
ବରଗଡ଼ (ଦୀପକ ଶର୍ମା): ବଞ୍ଚିଥିବା ଯୁବକଙ୍କୁ ମୃତ ଘୋଷଣା କରି ପୁଲିସ ଦୁଇ ଜଣଙ୍କୁ ବାନ୍ଧିଲା। ମାଡ଼ରେ ଘାଇଲା ହେବା ପରେ ସେମାନେ ମିଛରେ ହତ୍ୟା କରିଛନ୍ତି ବୋଲି ସ୍ୱୀକାର ମଧ୍ୟ କଲେ। ସେମାନଙ୍କ ବୟାନ୍ ଆଧାରରେ ପୁଲିସ ନଦୀପଠାରେ ଶବ ଖୋଜିଥିଲା। ମାତ୍ର ମୃତଦେହର ପତ୍ତା ମିଳିନଥିଲା। ଏହା ସତ୍ତ୍ୱେ ପୁଲିସ ସମ୍ପୃକ୍ତ ଯୁବକ ଦ୍ୱୟଙ୍କୁ ଜେଲ୍ ପଠାଇଦେଲା। ଘଟଣା ଘଟିବାର ୧୯ ମାସ ପରେ ନିଖୋଜ ଯୁବକଙ୍କ ପତ୍ତା ମିଳିଲା। ୪ ଦିନ ତଳେ ଯୁବକ ଜଣକ ଘରକୁ ଫେରିଛି। ହଜିଲା ପୁଅକୁ ପାଇବା ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଛି। ଅନ୍ୟପକ୍ଷରେ ବିନା କାରଣରେ ଯେଉଁ ଦୁଇ ଜଣ ଯୁବକ ଜେଲ୍ ଯାଇଥିଲେ, ସେମାନଙ୍କ ପରିବାର ଦୁଃଖ ଓ ଯନ୍ତ୍ରଣାରେ ଦିନ ଅତିବାହିତ କରୁଛି। ଏପରି ଘଟଣା ବରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି। ଏପରିକି ପୁଲିସର ପାରିବାପଣିଆକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୂରା ଘଟଣା ଏମିତି। ପାଇକମାଳ ଥାନା ପିପିଲିପାଲି ଗାଁର ମନୋରଞ୍ଜନ ଦଂଶନାଙ୍କ ୧୮ ବର୍ଷର ପୁଅ ଜିତୁ ଅସୁସ୍ଥ ହୋଇପଡ଼ିଥିଲେ। ୨୦୧୬ ମସିହା ଡିସେମ୍ୱରରେ ସେ ବରଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ମାତ୍ର ଆଉ ଘରକୁ ଫେରିନଥିଲେ। ମନୋରଞ୍ଜନ ପୁଅକୁ ଚାରିଆଡ଼େ ଖୋଜି ନପାଇ ଶେଷରେ ପାଇକମାଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ବରଗଡ଼ ସହର ବିଶିପଡ଼ାର ରାଘବ ନାୟକ ଓ ହଲୁ ଗୁଲ୍ଲା ନାମକ ଦୁଇ ଜଣ ଯୁବକଙ୍କୁ ଉଠାଇ ଆଣି ଜେରା କରିଥିଲା। ଜେରା ସମୟରେ ପୁଲିସ ସେମାନଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ଖାଇ ବେହାଲ ହେବା ପରେ ସେମାନେ ଜିତୁକୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଏପରିକି ହତ୍ୟା କରି ଜିରା ନଦୀରେ ପୋତି ଦେଇଥିବା ପୁଲିସକୁ କହିଥିଲେ। ସେମାନଙ୍କ ବୟାନ୍କୁ ଆଧାର କରି ପୁଲିସ ନଦୀପଠାରେ ଖୋଳା ଖୋଳି କରିଥିଲେ ମଧ୍ୟ ମୃତଦେହ ପାଇନଥିଲା। ଏହା ପରେ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବର୍ଷେ ଜେଲ ଦଣ୍ଡ ଭୋଗିବା ପରେ ସେମାନେ ବେଲ୍ରେ ଆସିଥିଲେ।
ଘଟଣା ଘଟିବାର ୧୯ ମାସ ପରେ ଅର୍ଥାତ ୪ ଦିନ ତଳେ ଜିତୁ କଲିକତାରେ ଥିବା ପରିବାର ଲୋକେ ଶୁଣିବାକୁ ପାଇଥିଲେ। ପରେ ଯାଇ ତାଙ୍କୁ ସେଠାରୁ ଆଣିଥିଲେ। ହଜିଲା ପୁଅ ଘରକୁ ଫେରିବା ପରେ ପରିବାରରେ ଆନନ୍ଦର ଲହରୀ ଖେଳି ଯାଇଛି। ଅନ୍ୟପକ୍ଷରେ ବିନା ଦୋଷରେ ପୁଲିସଠାରୁ ମାଡ଼ ଖାଇ ବର୍ଷେ ଜେଲ୍ ଭୋଗିଥିବା ରାଘବ ନାୟକ ଓ ହଲୁ ଗୁଲ୍ଲାଙ୍କ ପରିବାରରେ କଳା ବାଦଲ ଘୋଟି ଯାଇଛି। ସେମାନେ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି। ଫଳରେ କାମଧନ୍ଦା କରିବାକୁ ଯାଇପାରୁ ନାହାନ୍ତି।
ଘରକୁ ଫେରିବା ପରେ ଜିତୁ କହିଛନ୍ତି-“ବରଗଡ଼କୁ ଆସିଥିବା ବେଳେ ଲୁଟ୍ରେ ଶିକାର ହୋଇଥିଲେ। ଦୁର୍ବୃତ୍ତମାନେ ନିଶା ଦେଇ ମୋଠାରୁ ମୋବାଇଲ ଓ ସମସ୍ତ ଟଙ୍କା ଲୁଟି ନେଇଥିଲେ। ନିଶାରେ ମୁଁ ଟ୍ରେନ୍ରେ କଲିକତା ଚାଲି ଯାଇଥିଲି।”
ପାଇକମାଳ ଥାନା ଆଇଆଇସି ବିଶ୍ୱଜିତ ମନବୋଧ କହିଛନ୍ତି-“ଜିତୁଙ୍କ ମୋବାଇଲ୍ ଆଧାରରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଜିତୁ ଘରକୁ ଫେରିଆସିଥିବାରୁ ହତ୍ୟା ମାମଲା ଉଠାଇ ଦିଆଯିବ।”
ଅନ୍ୟପକ୍ଷରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ଏଡିଜି ଓ ବରଗଡ଼ ଜିଲ୍ଲାପାଳଙ୍କୁ OHRC ନୋଟିସ କରିଛନ୍ତି। ୬ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ADG ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ସଂପୃକ୍ତ ଯୁବକଙ୍କ ମାନସିକ ଚିକିତ୍ସା କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତ ଯୁବକ ଓ ଦାୟତ୍ୱହୀନ ପୁଲିସ କୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନରେ ଗିରଫ ୨ ଯୁବକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ OHRC ନିର୍ଦ୍ଦେଶ ଦେଇଛନ୍ତି।
from OdishaReporter https://ift.tt/2megVAw
No comments:
Post a Comment