
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଫିଫା ବିଶ୍ୱକପ୍ରେ ଆଜି ଗ୍ରାଣ୍ଡ୍ ଫିନାଲେ। ଶକ୍ତିଶାଳୀ ଫ୍ରାନ୍ସକୁ ଟକ୍କର ଦେବ ଚତୁର କ୍ରୋଏସିଆ। ଚମତ୍କାର ଫର୍ମରେ ଥିବା କ୍ରୋଏସିଆ ଟିମ୍ ପ୍ରଥମ ଥର ପାଇଁ ଟାଇଟଲ୍ ଜିତିବାକୁ ଲକ୍ଷ୍ୟ ରଖିଛି। ୧୯୯୮ରେ କ୍ରୋଏସିଆ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ଅନ୍ୟପଟେ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛି ଫ୍ରାନ୍ସ। ୧୯୯୮ ପରି ଏଥର ବି ଏହି ଫର୍ମ ଦୋହରାଇବାକୁ ଚେଷ୍ଟା କରିବ ଟିମ୍। ୨୦ ବର୍ଷ ପରେ ପୁଣି ଥରେ ଟାଇଟଲ୍ ହାତେଇବାକୁ ଲକ୍ଷ୍ୟ ରଖିଛି ଫ୍ରାନ୍ସ୍।

୨୧ତମ ବିଶ୍ୱକପ ଫାଇନାଲ୍ ମ୍ୟାଚ୍ ଆଉ କିଛି ସମୟ ପରେ ରୁଷିଆର ଲୁଝନିକ୍ ଷ୍ଟାଡିୟମ୍ରେ ଭାରତୀୟ ସମୟ ରାତି ୮.୩୦ ମିନିଟ୍ରେ ଖେଳାଯିବ। ଯେଉଁ ମ୍ୟାଚ୍କୁ ସାରା ବିଶ୍ୱ ଅପେକ୍ଷା କରି ରହିଛି। ଫ୍ରାନ୍ସ୍ ତୃତୀୟ ଥର ପାଇଁ ଓ କ୍ରୋଏସିଆ ପ୍ରଥମ ଥର ପାଇଁ ଫାଇନାଲ୍ ମ୍ୟାଚ୍ ଖେଳିବାକୁ ଯାଉଛି। ଆଜିର ମ୍ୟାଚ୍ରେ ଫ୍ରାନ୍ସ ଟିମ୍ର କି-ପ୍ଲେୟାର୍ ହୋଇପାରନ୍ତି-କିଲିଆନ୍ ଏମ୍ବାପେ, ଗ୍ରୀଜମ୍ୟାନ, ପଲ୍ ପଗ୍ବା, ଏନ୍ଗୋଲୋ କାଣ୍ଟେ ଏବଂ ହୁଗା ଲୋରିସ୍। ଏହି ୫ଜଣ ଚଳିତ ବିଶ୍ୱକପରେ ଫୁଲ୍ ଫର୍ମରେ ଅଛନ୍ତି। ଯଦି ଫ୍ରାନ୍ସ ବିଶ୍ୱକପ୍ ବିଜେତା ହୁଏ, ତା’ହାଲେ ଏହି ୫ଜଣ ଷ୍ଟାର୍ ଖେଳାଳିଙ୍କ ମଧ୍ୟରୁ ଜଣକର ଅବଦାନ ନିହାତି ରହିବ ବୋଲି ଆଶା କରାଯାଉଛି। 
ସେହିପରି କ୍ରୋଏସିଆ ପାଇଁ କି-ପ୍ଲେୟାର୍ ସାବ୍ୟସ୍ତ ହୋଇପାରନ୍ତି ଲୁକା ମୋଡ୍ରିଚ୍, ଅଭାନ୍ ରାକିଟିଚ୍, ମୋରିଓ ମାଣ୍ଡୁକିଚ୍, ଇଭାନ ପାରିସିଚ୍ ଏବଂ ଚର୍ଚ୍ଚିତ ଗୋଲ୍କିପର୍ ସୁଭାଶିଚ୍। ଚଳିତ ବିଶ୍ୱକପରେ ଫ୍ରାନ୍ସ୍ ୬ ମ୍ୟାଚ୍ରୁ ୧୦ଟି ଗୋଲ୍ କରିଛି। ଏହି ୧୦ଟି ଗୋଲ୍ରୁ କିଲିଆନ୍ ଏମ୍ବାପେ ଓ ଗ୍ରୀଜମ୍ୟାନ ୩ଟି ଲେଖାଏ ଗୋଲ୍ ସ୍କୋର୍ କରିଛନ୍ତି। ଫ୍ରାନ୍ସ୍ ଦେଇଥିବା ମୋଟ୍ ଗୋଲ୍ର ୬୦ ପ୍ରତିଶତ ଏହି ଦୁଇ ଖେଳାଳିଙ୍କ ଦ୍ୱାରା ହୋଇଛି।
ଆଜିର ମ୍ୟାଚ୍ରେ ଫ୍ରାନ୍ସର ପଲା ଭାରୀ ରହିଛି। ଚଳିତ ବିଶ୍ୱକପର ଶେଷ ୩ଟି ମ୍ୟାଚ୍ରେ କ୍ରୋଏସିଆ ଏକ୍ସଟ୍ରା ଟାଇମ୍ରେ ଜିତିଥିବା ବେଳେ ଫ୍ରାନ୍ସ ଏକ୍ସଟ୍ରା ଟାଇମ୍ ପୂର୍ବରୁ ସବୁ ମ୍ୟାଚ୍କୁ ନିଜ୍ କବ୍ଜାରେ ରଖିବାରେ ସକ୍ଷମ ହୋଇଛି। ରେକର୍ଡ ଅନୁସାରେ ଫ୍ରାନ୍ସ ଏବଂ କ୍ରୋଏସିଆ ମଧ୍ୟରେ ଏପର୍ଯ୍ୟନ୍ତ ବିଶ୍ୱକପରେ ଗୋଟିଏ ମ୍ୟାଚ୍ ଖେଳାଯାଇଛି। ୧୯୯୮ ସେମିଫାଇନାଲ୍ ମ୍ୟାଚ୍ରେ କ୍ରୋଏସିଆକୁ ୨-୧ ଗୋଲ୍ରେ ଫ୍ରାନ୍ସ ପରାସ୍ତ କରିଥିଲା।
from OdishaReporter https://ift.tt/2zFcMir
No comments:
Post a Comment