
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପ ବିଜୟୀ ହେବା ପରେ ନିଜ ଦେଶକୁ ଫେରିଛି ଚାମ୍ପିୟନ ଫ୍ରାନ୍ସ ଦଳ। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ରେ ସେମାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସେଠାରେ ପହଞ୍ଚିବା ପରେ ଏକ ଖୋଲା ବସ୍ରେ ନିଆଯାଇ ସହର ପରିକ୍ରମା କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ଫୁଟବଲ୍ ଫ୍ୟାନ୍ ଉପସ୍ଥିତ ରହି ବିଭିନ୍ନ ଛକରେ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ। ୧୯୯୮ପରେ ପୁଣି ଥରେ ଫ୍ରାନ୍ସ ଚାମ୍ପିୟନ୍ ହୋଇଥିବାରୁ ସାରା ଦେଶରେ ଏବେ ଉତ୍ସବର ମାହୋଲ। ସେପଟେ ଫିଫା ବିଶ୍ୱକପ ରନର୍ସଅପ୍ ଟିମ୍ କ୍ରୋଏସିଆକୁ ମଧ୍ୟ ନିଜ ଦେଶରେ ଜୋରଦାର ସ୍ୱାଗତ କରାଯାଇଛି। ନିଜ ଦେଶରେ ପହଞ୍ଚିବା ପରେ କ୍ରୋଏସିଆ ଟିମ୍କୁ ଫ୍ୟାନ୍ମାନେ ଜୋରଦାର ସ୍ୱାଗତ କରିଥିଲେ। ଚଳିତ ଫିଫା ବିଶ୍ୱକପରେ ଚମତ୍କାର ଫର୍ମରେ ଥିବା ଫ୍ରାନ୍ସ ୪-୨ ଗୋଲରେ କ୍ରୋଏସିଆକୁ ପରାସ୍ତ କରି ବିଶ୍ୱ ଚାମ୍ପିୟନ ହୋଇଥିଲା।

ବିଶ୍ୱକପ ଜିତିବା ପରେ ଫ୍ରାନ୍ସ୍ ଟିମ୍କୁ ଦେଶର ସବୁଠୁ ବଡ଼ ସମ୍ମାନ ‘ଲିଜନ୍ ଅଫ୍ ଅନର୍’ ମିଳିଛି। ଫ୍ରାନ୍ସ ସରକାର ସୋମବାର ଦିନ ଏହି ଘୋଷଣା କରିଛନ୍ତି। ବିଶ୍ୱ ବିଜୟୀ ଟିମ୍ ପ୍ୟାରିସ୍ରେ ପହଞ୍ଚିବା ପରେ ଫ୍ରାନ୍ସ ରାଷ୍ଟ୍ରପତି ସେମାନଙ୍କୁ ସ୍ୱାଗତ କରିଥିଲେ। ହଜାର ହଜାର ଲୋକ ଫ୍ରାନ୍ସ ଫୁଟବଲ୍ ଟିମ୍କୁ ସ୍ୱାଗତ କରିବାକୁ ନିଜ ଘରୁ ବାହାରିଥିଲେ। ଏହି ଅବସରରେ ପ୍ୟାରିସ୍ର ଆଇଫଲ୍ ଟାୱାର୍ ନିକଟରେ ଏକ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ, ବିଶ୍ୱକପ ବିଜେତା ଫ୍ରାନ୍ସ୍କୁ ୨୬୦ କୋଟି ଟଙ୍କା ମିଳିଥିବା ବେଳେ ରନର୍ସଅପ୍ କ୍ରୋଏସିଆକୁ ୧୯୨ କୋଟି ଟଙ୍କା ମିଳିଛି। ସେହିପରି ୩ୟ ସ୍ଥାନରେ ଅଭିଯାନ ଶେଷ କରିଥିବା ବେଲଜିୟମ୍କୁ ୧୬୪ କୋଟି ଓ ୪ର୍ଥ ସ୍ଥାନରେ ଥିବା ଇଂଲଣ୍ଡକୁ ୧୫୧ କୋଟି ଟଙ୍କା ପୁରସ୍କାର ରାଶି ମିଳିଛି। ବିଶ୍ୱକପରେ ସର୍ବାଧିକ ଗୋଲ୍ ସ୍କୋର୍ କରିଥିବା ଇଂଲଣ୍ଡର ହାରି କେନ୍ଙ୍କୁ ଗୋଲ୍ଡେନ୍ ବୁଟ୍ ମିଳିଥିବା ବେଳେ କ୍ରୋଏସିଆ ଅଧିନାୟକ ଲୁକା ମେଡ୍ରିକ୍ଙ୍କୁ ଗୋଲ୍ଡେନ୍ ବଲ୍ ମିଳିଛି। ଅନ୍ୟପଟେ ବେଲଜିୟମ୍ ଖେଳାଳି ଇଡେନ୍ ହାଜାର୍ଡଙ୍କୁ ସିଲ୍ଭର୍ ବଲ୍ ଓ ଫ୍ରାନ୍ସ ଖେଳାଳି ଗ୍ରୀଜମ୍ୟାନ୍ଙ୍କୁ ବ୍ରୋଞ୍ଜ୍ ବଲ୍ ମିଳିଛି। ଅନ୍ୟପଟେ ଫ୍ରାନ୍ସର ଚର୍ଚ୍ଚିତ ଖେଳାଳି ଏମ୍ବାପୋଙ୍କୁ ଫିଫା ୟଙ୍ଗ୍ ପ୍ଲେୟାର୍ ଆୱାର୍ଡ ମିଳିଛି।
from OdishaReporter https://ift.tt/2zNpMCI

No comments:
Post a Comment