
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସର୍ବଭାରତୀୟ ସେବା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଜଣେ ଅଫିସର୍ ଏବେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପଦ ପାଇଁ ଦାବି କରିବାକୁ ନେଇ ପାୱାର କରିଡର୍ରେ ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଏହି ସର୍ବଭାରତୀୟ ସେବାର ଓଡ଼ିଆ ଅଫିସର୍ ଜଣକ ଦୀର୍ଘ କିଛିମାସ ହେବ ଛୁଟିରେ ରହି ବିଜେଡି ପାଇଁ ବିଭିନ୍ନ କାର୍ଯ୍ୟ କରୁଥିଲେ। ଏପରିକି, ରାଜଧାନୀର ଆଠନମ୍ୱର ଅଞ୍ଚଳରେ ବିଜେଡି ପକ୍ଷରୁ ତାଙ୍କ ପାଇଁ ଏକ ଅଫିସ୍ ମଧ୍ୟ ଖୋଲା ଯାଇଥିଲା। ବାବୁ ସେଠାରେ ବସି ନିୟମିତ ଭାବେ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଥିଲେ। ଦଳର ହ୍ୱାଟସ୍ଆପ୍ ଗ୍ରୁପ୍ ଗଠନଠୁ ଆରମ୍ଭ କରି ସର୍ଭେ ପର୍ଯ୍ୟନ୍ତ କାର୍ଯ୍ୟ, କୁଆଡେ଼ ଏହି ବାବୁ ବୁଝୁଥିଲେ। କିନ୍ତୁ ସରକାରୀ ଚାକିରିରୁ ଅବସର ନେଇନଥିବାରୁ ସେ ଲୁଚାଛପାରେ ଏହି କାର୍ଯ୍ୟ ଚଳାଇ ରଖିଥିଲେ। ଦୀର୍ଘ କିଛିମାସ ହେଲା ସେ ବିଜେଡିରେ ସକ୍ରିୟ ଭୂମିକା ତୁଲାଇ ଆସୁଥିବାରୁ ବିଜେଡି ଟିକେଟ୍ରେ ରାଜ୍ୟସଭା ଯିବା ପାଇଁ ମଧ୍ୟ ଆଶା ବାନ୍ଧି ବସିଥିଲେ। କିନ୍ତୁ ଶେଷ ମୁହୂର୍ତରେ ତାଙ୍କୁ ଏହି ରେସ୍ରୁ ବାଦ୍ ଦିଆଯାଇଥିଲା। ଅବଶ୍ୟ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ସେ ଦୀର୍ଘଦିନ ଧରି ଆବେଦନ କରିଥିଲେ। ମଜାର କଥା ହେଲା, ଓଡ଼ିଶାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିବା ବେଳେ ଏହି ବାବୁ ରାଜ୍ୟ ସରକାରଙ୍କ ବିଭିନ୍ନ ତ୍ରୁଟିକୁ ପଦାରେ ପକାଉଥିଲେ। ଏପରିକି ଏଥିପାଇଁ ରାଜ୍ୟ ସରକାରଙ୍କୁ ବହୁମାତ୍ରାରେ ଲଜ୍ଜିତ ହେବାକୁ ପଡ଼ୁଥିଲା। କିନ୍ତୁ ତାଙ୍କର ଅଚାନକ ବିଜେଡି ପ୍ରୀତି କିଭଳି ଉଦୟ ହେଲା ଓ ତାଙ୍କୁ ବିଜେଡି ସୁପ୍ରିମୋ କେଉଁ ଗୋପନ ସର୍ତରେ କୋଳେଇ ନେଲେ ତାହା ଏବେବି ରହସ୍ୟ ହୋଇ ରହିଛି। ଗତ ସପ୍ତାହରେ କୁଆଡ଼େ ତାଙ୍କର ସ୍ୱେଚ୍ଛାକୃତ ଅବସର ଆବେଦନକୁ ଭାରତ ସରକାର ସ୍ୱୀକାର କରିଛନ୍ତି। ବାବୁ କୁଆଡ଼େ ଏବେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍ ହେବା ପାଇଁ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟାର ସୁବିଧା ସୁଯୋଗ ଦାବି କରୁଛନ୍ତି। କିନ୍ତୁ ବିଜେଡି ଓ ସରକାରର ଦ୍ୱିତୀୟ କ୍ଷମତାକେନ୍ଦ୍ର ବୋଲାଉଥିବା ଅଫିସର୍ କୁଆଡ଼େ ଏ ନେଇ ଗ୍ରୀନ୍ ସିଗ୍ନାଲ୍ ଦେଉନଥିବାରୁ ଦଳରେ ସେ ବିଧିବଦ୍ଧ ସାମିଲ୍ ହେବାରେ ବିଳମ୍ୱ ହେଉଛି।
from OdishaReporter https://ift.tt/2Ny6jrC
No comments:
Post a Comment