
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୨୧ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବାର ଆଶଙ୍କା ଥିବା ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବ। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ବିଶେଷ କରି ପୁରୀ, ଜଗତସିଂହପୁର,କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଭଦ୍ରକ ଓ ଗଞ୍ଜାମର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ୨୧ ତାରିଖରୁ ବାଲେଶ୍ୱର, ଯାଜପୁର, ନୟାଗଡ଼, ଗଜପତି, ରାୟଗଡ଼ା,ମାଲକାନଗିରି ଓ କୋରାପୁଟରେ ବର୍ଷା ହେବ। ୨୧ ତାରିଖରେ ପୁରୀ ଓ ଗଂଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି।
୨୨ ତାରିଖରେ ଲଘୁଚାପ ଅବପାତର ରୂପ ନେବାର ସମ୍ଭାବନା ଥିବାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷ କରି କନ୍ଧମାଳ, ନୟାଗଡ଼, କଟକ, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି, ସୋନପୁର ଓ ଗଂଜାମର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୩ ତାରିଖରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୪ରୁ ପାଗରେ ପରିବର୍ତ୍ତନ ଆସିବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଟିଟିଲାଗଡ଼ରେ ସର୍ବାଧିକ ୨୭ ମିମି ଓ ଗୋପାଳପୁରରେ ସର୍ବନିମ୍ନ ୦.୨ ମିମି ବର୍ଷା ରେକର୍ଡ କରାଯାଇଛି।
from OdishaReporter https://ift.tt/2mraM3Q
No comments:
Post a Comment