ନୟାଗଡ଼ରେ ଅରୁଣଙ୍କ ଦଳଭଙ୍ଗା ରାଜନୀତି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ନୟାଗଡ଼ରେ ଅରୁଣଙ୍କ ଦଳଭଙ୍ଗା ରାଜନୀତି !

ଭୁବନେଶ୍ୱର (ରମେଶ ରଥ): ବର୍ତ୍ତମାନ ନୟାଗଡ଼ ବିଜେଡି ରାଜନୀତିର ମଣିଖୁଣ୍ଟ ହେଲେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ। ସେ ଯେତେବେଳେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ନୂଆ ହୋଇ ପ୍ରାର୍ଥୀ ହୋଇଥିଲେ, ସେତେବେଳେ ତାଙ୍କୁ ବିଦେଶୀ ବୋଲି ଆଖ୍ୟା ଦେଉଥିବା ଲୋକଙ୍କର ମୁହଁ ବନ୍ଦ କରିବାରେ ସଫଳ ହୋଇଛନ୍ତି ଅରୁଣ। କାରଣ ଅରୁଣଙ୍କ ଘର ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରାସଙ୍ଗ ଗାଁରେ। ପୂର୍ବତନ ମନ୍ତ୍ରୀ ଭାଗବତ ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ମନ୍ଦାକିନୀ ବେହେରାଙ୍କୁ କୌଶଳରେ ନୟାଗଡ଼ରୁ ହଟାଇ ନିଜର ଆସ୍ଥାନ ଜମାଇବାରେ ସଫଳ ହୋଇପାରିଥିଲେ ଅରୁଣ। ଜିଲ୍ଲାର ଚାରୋଟି ଯାକ ନିର୍ବାଚନ ମଣ୍ଡଳୀରେ ତାଙ୍କ ମର୍ଜି ବିନା କିଛି ହୁଏନାହିଁ। ବିଜେଡ଼ି ରାଜନୀତି ଓ ପ୍ରଶାସନର ପତ୍ର ତାଙ୍କ ଈସାରାରେ ହିଁ ହଲେ। ଖାଲି ବିଜେଡ଼ି ରାଜନୀତି କାହିଁକି, ବିରୋଧୀ ଦଳର ରାଜନୀତି ଉପରେ ତାଙ୍କର ତୀକ୍ଷ୍ଣ ନଜର। ନିଜ ଦଳକୁ ମଜଭୁତ କରିବା ଅପେକ୍ଷା, ବିରୋଧୀ ଦଳକୁ ଦୁର୍ବଳ କରିବା ରାଜନୀତିରେ ସେ ଅଧିକ ବିଶ୍ୱାସ କରନ୍ତି। ତା’ର ଅନେକ ଉଦାହରଣ ଅଛି। ବିରୋଧୀ ଦଳରେ ଭେଦିଆ ଛାଡ଼ି ସେ ଦଳରେ ବିଭ୍ରାଟ ସୃଷ୍ଟି କଲେ ହିଁ ନିଜ ଦଳ ସବଳ ବୋଲି ସାଧାରଣରେ ବାର୍ତ୍ତା ଯିବ।

ନିକଟରେ ନୟାଗଡ଼ରେ ବିଜେପି ଦଳ ବୈଠକରେ ଗଣ୍ଡଗୋଳ ତାର ନମୂନା। ଗତ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଲାଲା ମନୋଜ ରାୟ ଏବେ ନୟାଗଡ଼ ବିଜେପିରେ ଯୋଗ ଦେଇଛନ୍ତି। ଆସନ୍ତା ନିର୍ବାଚନରେ ଲାଲା ମନୋଜଙ୍କର ଧର୍ମପତ୍ନୀ ଇରାନୀ ରାୟ ନୟାଗଡ଼ରୁ ବିଜେପିର ଆଶାୟୀ ପ୍ରାର୍ଥୀ।  କଂଗ୍ରେସରୁ ଦଳବଳ ନେଇ ସେ ବିଜେପିରେ ଯୋଗଦେଇଛନ୍ତି। କିନ୍ତୁ ନୟାଗଡ଼ ବିଜେପି ଭିତରୁ ତାଙ୍କୁ ପ୍ରବଳ ବିରୋଧ ହେଉଛି। ନିଜକୁ ମୂଳ ବିଜେପି ବୋଲି କହୁଥିବା କିଛି ନେତା ତାଙ୍କୁ ବିରୋଧ କରୁଛନ୍ତି। ନିକଟରେ ଶେଷ ହୋଇଥିବା ଏକ ଦଳୀୟ ବୈଠକରେ ଲାଲାଙ୍କୁ ବିରୋଧ କରି ଗଣ୍ଡଗୋଳ ହୋଇଥିଲା। ମାର୍‌ପିଟ୍‌ ପର୍ଯ୍ୟନ୍ତ କଥା ଗଲା। ଗଣ୍ଡଗୋଳ ଭିଆଇଥିବା ବିଜେପି ନେତାମାନଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଏଠି ପ୍ରଶ୍ନ ଉଠୁଛି, ହାତାହାତି ଗଣ୍ଡଗୋଳ ପଛରେ କାହାର ହାତ ଥିଲା? ଗଣ୍ଡଗୋଳର ଆବଶ୍ୟକତା ଥିଲା କି?

ଏହି ଗଣ୍ଡଗୋଳକୁ କୁଆଡେ଼ ବିଧାୟକ ଚାହିଁ ବସିଥିଲେ। ଏଥିପାଇଁ କୁଆଡେ଼ ବିଧାୟକଙ୍କ ଈସାରା ଥିଲା ବୋଲି କୁହାଯାଉଛି। ବିଜେପିରେ ହାତାହାତି ଖବର ଯେ ବିଜେପିକୁ ଦୁର୍ବଳ କରିବ, ଏଥିରେ ସନ୍ଦେହ ନାହିଁ। କାରଣ ସାଧାରଣରେ ବାର୍ତ୍ତା ଯିବ ଯେ, ଆରମ୍ଭରୁ ତ ନିଜନିଜ ଭିତରେ ମାଡ଼ଗୋଳ ଲାଗିଲେଣି, ଆଉ ଆଗକୁ ଏମାନେ ଅରୁଣଙ୍କ ସହ ଲଢ଼ିବେ କ’ଣ? ଏହା ହିଁ ଚାହାଁନ୍ତି ଅରୁଣ। ଅନ୍ୟପକ୍ଷରେ ନୟାଗଡ଼ରେ କଂଗ୍ରେସ ଦୁର୍ବଳ ହୋଇ ରହିଛି। ବିଜେପିକୁ ଦୁର୍ବଳ କରିଦେଲେ ଗଲା। ବାଟ ସଫା। ନୟାଗଡ଼ରେ କଂଗ୍ରେସ ଦଳରେ ନେତୃତ୍ୱ ସଙ୍କଟ ଦେଖାଦେଇଛି। ପ୍ରଥମେ ହେମେନ୍ଦ୍ରଙ୍କ ପରଲୋକ ଓ ପରେ ଲାଲା କଂଗ୍ରେସରୁ ଯିବା ଫଳରେ, କଂଗ୍ରେସର ସ୍ଥିତି ବହୁତ ଦୁର୍ବଳ ହୋଇଯାଇଛି। କିନ୍ତୁ ବିଜେପିରେ ଇରାନୀ ରାୟ ମିଶିବା ପରେ ବିଜେପିର  ସଙ୍ଗଠନ ସବଳ ହେବାରେ ଲାଗିଛି। ସୁତରାଂ ଏବେ ବିଜେପି ଉପରେ ଆଖି ପଡ଼ିଛି ଅରୁଣଙ୍କର। ବିଜେପିରେ ବିଭ୍ରାଟ ହେବାରେ ବିଧାୟକଙ୍କ ହାତ ଅଛି ବୋଲି ଚର୍ଚ୍ଚା ଧରିବା ସ୍ୱାଭାବିକ୍। କାରଣ ପରଦଳ ଭଙ୍ଗା ରାଜନୀତି ହିଁ ଅରୁଣଙ୍କର ପ୍ରିୟ ରାଜନୀତି। ଠିକ୍ ସେପରି ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ସାମିଲ କରି ବିରୋଧୀଙ୍କୁ ଦୁର୍ବଳ କରିବା ଏହି ରାଜନୀତିର ଅଂଶ ବିଶେଷ। ଏଠି ଜଣାପଡ଼େନି କଂଗ୍ରେସରେ ଥିବା ନେତାଟି ହଠାତ୍ ବିଜେଡିରେ ମିଶିଗଲେ ସେ ଶୁଦ୍ଧ ଗଙ୍ଗାଜଳ କେମିତି ହେଇଯାଉଛି! କେବଳ ଅନ୍ୟ ଦଳକୁ ଦୁର୍ବଳ କରି ଜନଭାବନାକୁ ବିଭ୍ରାନ୍ତ କରିବା ହେଉଛି ଏହି ଦଳ ଭଙ୍ଗା ରାଜନୀତିର ମୂଳ କୌଶଳ।

ଭାଗବତ ବେହେରାଙ୍କ ବିଜେଡ଼ି ଗଡ଼ ନୟାଗଡ଼ରେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଅରୁଣ ସାହୁଙ୍କୁ ଟକ୍କର ଦେବା ପାଇଁ ରାଜାପୁଅ ହେମେନ୍ଦ୍ର ସିଂହ ରାଜନୀତିକୁ ଓହ୍ଲାଇଥିଲେ। ଏପରିକି ନୟାଗଡ଼ ଏନ୍ଏସିରେ ଅଧିକ କାଉନସିଲର୍‌ଙ୍କୁ ଜିତାଇ ଅଧ୍ୟକ୍ଷ ପଦ ଅକ୍ତିଆର କରିବାରେ ସଫଳ ହୋଇଥିଲେ ହେମେନ୍ଦ୍ର। କିନ୍ତୁ ଏବେ  ନୟାଗଡ଼ ଏନ୍.ଏ.ସି. ଅଧ୍ୟକ୍ଷ ଗୁରୁ ଜେନା, ଯିଏ କି କଂଗ୍ରେସ ଦଳରେ ଦୀର୍ଘଦିନ ଧରି ଥିଲେ, ସେ ଏବେ ଅରୁଣଙ୍କ କ୍ୟାମ୍ପରେ। ଯେହେତୁ ନୟାଗଡ଼ ସହରର ଭୋଟ୍‌ ଅରୁଣଙ୍କ ବିପକ୍ଷରେ ଗଲା, ତାକୁ ହାତେଇବା ପାଇଁ ଅରୁଣଙ୍କ ଆଖି ପଡ଼ିଲା ଏନ୍.ଏ.ସି. ଅଧ୍ୟକ୍ଷଙ୍କ ଉପରେ। ଶେଷରେ କଳେବଳେ କୌଶଳେ ତାଙ୍କୁ ନେବାରେ ସମର୍ଥ ହେଲେ ଅରୁଣ। ଠିକ୍ ସେହିପରି ହେମେନ୍ଦ୍ରଙ୍କ ଉପରେ ଆଖି ପଡ଼ିଥିଲା ଅରୁଣଙ୍କର। ହେମେନ୍ଦ୍ରଙ୍କୁ ନେଇ ସାଂସଦ ପିନାକୀ ମିଶ୍ର ଚିନ୍ତାରେ ଥିଲେ। ପୁରୀ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ନୟାଗଡ଼ ଆସୁଥିବାରୁ, ହେମେନ୍ଦ୍ର ସିଂହ ପୁରୀ ସାଂସଦ ପିନାକୀଙ୍କ ପାଇଁ କାଳ ପାଲଟିଥିଲେ। ହେମେନ୍ଦ୍ରଙ୍କ ଜନଆଦୃତି ଦେଖି ପିନାକୀ ଓ ଅରୁଣ ଛାନିଆ ହୋଇପଡ଼ିଥିଲେ। ତେଣୁ ହେମେନ୍ଦ୍ରଙ୍କୁ ବିଜେଡ଼ିରେ ମିଶାଇ କନ୍ଧମାଳ ଲୋକସଭାରୁ ସାଂସଦ କରିଦେଲେ। ନିଜ ପାଇଁ ରାଜନୈତିକ କଣ୍ଟା ହୋଇଥିବା ହେମେନ୍ଦ୍ରଙ୍କୁ ବାଟରୁ ହଟାଇବାରେ ସଫଳ ହେଲେ ପିନାକୀ ଓ ଅରୁଣ। ଦୁର୍ଯୋଗକୁ ହେମେନ୍ଦ୍ରଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାରୁ ଦେହାନ୍ତ ହେଲା। ହେମେନ୍ଦ୍ର କନ୍ଧମାଳ ଲୋକକସଭାରୁ ବିଜୟୀ ହେବା ପରେ ନୟାଗଡ଼ରୁ ଅରୁଣଙ୍କ କଣ୍ଟା ଗଲା।

ହେମେନ୍ଦ୍ରଙ୍କ ପରେ ତାଙ୍କ ପତ୍ନୀ ପ୍ରତ୍ୟୁଷା ଦେବୀ କନ୍ଧମାଳରୁ ସାଂସଦ ହେଲେ। ଏବେ ଚର୍ଚ୍ଚାରେ ପ୍ରତ୍ୟୁଷା ଦେବୀ। ସିଏ କୁଆଡେ଼ ନୟାଗଡ଼ ବିଧାୟକ ପଦ ପାଇଁ ଆଗ୍ରହୀ। ଏ ଖବର ଅରୁଣଙ୍କ କାନରେ ପଡ଼ିଛି। ଶୁଣାଯାଉଛି ନୟାଗଡ଼ ଆସନକୁ ବଞ୍ଚାଇବା ପାଇଁ ବିଜେଡି ରାଜ୍ୟ ନେତୃତ୍ୱ ଏକ ନୂଆ ପଦକ୍ଷେପ ନେଉଛନ୍ତି। ନୟାଗଡ଼ରେ ଅରୁଣଙ୍କୁ ଆଉଥରେ ଟିକେଟ ଦେଇ ଦଳ ରିସ୍କ ନେବାକୁ ଚାହୁଁନାହିଁ। ନୟାଗଡ଼ରୁ ଅରୁଣଙ୍କୁ ହଟାଇ ପ୍ରତ୍ୟୁଷାଙ୍କୁ ଆଣି ବସାଇଲେ ଲୋକମତ ବିଜେଡି ସପକ୍ଷରେ ରହିବ ଓ ଆସନଟି ବଞ୍ଚିଯିବ ବୋଲି କୁଆଡେ଼ ବିଚାର କରାଯାଉଛି। ସେପଟେ ଅରୁଣଙ୍କୁ କନ୍ଧମାଳ ଲୋକସଭା ଆସନକୁ ପଠାଇ ଦେଲେ  ସେଠାରେ ତାଙ୍କର ଜିତିବା ସହଜ ହେବ। କିନ୍ତୁ ନୟାଗଡ଼ରେ ବିଜେଡି ଭିତରେ ଆଉଜଣେ ଦାବିଦାର ଦୀର୍ଘଦିନ ଧରି ଅଛନ୍ତି। ତାଙ୍କର ନୟାଗଡ଼ ରାଜନୀତିରେ ମଧ୍ୟ ଯଥେଷ୍ଟ ପ୍ରଭାବ ରହିଛି। ସେ ହେଉଛନ୍ତି ରଣପୁରର ପୂର୍ବତନ ବିଧାୟକ ବାଦଲ ପ୍ରଧାନ। ନୟାଗଡ଼ରୁ ବାଦଲଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ଅରୁଣ, ତାଙ୍କୁ ରଣପୁରକୁ ବହୁବର୍ଷ ପୂର୍ବେ ଠେଲି ଦେଇଥିଲେ। ବାଦଲ ୨୦୦୯ ମସିହାରେ ରଣପୁରରୁ ବିଧାୟକ ହୋଇଥିଲେ। କିନ୍ତୁ ଗତ ବିଧାନସଭା ନିର୍ବାଚନରେ ବାଦଲଙ୍କ ଟିକେଟ କଟିଲା। ରାଜ୍ୟସଭା ସାଂସଦ ହୋଇ ଅଳ୍ପଦିନ ପରେ ତଡ଼ା ଖାଇଥିବା ରବି ମହାପାତ୍ରଙ୍କୁ ବାଦଲଙ୍କ ଜାଗାରେ ଥଇଥାନ କରାଯାଇଥିଲା। ଏବେ ବାଦଲ ନୟାଗଡ଼ ଆସନରୁ ବିଜେଡ଼ିର ଅନ୍ୟତମ ଆଶାୟୀ ପ୍ରାର୍ଥୀ। ସୁତରାଂ ପ୍ରତ୍ୟୁଷା ଓ ବାଦଲ ପ୍ରଧାନଙ୍କ ମଧ୍ୟରେ ନୟାଗଡ଼ ପାଇଁ ବିବାଦ ଦେଖାଦେବ। ହୁଏତ ଭାଗବତ ବେହେରାଙ୍କ ଧର୍ମପତ୍ନୀଙ୍କୁ ଯେମିତି ରାଜନୀତିରୁ ହଟା ଯାଇଥିଲା, ଠିକ୍  ସେହିପରି ପ୍ରତ୍ୟୁଷାଙ୍କ କ୍ଷେତ୍ରରେ ଘଟିପାରେ।  ଭାଗବତଙ୍କ ଧର୍ମପତ୍ନୀଙ୍କୁ ହଟାଇ ଅରୁଣ ସେଠାରୁ ବିଧାୟକ ହୋଇଥିଲେ। ନୟାଗଡ଼ର ବରିଷ୍ଠ ନେତା ଭାଗବତ ବେହେରାଙ୍କ ପରେ ନୟାଗଡ଼ ରାଜନୀତିକୁ ପ୍ରବେଶ କରିଥିଲେ ତାଙ୍କ ଧର୍ମପତ୍ନୀ ମନ୍ଦାକିନୀ ବେହେରା। ଭାଗବତଙ୍କ ଦେହାନ୍ତ ଯୋଗୁଁ ଉପନିର୍ବାଚନ ହୋଇଥିଲା। ସେଥିରେ ମନ୍ଦାକନୀ ବିଜୟୀ ହୋଇଥିଲେ। ଏହି ନିର୍ବାଚନ ସମୟରେ ଅରୁଣ ସାହୁ କୌଣସି ମତେ ପ୍ୟାରୀମୋହନ ମହାପାତ୍ରଙ୍କ ଆଶିଷ ପାଇ ନିଜକୁ ପ୍ରଚାରରେ ସାମିଲ କରିଥିଲେ। ତା ପର ସାଧାରଣ ନିର୍ବାଚନ ବେଳକୁ ଭାଗବତ ବେହେରାଙ୍କ ପତ୍ନୀଙ୍କୁ ରାଜନୀତିରୁ ନିର୍ବାସିତ ହେବାକୁ ପଡ଼ିଥିଲା। ଅରୁଣ ସାହୁ ପରବର୍ତ୍ତୀ ନିର୍ବାଚନରେ ନିଜ ପାଇଁ ବିଜେଡ଼ିରୁ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ଯୋଗାଡ଼ କରିପାରିଲେ। ସେ ସମୟରେ ନୟାଗଡ଼ ଏନ୍.ଏ.ସି ଅଧ୍ୟକ୍ଷ ସତ୍ୟନାରାୟଣ (ବାଦଲ) ପ୍ରଧାନ ବିଜେଡ଼ିରୁ ଆଶାୟୀ ଥିଲେ। ସେ ଭାଗବତ ବେହେରାଙ୍କର ଜଣେ ଜଣାଶୁଣା ସହଯୋଗୀ ଥିଲେ। ତେଣୁ ଭାଗବତ ବାବୁଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ସେ ନିଜର ଦାବି ରଖିଥିଲେ। କିନ୍ତୁ ସମସ୍ତଙ୍କୁ ଚକ୍‌ମା ଦେଇ ଅରୁଣ ଟିକେଟ୍ ହାତେଇ ନେଲେ।

ଅରୁଣ ଯଦିବା ମୂଳତଃ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଲୋକ, ତଥାପି ନୟାଗଡ଼ ରାଜନୀତିରେ ପ୍ରବେଶ କରିପାରିଲେ। ଏହି ନିର୍ବାଚନର ପ୍ରଥମରୁ ଅରୁଣ ପ୍ରବଳ ବିରୋଧର ସମ୍ମୁଖୀନ ହେଲେ। କିନ୍ତୁ ବାଦଲ ପ୍ରଧାନ ଓ ଅନ୍ୟ ନେତାଙ୍କୁ କୌଶଳ କରି ବଶ କରିବାରେ ସକ୍ଷମ ହୋଇଥିଲେ। ନୟାଗଡ଼ ହେଉଛି ଜନତା ଦଳର ଗଡ଼ ଭାବେ ପରିଚିତ। ତେଣୁ ସ୍ୱାଭାବିକ ଭାବେ ବିଜେଡ଼ି ସପକ୍ଷରେ ଭୋଟ୍ ଗଲା ଓ ଅରୁଣ ଜିତିଗଲେ। ତା ପରଠାରୁ ନୟାଗଡ଼ ଜିଲ୍ଲାରେ ଅରୁଣଙ୍କ ପତିଆରା ବଢ଼ିବାରେ ଲାଗିଲା ଏବଂ ସମଗ୍ର ନୟାଗଡ଼ ଜିଲ୍ଲାର ଚାରୋଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ତାଙ୍କର ନିୟନ୍ତ୍ରଣ ରହିଲା। ଯଦିବା ରଣପୁର, ଖଣ୍ଡପଡ଼ା ଓ ଦଶପଲ୍ଲାର ବିଧାୟକ ବିଜେଡ଼ିର, ତଥାପି ଅରୁଣଙ୍କ ବିନା ଅନୁମତିରେ ପତ୍ର ବି ହଲେନି। ତାଙ୍କୁ ଟକ୍କର ଦେବା ପାଇଁ ନୟାଗଡ଼ ରାଜପରିବାର ସଦସ୍ୟ ହେମେନ୍ଦ୍ର ଚନ୍ଦ୍ର ସିଂ ରାଜନୀତିରେ ପ୍ରବେଶ କରିଥିଲେ। ଯେହେତୁ ଅରୁଣ ସାହୁ ନୟାଗଡ଼ରେ ବିଜେଡ଼ିର ନେତୃତ୍ୱ ନେଉଥିଲେ, ତେଣୁ ହେମେନ୍ଦ୍ର କଂଗ୍ରେସ ପାଇଁ ଅଣ୍ଟା ଭିଡ଼ିଥିଲେ। କିନ୍ତୁ ସେ ସମୟରେ କଂଗ୍ରେସ ଉପରେ ବିଜେଡ଼ିର ପ୍ରଭାବ ରହିଥିବାରୁ ଲୋକାଦୃତ ପ୍ରାର୍ଥୀ ହେମେନ୍ଦ୍ରଙ୍କୁ କଂଗ୍ରେସ ଟିକେଟ ନଦେଇ ସନ୍ଧ୍ୟାରଣୀ ମହାପାତ୍ରଙ୍କୁ ଟିକେଟ ଦେଇଥିଲା। ଯିଏକି ମାତ୍ର ୫ ହଜାର ଭୋଟ ପାଇଥିଲେ ଓ ହେମେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ହୋଇ ଅରୁଣଙ୍କଠାରୁ ମାତ୍ର ଅଳ୍ପ ଭୋଟ୍‌ରେ ପରାଜିତ ହୋଇଥିଲେ। କଂଗ୍ରେସ ସେ ସମୟରେ ହେମେନ୍ଦ୍ରଙ୍କୁ ଟିକେଟ ଦେଇଥିଲେ ଅରୁଣ ବୋଧହୁଏ ହାରିଥାନ୍ତେ। କିନ୍ତୁ କଂଗ୍ରେସ ଜଣେ ବିଜୟୀ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ୍ ନଦେଇ କାହିଁକି ଜଣେ ନିର୍ବାଚନ ମଣ୍ଡଳୀରେ ଅପରିଚିତ ବ୍ୟକ୍ତିଙ୍କୁ ଦେଲା ତା’ର ପ୍ରମାଣ ନଥିଲେ ବି, ରାସ୍ତାଘାଟରେ ଆଲୋଚନା ହେଲା ଯେ, ସନ୍ଧ୍ୟାଙ୍କ ପାଇଁ ଅରୁଣ ହିଁ କଂଗ୍ରେସ ଟିକେଟ କରାଇଦେଲେ। ଆଉ ନୟାଗଡ଼ରେ କଂଗ୍ରେସ ଦଳ ଭୁଶୁଡ଼ିବାରେ ଖୋଦ୍ କଂଗ୍ରେସର ଅବଦାନ ଯଥେଷ୍ଟ ରହିଲା। ବହୁବର୍ଷ ପୂର୍ବରୁ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ନିର୍ବାଚନରେ ବଂଶୀଧର ସାହୁ ସମାନ ଭାବେ ସଂଖ୍ୟାଗରିଷ୍ଠ ସଭ୍ୟଙ୍କ ସମର୍ଥନ ଥିବା ସତ୍ତ୍ୱେ ପରାଜିତ ହୋଇଥିଲେ। ସେ ସମୟରେ କଂଗ୍ରେସ ସଭ୍ୟ ବିଜେଡି ସପକ୍ଷରେ ଭୋଟ ଦେଇ ରୁଦ୍ର ରାୟଙ୍କୁ ବିଜୟୀ କରିଥିଲେ। ନୟାଗଡ଼ରେ କଂଗ୍ରେସ ସବୁବେଳେ ଆତ୍ମଘାତୀ କାର୍ଯ୍ୟ କରି ନିଜକୁ ନିଜେ ନଷ୍ଟ କରିଛି କିଛି ଦଗଲ୍‌ବାଜ୍‌ଙ୍କୁ ନେଇ। ଆଉ ଏହି ଦଗଲ୍‌ବାଜ୍‌ଙ୍କୁ ତିଆରି କରିଛନ୍ତି କଂଗ୍ରେସର କଟ୍ଟର ବିରୋଧୀ ନେତାମାନେ।

 

 

 

 



from OdishaReporter https://ift.tt/2JjMJwR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages