
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଘନୀଭୂତ ହୋଇ ୱେଲ୍ମାର୍କଡରେ ପରିଣତ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଓ ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରାଯାଇଛି। କେନ୍ଦ୍ରର ସୂଚନା ଅନୁଯାୟୀ ୱେଲ୍ମାର୍କଡ ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିଥିଲା। ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି।
ଆସନ୍ତା ୪୮ ଘଣ୍ଟାରେ ଏହା ଅବପାତର ରୂପ ନେବାର ସମ୍ଭାବନା ଥିବାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷ କରି ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ଗଜପତି, ଗଂଜାମ, ରାୟଗଡ଼ା, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୨ ତାରିଖରେ କନ୍ଧମାଳ, ବୌଦ୍ଧ, ନୟାଗଡ଼, ଗଂଜାମ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଓ ରାୟଗଡ଼ାରେ ପ୍ରବଳ ବର୍ଷା ହେବ। ୨୩ ତାରିଖରେ ପଶ୍ଚିମ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଧୀବରମାନଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବଧିକ ୮୯ ମିମି ବର୍ଷା ହୋଇଥିବା ବେଳେ ହୀରାକୁଦରେ ସର୍ବନିମ୍ନ ୦.୧ ମିମି ବର୍ଷା ରେକର୍ଡ କରାଯାଇଛି।
from OdishaReporter https://ift.tt/2LtCfQA
No comments:
Post a Comment