
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କ୍ଷମତା ଲୋଭରେ ଅନ୍ଧ ନବୀନ, ଚିଟ୍ଫଣ୍ଡ ଟଙ୍କାରେ ଚଳାନ୍ତି ସରକାର।’ ଏକଥା ଆମେ କହୁନୁ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ ଟ୍ୱିଟ୍ କରି ଫଟୋ ସହ ଏକଥା ସୋଶାଲ୍ ମିଡିଆରେ କହିଛନ୍ତି।
ଚିଟ୍ଫଣ୍ଡ ମାମଲାରେ ବିବାଦୀୟ ହୋଇ ପଡ଼ିଥିବା ବିଜେଡିର ୯ ଜଣ ନେତାଙ୍କ ଫଟୋ ଟ୍ୱିଟର୍ରେ ପୋଷ୍ଟ କରି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ନବରତ୍ନ’ ଭାବେ ଚିତ୍ରଣ କରିଛନ୍ତି।
ଚିଟ୍ଫଣ୍ଡ ମାମଲା ତଦନ୍ତରେ ସିବିଆଇର ଶିଥିଳତା ଓ ରାଜ୍ୟର ଲକ୍ଷ ଲକ୍ଷ ଜମାକାରୀଙ୍କୁ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥ ମିଳିବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇନଥିବା ବେଳେ ନିରଞ୍ଜନଙ୍କ ଏଭଳି ଫଟୋ ସହ ଟ୍ୱିଟ୍କୁ ନେଇ ରାଜନୀତିକ ଚର୍ଚ୍ଚା ଜୋର୍ ଧରିଛି।
ନିରଞ୍ଜନ ସିଧାସଳଖ ବିଜେଡିର ୯ ଜଣ ନେତାଙ୍କୁ ଟାର୍ଗେଟ୍ କରିଥିଲେ ମଧ୍ୟ ଏହା ଉପରେ ସମ୍ପୃକ୍ତ ନେତା କିମ୍ବା ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅବଶ୍ୟ ଟ୍ୱିଟରରେ ନିରଞ୍ଜନଙ୍କୁ ଏଥିପାଇଁ କିଛିଟା ସମାଲୋଚନାର ଶିକାର ହେବାକୁ ପଡ଼ିଛି।
ନିରଞ୍ଜନଙ୍କ ନିଜ ଭାଇ ତଥା ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭୂମିକା ସମ୍ପର୍କରେ ମଧ୍ୟ କିଛି ପ୍ରଶ୍ନବାଣର ଶିକାର ତାଙ୍କୁ ହେବାକୁ ପଡ଼ିଛି। ଚିଟଫଣ୍ଡ ଜମାକାରୀଙ୍କ ସୁରକ୍ଷା ପାଇଁ ସୌମ୍ୟ ଚଳାଇଥିବା ଅଭିଯାନ କାହିଁକି ଶିଥିଳ ପଡ଼ିଲା ବୋଲି ନିରଞ୍ଜନଙ୍କୁ ପ୍ରଶ୍ନ କରାଯାଇଛି।
ନିରଞ୍ଜନ ବିଜେଡିର ଯେଉଁ ନେତାମାନଙ୍କୁ ଚିଟ୍ଫଣ୍ଡ ମାମଲାରେ ନବୀନଙ୍କ ନବରତ୍ନ ଭାବେ ଚିତ୍ରଣ କରିଛନ୍ତି ସେମାନେ ହେଲେ ସୂର୍ଯ୍ୟନାରାୟଣ ପାତ୍ର, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ଦେବାଶିଷ ସାମନ୍ତରାୟ, ସଞ୍ଜୟ ଦାସବର୍ମା, ସୁବର୍ଣ୍ଣ ନାୟକ, ରାମଚନ୍ଦ୍ର ହାଁସଦା, ରବୀନ୍ଦ୍ର ଜେନା ଓ ପ୍ରଣବ ବଳବନ୍ତରାୟ।
ନବୀନଙ୍କ ଦଳର ଏହି ନେତାଙ୍କ ମଧ୍ୟରେ କେବଳ ଜଣକୁ ଛାଡ଼ିଦେଲେ ବାକି ସମସ୍ତେ ସାଂସଦ ଓ ବିଧାୟକ ଅଛନ୍ତି। ସୂର୍ଯ୍ୟ ଏବେ କ୍ୟାବିନେଟ୍ ପାହ୍ୟାରେ ଥିବାବେଳେ ତୃତୀୟ ମହଲାରେ ସାଂସଦ ରବୀନ୍ଦ୍ର ଜେନା, ଦେବାଶିଷ ସାମନ୍ତରାୟ, ସଞ୍ଜୟ ଓ ପ୍ରଣବଙ୍କୁ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ମିଳୁଛି।
from OdishaReporter https://ift.tt/2LDl3ZU
No comments:
Post a Comment