
ମାଲକାନଗିରି(ଟି.ଗୌରୀଶଙ୍କର/ଜିତେନ୍ଦ୍ର ବେଉରା): ଅପେକ୍ଷାର ଅନ୍ତ ଘଟିଲା। ବିଚ୍ଛିନ୍ନାଞ୍ଚଳକୁ ଫିଟିଲା ବାଟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପିତ କଲେ ସମ୍ପର୍କର ସେତୁ ‘ଗୁରୁପ୍ରିୟା’। ୧୮୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁର ଲମ୍ବ ରହିଛି ୯୧୦ ମିଟର। ଯାହା ଛିଡ଼ା ହୋଇଛି ୨୨ଟି ସ୍ପାନ୍ ଉପରେ। ୨୦୧୪ରୁ ବହୁ ଘାତ ପ୍ରତିଘାତ ମଧ୍ୟରେ ଆରମ୍ଭ ହୋଇଥିବା ‘ଗୁରୁପ୍ରିୟା’ ଏବେ ପରିଚିତ ହୋଇଛି ‘ସମ୍ପର୍କର ସେତୁ’ ଭାବେ। ଯାହାକି ୧୦ଟି ଦୁର୍ଗମ ପଞ୍ଚାୟତର ୧୫୧ ଗାଁକୁ ବିକାଶର ଆଲୋକ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ତା’ସହ ସେତୁ ପାଇଁ ଜୀବନ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବାମପନ୍ଥୀ ଉଗ୍ରବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ବିଚ୍ଛିନ୍ନାଞ୍ଚଳବାସୀଙ୍କ ଲାଇଫ୍ଲାଇନ୍ କୁହାଯାଉଥିବା ‘ଗୁରୁପ୍ରିୟା’ ସେତୁ ନିର୍ମାଣକୁ ୪ ବର୍ଷ ଲାଗିଗଲା। ହେଲେ ସେତୁ ପାଇଁ ଶ୍ରେୟ ଗୋଟାଇବାକୁ ଲୋକାର୍ପଣର ମାତ୍ର କେଇ ଘଣ୍ଟା ପରେ ଆରମ୍ଭ ହୋଇଗଲା ରାଜନୈତିକ ବୟାନବାଜି। ‘ଗୁରୁପ୍ରିୟା’ ଜାତୀୟ ଗୌରବ ଓ ବହୁ ଘାତପ୍ରତିଘାତ ଭିତରେ ୪ ବର୍ଷରେ ଏହାର ନିର୍ମାଣ ଏକ ରେକର୍ଡ ବୋଲି କହି ଟ୍ୱିଟ୍ କରିଥିଲେ ମୁଖ୍ୟମନ୍ତ୍ରୀ। ତା’ସହ ଇତିହାସରୁ ସବୁଦିନ ପାଇଁ ବିଚ୍ଛିନ୍ନାଞ୍ଚଳ ଶବ୍ଦ ଲୋପ୍ ପାଇଗଲା ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ର ପେଜ୍ରେ ଲେଖିଛନ୍ତି।

ଗୁରୁପ୍ରିୟା ସେତୁ ଲୋକାର୍ପଣ ଉତ୍ସବ ପାଇଁ ଗ୍ରହଣ କରାଯାଇଥିଲା କଡ଼ା ସୁରକ୍ଷା ବ୍ୟବସ୍ଥା। ଏହା ଏକ ସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଥିଲେ ମଧ୍ୟ ମାଳ ମାଳ ବିଜେଡି ନେତା ଓ କର୍ମୀଙ୍କ ଉପସ୍ଥିତି ଦଳୀୟ କାର୍ଯ୍ୟକ୍ରମର ଭ୍ରମ୍ ସୃଷ୍ଟି କରୁଥିଲା। ଏସବୁ ଭିତରେ ମାଲକାନଗିରିରେ କିଛି ମହିଳା ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳାପତାକା ପ୍ରଦର୍ଶନ କରିଥିବା ବେଳେ ଚିତ୍ରକୋଣ୍ଡାରେ ବି ଦେଖିବାକୁ ମିଳିଥିଲା ବିରୋଧର ସ୍ୱର।
from OdishaReporter https://ift.tt/2JTUwlq
No comments:
Post a Comment