଇନଥିବାରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବେଗ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ବିଶ୍ୱସ୍ତରୀୟ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ନିମନ୍ତେ ଆଗାମୀ ଐତିହ୍ୟ କ୍ୟାବିନେଟ୍ ବୈଠକରେ ରାଜ୍ୟ ସରକାର ଜମି ଯୋଗାଇଦେବାର ନିଷ୍ପତ୍ତି ନେବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି । ସୋଶାଲ ମିଡିଆରେ ଏ ସମ୍ପର୍କରେ ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଚନ୍ତି ଯେ, ପ୍ରଥମ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଆ ବୀରର ଚରମ ଅଭିବ୍ୟକ୍ତି ଓ ଦେଶରେ ଇଂରେଜଙ୍କ ବିରୋଧରେ ପ୍ରଥମ ସଂଗଠିତ ସଶସ୍ତ୍ର ସଂଗ୍ରାମର ପ୍ରତୀକ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ନରେନ୍ଦ୍ର ମୋଦି ସରକାର ଉଦ୍ୟମ କରୁଥିବାବେଳେ ଓଡ଼ିଶା ସରକାର ସହଯୋଗର ହାତ ବଢ଼ାଇବା ଉଚିତ୍ । ପାଇକ ବିଦ୍ରୋହର ରକ୍ତଭିଜା ବରୁଣେଇ ପାହାଡ଼ ପାଦଦେଶରେ ଜମି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକଥର ରାଜ୍ୟ ସରକାରଙ୍କୁ ଚିଠି ଲେଖାଗଲାଣି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡଃ ମହେଶ ଶର୍ମା ଓ ସେ ନିଜେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହି ସ୍ମାରକୀ ନିର୍ମାଣ ପାଇଁ ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ୍ ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ରାଜ୍ୟ ସରକାରଙ୍କୁ ଅବଗତ ମଧ୍ୟ କରାଯାଇଛି । ତେଣୁ ଓଡ଼ିଆ ଜାତିର ଭାବାବେଗ ସହ ଜଡ଼ିତ ଇଂରେଜ ବିରୋଧରେ ଭାରତର ଏହି ପ୍ରଥମ ସଂଗଠିତ ସ୍ୱାଧୀନତା ସଂଗ୍ରାମର ସ୍ମୃତିରକ୍ଷା ଆଗାମୀ ଶହଶହ ବର୍ଷ ପାଇଁ ସମଗ୍ର ବିଶ୍ୱର ନଜରକୁ ଓଡ଼ିଶା ଆଡ଼କୁ ଟାଣିବା ପାଇଁ ଏକ ପେଣ୍ଠସ୍ଥଳୀ ହୋଇପାରିବ ବୋଲି ସେ କହିଛନ୍ତି ।
ଗତକାଲି ଐତିହ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା କିଛି ନିଷ୍ପତ୍ତି ରାଜ୍ୟର ଇତିହାସକୁ ୧୦୦ବର୍ଷ ଭିତରେ ସୀମିତ ରଖିବା ଭଳି ମାନସିକତାର ପରିପ୍ରକାଶ ଭଳି ଲାଗୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଓଡ଼ିଶାର ହଜାର ହଜାର ବର୍ଷର ଲମ୍ବା ଐତିହ୍ୟ ଓ ବୀରତ୍ୱର କାହାଣୀ ଖାଲି ଦେଶ ନୁହେଁ, ସମଗ୍ର ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ରଖୁଛି । ଅବଶ୍ୟ ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଐତିହ୍ୟ କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତିକୁ ଶ୍ରୀ ପ୍ରଧାନ ସ୍ୱାଗତ କରିଛନ୍ତି । କିନ୍ତୁ ଏହି ବିଳମ୍ବିତ ନିଷ୍ପତ୍ତି ପାଇଁ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛାଇ ନାହାନ୍ତି ।
from OdishaReporter https://ift.tt/2vduWlT
No comments:
Post a Comment