
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୧୪ ହଜାର କୋଟି ଟଙ୍କା ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ (ପିଏନ୍ବି) ଘୋଟାଲାର ମାଷ୍ଟର୍ମାଇଣ୍ଡ ହେଉଛନ୍ତି ଗୀତାଞ୍ଜଳି ଗ୍ରୁପ୍ର ମାଲିକ ମେହୁଲ ଚୋକସି। ସେ ହିଁ ଘୋଟାଲର ପୂରା ପ୍ଲାନିଂ କରିଥିଲେ ଏବଂ ଆମଦାନୀ ଓ ରପ୍ତାନୀ ଆଳରେ ଋଣ ଟଙ୍କାକୁ ନେଇ ହେରଫେର କରିଥିଲେ। ଆଜି ମୁମ୍ବାଇର ସ୍ୱତନ୍ତ୍ର କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାଖଲ କରିଥିବା ଚାର୍ଜଶିଟ୍ରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଚାର୍ଜଶିଟ୍ ଅନୁଯାୟୀ, ଟଙ୍କା ହେରଫେର ପାଇଁ ଯେଉଁ କମ୍ପାନୀମାନଙ୍କୁ ବ୍ୟବହାର କରାଯାଇଥିଲା, ତା’ର ନିର୍ଦ୍ଦେଶକ ଓ ପାର୍ଟନର କେବଳ ଡମି ଭଳି କାର୍ଯ୍ୟ କରୁଥିଲେ। ଏହାର ସମସ୍ତ ନିଷ୍ପତ୍ତି ଚୋକସି ହିଁ ନେଉଥିଲେ ବୋଲି ଚାର୍ଜଶିଟ୍ରେ କୁହାଯାଇଛି।
ଅନ୍ୟପକ୍ଷରେ ଏବେ ମେହୁଲ ଚୋକସି ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ସିବିଆଇ ଆଣ୍ଟିଗୁଆ ସରକାରଙ୍କୁ କହିଛନ୍ତି। ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କୁ ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଚୋକସିଙ୍କ ପକ୍ଷରୁ ତାଙ୍କ ଓକିଲ ଆଜି ଏକ ବିବୃତି ଜାରି କରିଛନ୍ତି। ଏଥିରେ ସେ କାହିଁକି ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରିଛନ୍ତି, ତା’ର କାରଣ ଦର୍ଶାଯାଇଛି। ବିବୃତି ଅନୁଯାୟୀ, ଚୋକସି ଆଇନଗତ ଉପାୟରେ ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରିଛନ୍ତି। ଆଣ୍ଟିଗୁଆରେ ବ୍ୟବସାୟ କରିବାକୁ ଓ ବିଦେଶକୁ ଦରକାର ବେଳେ ସହଜରେ ଯିବାଆସିବା କରିବାକୁ ଏଭଳି ନାଗରିକତ୍ୱ ଗ୍ରହଣ କରିଥିବା ସେ କହିଛନ୍ତି। ଚୋକସି ଆହୁରି କହିଛନ୍ତି ‘କାରିବିୟାନ୍ ଅଞ୍ଚଳରେ ମୋ ବ୍ୟବସାୟକୁ ବୃଦ୍ଧି କରିବା ଏବଂ ୧୩୦ଟି ଦେଶକୁ ଯାତାୟାତ ପାଇଁ ଆବଶ୍ୟକ ଭିସା ପାଇବା ପାଇଁ ଏଭଳି କରିଛି। ୨୦୧୮ ଜାନୁଆରୀ ମାସରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମୋର ଆମେରିକାର ଯିବାର ଥିଲା। ମୋର ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ନାହିଁ। ତେଣୁ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ମୁଁ ଆଣ୍ଟିଗୁଆରେ ରହିବାକୁ ପସନ୍ଦ କରିଛି।’
ପିଏନ୍ବି ଦୁର୍ନୀତି ସାମ୍ନାକୁ ଆସିବା ପରେ ଇଡି ଓ ସିବିଆଇ ତଦନ୍ତ ଆରମ୍ଭ କରିଥିଲେ। ହୀରା ବ୍ୟବସାୟୀ ତଥା ଚୋକସିଙ୍କ ଭଣଜା ନିରବ ମୋଦି ଏହି ଘୋଟାଲା କରିଥିଲେ ବୋଲି ଜଣାପଡ଼ିଥିଲା। ଜୁନ୍ ମାସରେ ଇଣ୍ଟରପୋଲ୍ ନିରବଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଥିଲା। ଏବେ ନିରବ କେଉଁଠି ଲୁଚିଛନ୍ତି, ତାହା ଜଣାପଡ଼ିନାହିଁ।
from OdishaReporter https://ift.tt/2K1m606
No comments:
Post a Comment