
ବାସୁଦେବପୁର (ଓଡ଼ିଶା ରିପୋର୍ଟର): ଆଜି ସକାଳେ ମାନସୀ ଖୁସିଖୁସି ସ୍କୁଲ୍ ଯାଇଥିଲା। ଶ୍ରେଣୀରେ ସାଙ୍ଗମାନଙ୍କ ସହିତ ବସି ପାଠ ପଢ଼ୁଥିଲା। କିନ୍ତୁ ଅପରାହ୍ନରେ ଶବ ହୋଇ ଘରକୁ ଫେରିଲା। ଏପରି ହୃଦୟବିଦାରକ ଦୃଶ୍ୟ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ବିନାୟକପୁର ୟୁପି ସ୍କୁଲରେ ଦେଖିବାକୁ ମିଳିଛି। କାନ୍ଥ ପଡ଼ି ମାନସୀ ମଳିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଛାତ୍ର ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।
ଆଜି ମଧ୍ୟାହ୍ନ ବିରତି ସମୟରେ ମାନସୀ ସାଙ୍ଗମାନଙ୍କ ସହିତ ସ୍କୁଲ୍ ନିକଟରେ ଥିବା ଗଛରୁ ଜାମୁକୋଳି ଖାଉଥିଲେ। ଏହି ସମୟରେ ପାଖରେ ଥିବା ଏକ ପରିତ୍ୟକ୍ତ ଘରର କାନ୍ଥ ଭୁଶୁଡ଼ି ସେମାନଙ୍କ ଉପରେ ପଡ଼ିଥିଲା। ଚିତ୍କାର ଶୁଣି ଶିକ୍ଷକ ଓ ଗାଁ ଲୋକେ ସେଠାରେ ପହଞ୍ଚି ମାଟି ତଳେ ସେମାନଙ୍କୁ ଉଦ୍ଧାର କରିଥିଲେ। ମାତ୍ର ମାନସୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଅଘଟଣ ପରେ ସ୍କୁଲ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍କୁଲ୍ ଫାଟକରେ ତାଲା ପକାଇ ଶିକ୍ଷକଙ୍କୁ ଅଟକ ରଖିଥିଲେ ଗାଁ ଲୋକେ। ସେପଟେ କର୍ତ୍ତବ୍ୟରେ ଅବହେଳା ପାଇଁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି।
from OdishaReporter https://ift.tt/2uaUWi6
No comments:
Post a Comment