
ଇସ୍ଲାମ୍ବାଦ୍: ପାକିସ୍ତାନରେ ଦୁଇଟି ନିର୍ବାଚନୀ ରାଲିରେ ଆତାଙ୍କବାଦୀମାନେ ବୋମା ମାଡ଼ କରିଛନ୍ତି। ଶୁକ୍ରବାର ହୋଇଥିବା ଏହି ଦୁଇଟି ଆକ୍ରମଣରେ ୧୩୩ ଜଣ ପ୍ରାଣ ହରାଇଥିବା ବେଳେ ୧୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହିଁ। ତେବେ ଏପରି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ପାକିସ୍ତାନ ରାଷ୍ଟ୍ରପତି ମମ୍ନୁନ୍ ହୁସେନ୍ ଓ ପ୍ରଧାନମନ୍ତ୍ରୀ ନସୀରୁଲ୍ ମୁଲ୍କ।
ବଲୁଚିସ୍ତାନର ମସ୍ତଙ୍ଗ୍ ଅଞ୍ଚଳରେ ବଲୁଚିସ୍ତାନ ଆୱାମୀ ପାର୍ଟି (ବିଏପି) ର ନେତା ସିରାଜ୍ ରାୟସାନୀ ରାଲି କରୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଟାର୍ଗେଟ୍ କରି ବିସ୍ଫୋରଣ କରିଥିଲେ। ଏଥିରେ ୧୨୮ ଜଣଙ୍କର ମୃତ୍ୟୁ ଘଟିଛି। ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସିରାଜ୍ ମଧ୍ୟ ଏଥିରେ ପ୍ରାଣ ହରାଇଛନ୍ତି। ସିରାଜ୍ ବଲୁଚିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ନୱାବ୍ ଅସଲମ ରାୟସାନୀଙ୍କ ଭାଇ ଥିଲେ। ସେ ମସ୍ତଙ୍ଗ ଜିଲ୍ଲାରୁ ନିର୍ବାଚନ ଲଢ଼ୁଥିଲେ।
ଜଣେ ବୋମା ନିଷ୍କ୍ରିୟକାରୀ ଅଧିକାରୀଙ୍କ କହିବାନୁସାରେ, ଏହି ଆକ୍ରମଣରେ ୧୬ରୁ ୨୦ କିଗ୍ରା ଓଜନର ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇଥିଲା।
ଏହା ପୁର୍ବରୁ ଖୈବର ପଖତୁନ୍ଖା ଅଞ୍ଚଳର ବନ୍ନୁ ସହରରେ ମଧ୍ୟ ଏକ ରାଲି ଉପରେ ଆତଙ୍କାଦୀ ଆକ୍ରମଣ ହୋଇଥିଲା। ଏଥିରେ ୫ ଜଣ ପ୍ରାଣ ହରାଇଥିବା ବେଳେ ୩୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୁତ୍ତାହିଦା ମଜ୍ଲିସ୍ ଏ ଅମଲ୍ (ଏମ୍ଏମ୍ଏ)ର ନେତା ଅକରମ ଖାନ ଦୂରାନୀ ରାଲି କରୁଥିବା ବେଳେ ଏହି ଆକ୍ରମଣ କରାଯାଇଥିଲା। ଏଥିରେ ଦୂରାନୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେ ତହରିକ୍ ଏ ଇନ୍ସାଫ୍ ପାର୍ଟି ମୁଖ୍ୟ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି।
from OdishaReporter https://ift.tt/2mhTXIN
No comments:
Post a Comment