
ଜାକର୍ତ୍ତା: ଚଳିତ ଏସିଆନ୍ ଗେମ୍ସରେ ଭାରତୀୟ ମହିଳା ହକି ଦଳର ବିଜୟ ଧାରା ଅବ୍ୟାହତ ରହିଛି। ଆଜି ଗ୍ରୁପ୍ ‘ବି’ର ଶେଷ ମ୍ୟାଚ୍ରେ ଅଧିନାୟକ ରାଣୀ ରାମପାଲଙ୍କ ହ୍ୟାଟ୍ରିକ୍ ବଳରେ ଭାରତ ଥାଇଲ୍ୟାଣ୍ଡକୁ ୫-୦ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଟେବୁଲ୍ ଶୀର୍ଷରେ ରହିଛି। ଦଳ ଏବେ ନିଜ ଗ୍ରୁପ୍ ପର୍ଯ୍ୟାୟ ଅଭିଯାନ ଶେଷ କରି ସେମିଫାଇନାଲ୍ରେ ପ୍ରବେଶ କରିଛି।

ଆଜିର ମ୍ୟାଚ୍ରେ ଭାରତଠାରୁ ଅପେକ୍ଷାକୃତ ଦୁର୍ବଳ ଥାଇଲ୍ୟାଣ୍ଡ ଦ୍ୱିତୀୟ କ୍ୱାର୍ଟର ଶେଷ ଯାଏ ରାଣୀ ରାମପାଲ ଆଣ୍ଡ କୋ’କୁ ଗୋଲ କରିବାର କୌଣସି ସୁଯୋଗ ଦେଇ ନଥିଲା। ହେଲେ ତୃତୀୟ କ୍ୱାର୍ଟର ଆରମ୍ଭରୁ ହିଁ ଅଧିନାୟକ ରାଣୀ ୩୭ ତମ ମିନିଟ୍ରେ ଥାଇଲ୍ୟାଣ୍ଡର ସୁରକ୍ଷା ବଳୟ ଭେଦ କରି ଗୋଲ କରିବାରେ ସକ୍ଷମ ହୋଇଥିଲେ।
ଫଳରେ ଭାରତ ୧-୦ରେ ଆଗୁଆ ହୋଇଯାଇଥିଲା। ଏହାପରେ ଭାରତ ଥାଇଲ୍ୟାଣ୍ଡ ଉପରେ ଘନଘନ ଆକ୍ରମଣ କରିଦେଇଥିଲା। ୪୭ ତମ ମିନିଟ୍ରେ ରାଣୀ ଆଉ ଗୋଟିଏ ଗୋଲ କରିଥିଲେ। ୫୨ ତମ ମିନିଟ୍ରେ ମୋନିକା, ୫୫ ତମ ମିନିଟ୍ରେ ନବଜିତ୍ କୌର ଓ ୫୬ ମିନିଟ୍ରେ ରାଣୀ ବ୍ୟକ୍ତିଗତ ଭାବେ ତୃତୀୟ ଗୋଲ ଦେଇ ଭାରତକୁ ୫-୦ରେ ଆଗୁଆ କରିଦେଇଥିଲେ।
ପୂର୍ବରୁ ଭାରତୀୟ ମହିଳା ହକି ଦଳ ଡିଫେଣ୍ଡିଂ ଚାମ୍ପିୟନ୍ ଦକ୍ଷିଣ କୋରିଆକୁ ୪-୧ ଗୋଲ୍ରେ ପରାସ୍ତ କରି ସମସ୍ତଙ୍କୁ ଚମକାଇ ଦେଇଥିଲା।
from Odisha Reporter https://ift.tt/2wrU9d8
No comments:
Post a Comment